ନୂଆ ରୂପ ପାଇବ ଶ୍ରୀଲୋକନାଥ ମନ୍ଦିର

ପୁରୀ ଅଫିସ,୨୦।୯:୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ପୁରୀ ଆସି ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟ ରୂପରେଖର ସମୀକ୍ଷା କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ସେବାୟତମାନେ ଦୀର୍ଘଦିନ ଧରି ମନ୍ଦିରର ନବକଳେବର ପାଇଁ ଦାବି କରୁଥିବାବେଳେ ସୋମବାର ୫-ଟି ସଚିବ ପାଣ୍ଡିଆନ୍‌ ଜିଲାପାଳ ସମର୍ଥ ବର୍ମା ଏବଂ ଉପଜିଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ପ୍ରସ୍ତାବିତ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ୫-ଟି ସଚିବ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢାରେ ସେବାୟତଙ୍କ ସହିତ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାପାଳଙ୍କ ତତ୍ତ୍ବାବଧାନରେ ତାଙ୍କୁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟର ନକ୍ସା ଦେଖାଯାଇଥିଲା। ଭକ୍ତଙ୍କ ଦର୍ଶନ ପାଇଁ ବେଢ଼ା ସମ୍ପ୍ରସାରଣ କରାଯିବ, ସିଂହଦ୍ୱାର ଦେଇ ଦର୍ଶନ ହେବ ଏବଂ ବ୍ୟବସ୍ଥିତ ଢଙ୍ଗରେ ଶ୍ରୀଲୋକନାଥ ମନ୍ଦିର ପରିଚାଳିତ ହେବ ବୋଲି ୫-ଟି ସଚିବ କହିଥିଲେ। ପ୍ରକଳ୍ପରେ ସାମିଲ ଥିବା ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଯୋଜନା ଅନୁଯାୟୀ, ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥାୟୀ ଧାଡ଼ି ଦର୍ଶନ ବ୍ୟବସ୍ଥା, ପିଣ୍ଡି, ସ୍ବତନ୍ତ୍ର ବ୍ଲକ୍‌, ଶୌଚାଳୟ,ଗୋଶାଳା, ଭେଣ୍ଡିଙ୍ଗ ଜୋନ୍‌ ଇତ୍ୟାଦି ନିର୍ମାଣ ସହ ବିଦ୍ୟୁତୀକରଣ କରାଯିବ। ମନ୍ଦିର ଭିତର ଓ ବାହାର ବେଢ଼ା ସମେତ ପାର୍ବତୀ ସାଗରକୁ ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି। ସେବାୟତମାନେ ଏହି ପ୍ରକଳ୍ପ କାର୍ଯ୍ୟକୁ ସ୍ବାଗତ କରିବା ସହ ଶ୍ରୀଲୋକନାଥଙ୍କୁ ଅଧିକ ଭକ୍ତ ଆସିବେ ବୋଲି ମତବ୍ୟକ୍ତ କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ଉନ୍ନତୀକରଣ ପାଇଁ ସେବାୟତ ବର୍ଗ ଓ ଜନସାଧାରଣ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ। ଫଳରେ ବିଗତ ଦିନରେ ଜିଲାପାଳ ସମର୍ଥ ବର୍ମା ଏବଂ ଉପଜିଲାପାଳ ଭବତାରଣ ସାହୁ ପର୍ଯ୍ୟାୟକ୍ରମେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଏକ ନକ୍ସା ପ୍ରସ୍ତୁତ କରିଥିଲେ। ଲୋକନାଥ ମନ୍ଦିରର ବିକାଶ ପାଇଁ କ’ଣ ସବୁ ନିର୍ମାଣ ହେବା ଦରକାର ସେ ସଂକ୍ରାନ୍ତରେ ପ୍ରସ୍ତାବିତ ନକ୍ସାକୁ ନେଇ ସୋମବାର ୫-ଟି ସଚିବଙ୍କ ସହିତ ଅଧିକାରୀମାନେ ଆଲୋଚନା କରିଥିଲେ। ୫-ଟି ସଚିବ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ମୋହର ମାରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେବାୟତ ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ଗତ ୩ ଦଶନ୍ଧି ମଧ୍ୟରେ ଶ୍ରୀଲୋକନାଥ ମନ୍ଦିରର ଉନ୍ନତି କାର୍ଯ୍ୟ ହୋଇନାହିଁ। ଏହି ଶୈବପୀଠ ଅବହେଳିତ ହୋଇଆସୁଥିଲା। ସମ୍ପ୍ରତି ସରକାର ଏହାର ଉନ୍ନତି ନିମନ୍ତେ ପ୍ରଚେଷ୍ଟା କରିବା ସ୍ବାଗତଯୋଗ୍ୟ। ଜିଲା ପ୍ରଶାସନକୁ ମନ୍ଦିରର ବିକାଶ ନେଇ ଯେଉଁ ସବୁ ପ୍ରସ୍ତାବ ସେବାୟତମାନଙ୍କ ପକ୍ଷରୁ ଦିଆଯାଇଥିଲା, ସେହି ସମସ୍ତ ସୁବିଧା ପ୍ରସ୍ତାବିତ ପ୍ରକଳ୍ପରେ ସାମିଲ ହୋଇଛି।