ବ୍ରହ୍ମପୁର, ୧୩ା୨(ସୁବାସ ଚନ୍ଦ୍ର ପାୀ): ୪ ବର୍ଷ ଶିଶୁପୁତ୍ର ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ତାଙ୍କୁ ହତ୍ୟା କରାଯାଇଥିବା ମାମଲାର ସ୍ବତନ୍ତ୍ର ପୋକ୍ସୋ ଜଜ ପ୍ରଣତୀ ପଟ୍ଟନାୟକ ଶୁକ୍ରବାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଉକ୍ତ ଥାନାଞ୍ଚଳର ଶ୍ରୀକାନ୍ତ ଓରଫ ସୁକାନ୍ତ ସେଠୀ(୨୬)। ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିବା ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ଏନେଇ ସୂଚନା ଦେଇଛନ୍ତି।
୨୦୨୩ ଜାନୁଆରୀ ୨୪ରେ ଉକ୍ତ ୪ ବର୍ଷର ଶିଶୁଟି ଘର ଦାଣ୍ଡରେ ଖେଳୁଥିବାବେଳେ ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ତାଙ୍କ ମାତା ଓ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ଖୋଜାଖୋଜି କରିଥିେଏ। ସାହିର କିଛି ଲୋକଙ୍କ କହିବା ଆଧାରରେ ଶିଶୁଟିର ପରିବାର ଲୋକ ଶ୍ରୀକାନ୍ତ ସେଠୀଙ୍କ ଛାତକୁ ଯାଇଥିଲେ। ସେଠାରେ ଶିଶୁଟିର ମୃତଦେହ ପଡିଥିଲା। ଶ୍ରୀକାନ୍ତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେ ନିଜ ଦୋଷ ସ୍ବୀକାର କରିବା ସହ ଘଟଣାସ୍ଥଳରୁ ଚାଲିଯାଇଥିଲେ ବୋଲି ପୀଡିତଙ୍କ ପରିବାର ଲୋକେ କହିଥିଲେ। ଅଭିଯୋଗ ପରେ ପୋଲିସ ନଂ. ୨୪/୨୩ରେ ଏକ ମାମଲା ରୁଜୁ କରି ଘଟଣାର ପର ଦିନ ଶ୍ରୀକାନ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତତ୍କାଳୀନ ଥାନାଧିକାରୀ ମମତା କୁମାରୀ ସାମନ୍ତରା ଏନେଇ ଶ୍ରୀକାନ୍ତଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ ।
Dharitri – Odisha’s No.1 Odia Daily

