Categories: ଖେଳ

ଜାତୀୟ କ୍ରୀଡ଼ା ପାଇଁ ଶ୍ରଦ୍ଧାଞ୍ଜଳି ଓଡ଼ିଶା ମହିଳା ଫୁଟବଲ କୋଚ୍‌

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି): ଆସନ୍ତା ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଗୁଜରାଟରେ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ମହିଳା ଫୁଟବଲ ଖେଳାଳିଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜାତୀୟ କ୍ରୀଡ଼ା ପାଇଁ ଏକ ସୁସଙ୍ଗଠିତ ମହିଳା ଫୁଟବଲ ଦଳ ଗଠନ କରିବାକୁ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ପୂର୍ବତମନ ଭାରତୀୟ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ କୋଚ୍‌ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ରାଜ୍ୟଠାରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସେ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଛନ୍ତି। ତେଣୁ ଏବେ ମିଳିଥିବା ଗୁରୁଦାୟିତ୍ୱକୁ ମଧ୍ୟ ସେ ଠିକ୍‌ଭାବେ ତୁଲାଇ ପାରିବେ ବୋଲି ଦୃଢ଼ ଆଶା ରଖିଛନ୍ତି। ପ୍ରକାଶଯୋଗ୍ୟ ଯେ, ଗତ ସପ୍ତାହରେ ଦିଲ୍ଲୀଠାରେ ଅନୁଷ୍ଠିତ ଫିଫା ଲିଜେଣ୍ଡ୍ସ ମ୍ୟାଚ ଖେଳି ଶ୍ରଦ୍ଧାଞ୍ଜଳି ରାଜ୍ୟ କ୍ରୀଡ଼ା ପାଇଁ ଗୌରବ ଆଣିଥିଲେ। ଗତ ୧୧ ବର୍ଷ ମଧ୍ୟରେ ସେ କେବଳ ରାଜ୍ୟ ଦଳ ନୁହେଁ ଜାତୀୟ ଦଳରେ ମଧ୍ୟ କୋଚିଂ ଦାୟିତ୍ୱକୁ ଦକ୍ଷତାର ସହ ସମ୍ପାଦନ କରିଛନ୍ତି। ଏଥିପାଇଁ ସେ ନିଯୁକ୍ତିଦାତା ନାଲ୍‌କୋ, ଫାଓ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶା ମହିଳା ଫୁଟବଲର କୋଚିଂ କ୍ୟାମ୍ପ କିଟ୍‌ ପରିସରରେ ୧୧ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଚାଲିବ।

Share