ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ ଭାରତୀୟ ଦମ୍ପତିଙ୍କ ପାଇଁ ଶ୍ରୀଲଙ୍କା ସବୁଠାରୁ ଆକର୍ଷଣୀୟ ବିବାହ ପେଣ୍ଠସ୍ଥଳୀ ଭାବେ ଉଭା ହୋଇଛି। ସେଠାରେ ବାର୍ଷିକ ଭାରତୀୟ ବିବାହ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଦେଶର ଅଗ୍ରଣୀ ବିବାହ ପ୍ଲାନିଂ ସଂସ୍ଥା ‘ୱେଡ୍ମିଗୁଡ୍’ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ୨୦୨୬ରେ ମଧ୍ୟପ୍ରାଚ୍ୟ (ପଶ୍ଚିମ ଏସିଆ)ରେ ଚାଲିଥିବା ଭୟଙ୍କର ସାମରିକ ସଙ୍କଟ ସତ୍ତ୍ୱେ ଭାରତୀୟ ପରିବାରଗୁଡ଼ିକ ନିଜର ବଡ଼ ଉତ୍ସବର ଯୋଜନାରେ କୌଣସି କାଟଛାଣ୍ଟ କରିବାର ସମ୍ଭାବନା ନାହିଁ। ଭାରତ ସହ ନିକଟ, ସହଜ ପରିବହନ ଏବଂ ବିଳାସପୂର୍ଣ୍ଣ ହୋଟେଲ ଭିତ୍ତିଭୂମି ଯୋଗୁ ଶ୍ରୀଲଙ୍କା ଭାରତୀୟ ବଜାରରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି।
ଶ୍ରୀଲଙ୍କାର ପର୍ଯ୍ୟଟନ ବିକାଶ ପ୍ରାଧିକରଣର ତଥ୍ୟ ଅନୁଯାୟୀ, ଶ୍ରୀଲଙ୍କା ପାଇଁ ଭାରତ ସବୁଠାରୁ ବଡ଼ ପର୍ଯ୍ୟଟନ ବଜାର ହୋଇ ରହିଛି। ଭାରତରୁ ଶ୍ରୀଲଙ୍କା ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ୨୦୨୩ରେ ପ୍ରାୟ ୩ ଲକ୍ଷ ୨ ହଜାର ଥିବାବେଳେ ୨୦୨୪ରେ ଏହା ୪ ଲକ୍ଷ ୧୬ ହଜାର ଏବଂ ୨୦୨୫ରେ ୫ ଲକ୍ଷ ୩୦ ହଜାରରୁ ଅଧିକ ଛୁଇଁଛି। ଶ୍ରୀଲଙ୍କାର ପ୍ରସିଦ୍ଧ ହୋଟେଲ ଗ୍ରୁପ୍ ‘ସାଙ୍ଗ୍ରି-ଲା’ର ଯୋଗାଯୋଗ ନିର୍ଦ୍ଦେଶିକା ଚେରଙ୍କା ମେଣ୍ଡିସ୍ କହିଛନ୍ତି, ଶ୍ରୀଲଙ୍କା ଏବେ କେବଳ ଏକ ବିକଳ୍ପ ନୁହେଁ, ବରଂ ଭାରତୀୟ ପରିବାର ପାଇଁ ଏକ ପ୍ରମୁଖ ବିଳାସପୂର୍ଣ୍ଣ ସ୍ବଳ୍ପ ଦୂରତ୍ୱର ବିବାହ ପେଣ୍ଠସ୍ଥଳୀରେ ପରିଣତ ହୋଇଛି। ଗତବର୍ଷ ଶ୍ରୀଲଙ୍କାର ହାମ୍ବନଟୋଟା, କଲମ୍ବୋ, କାଣ୍ଡି ଏବଂ ନୁୱାରା ଏଲିୟା ଭଳି ସହରରେ ଥିବା ପ୍ରମୁଖ ବିଳାସପୂର୍ଣ୍ଣ ରିସର୍ଟଗୁଡ଼ିକରେ ସର୍ବାଧିକ ଭାରତୀୟ ବିବାହ ବୁକିଂ ହୋଇଛି। ଗତ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ୍ ଉପରେ ହୋଇଥିବା ଆକ୍ରମଣ ଏବଂ ଏହାର ପାଲଟା ଜବାବ ଯୋଗୁ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଛି। ଏହି କାରଣରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ବିମାନ ଇନ୍ଧନ ଦର ବୃଦ୍ଧି ପାଇଛି, ଯାହା ଅନ୍ତର୍ଜାତୀୟ ବିମାନ ଭଡ଼ାକୁ ମହଙ୍ଗା କରିଛି। ପ୍ରତିରକ୍ଷା ଓ ସାମରିକ ଜଟିଳତା ଯୋଗୁ ପୂର୍ବରୁ ଆକର୍ଷଣୀୟ ଥିବା ମଧ୍ୟପ୍ରାଚ୍ୟ ବଜାର (ଦୁବାଇ ବା ଓମାନ) ପରିବର୍ତ୍ତେ ଭାରତୀୟ ପରିବାର ଏବଂ ୱେଡିଂ ପ୍ଲାନରମାନେ ଶ୍ରୀଲଙ୍କା, ଥାଇଲାଣ୍ଡ୍, ବାଲି (ଇଣ୍ଡୋନେସିଆ), ଭିଏଟ୍ନାମ ଏବଂ ମାଲେସିଆ ଭଳି ସୁରକ୍ଷିତ ଏବଂ ସହଜ ଯୋଗାଯୋଗ ଥିବା ଏସୀୟ ଦେଶଗୁଡ଼ିକୁ ପସନ୍ଦ କରୁଛନ୍ତି। ‘ଟେଲରମେଡ୍ ଏକ୍ସପେରିଏନ୍ସେସ’ର ମୁଖ୍ୟ ଶଶାଙ୍କ ଗୁପ୍ତା କହିଛନ୍ତି, ଆଞ୍ଚଳିକ ସ୍ଥିରତା ଓ ଅତିଥିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ପାଇଁ ଭାରତୀୟଙ୍କ ପକ୍ଷରୁ ଅନୁସନ୍ଧାନ ଓ ସାଇଟ୍ ଭିଜିଟ ବହୁ ପରିମାଣରେ ବୃଦ୍ଧି ପାଇଛି।
ରିପୋର୍ଟ ଅନୁଯାୟୀ, ବ୍ୟବସାୟରୁ ଗ୍ରାହକ (ବି୨ସି) ନେଟୱର୍କର ପ୍ରାୟ ୨.୫ ଲକ୍ଷ ଉପଭୋକ୍ତା ଏବଂ ୨୪,୦୦୦ ବିବାହ ବ୍ୟବସାୟୀଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ବିବାହ ବଜେଟ୍ରେ ବ୍ୟାପକ ବୃଦ୍ଧି ଘଟିଛି। ଗତ ବର୍ଷ ଭାରତ ଭିତରେ ହେଉଥିବା ଡେଷ୍ଟିନେଶନ ୱେଡିଂର ହାରାହାରି ବଜେଟ ୫୮ ଲକ୍ଷ ଟଙ୍କା ରହିଥିବା ବେଳେ ଅନ୍ତର୍ଜାତୀୟ ବିବାହ ପାଇଁ ଏହି ବଜେଟ ହାରାହାରି ୧.୫ କୋଟି ଟଙ୍କା ଛୁଇଁଛି। ଏଥିସହ ପୂର୍ବରୁ ବିବାହ ଉତ୍ସବ ହାରାହାରି ୧.୮ ଦିନ ଚାଲୁଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୩.୨ ଦିନ ହୋଇଛି। ବିଦେଶୀ ମାଟିରେ ବିବାହ ହେଉଥିଲେ ମଧ୍ୟ ଖାଦ୍ୟପେୟ କ୍ଷେତ୍ରରେ ଭାରତୀୟ ଶୈଳୀ ଓ ସ୍ବାଦକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ୟୁରୋପରେ ଇଟାଲୀ, ଫ୍ରାନ୍ସ, ଗ୍ରୀସ୍, ସ୍ପେନ୍ ଓ ପର୍ତ୍ତୁଗାଲ ଏବଂ ଭାରତ ଭିତରେ ଡେରାଡୁନ, ମସୌରି, ଋଷିକେଶ, ଶିମ୍ଲା, ଜିମ୍ କରବେଟ ଏବଂ ରାଜସ୍ଥାନର ଉଦୟପୁର ଓ ଜୟପୁର ଭାରତୀୟଙ୍କ ଶୀର୍ଷ ପସନ୍ଦ ହୋଇଛି।