Categories: ଖେଳ

ପାକିସ୍ତାନକୁ ୫ ଉଇକେଟରେ ହରାଇଲା ଶ୍ରୀଲଙ୍କା

ଦୁବାଇ,୯।୯: ଏସିଆ କପ୍‌ ସୁପର-୪ର ଶୁକ୍ରବାର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ବିଜୟୀ ହୋଇଛି। ପଥୁମ ନିସଙ୍କାଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଓ୍ବାନିଣ୍ଡୁ ହସରଙ୍ଗାଙ୍କ ୩ ଉଇକେଟ ବଳରେ ଶ୍ରୀଲଙ୍କା ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଛି।

ଅଧିନାୟକ ଦସୁନ ସନକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ପାକିସ୍ତାନ ୧୯.୧ ଓଭରରେ ୧୨୧ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଅଧିନାୟକ ବାବର ଆଜମ ଦଳ ପକ୍ଷରୁ ସର୍ବାଧିକ ୩୦ ରନ୍‌ କରିଥିଲେ। ଜବାବରେ ଶ୍ରୀଲଙ୍କା ୧୭ ଓଭରରେ ୫ ଉଇକେଟ ହରାଇ ୧୨୪ ରନ୍‌ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ନିସଙ୍କା ୫୫ ରନ୍‌ କରି ଅପରାଜିତ ରହିଥିଲେ। ପାକିସ୍ତାନର ମହମ୍ମଦ ହାସନେନ ଓ ହାରିସ ରୌଫ ୨ଟି ଲେଖାଏ ଏବଂ ଉସମାନ କାଦିର ଗୋଟିଏ ଉଇକେଟ ନେଇଥିଲେ। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ରବିବାର ଫାଇନାଲ ମ୍ୟାଚ ଖେଳାଯିବ।

Share