ଗୁଡ଼ାରି,୧୬ା୧୦(ପ୍ରମୋଦ କୁମାର ପତି): ଗୁଡ଼ାରି ଅଞ୍ଚଳରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଲୋକଙ୍କ ମନରେ ଭଗବାନଙ୍କ ପ୍ରସାଦ ବାଣ୍ଟିବା ଥିଲା ମୂଳ ଲକ୍ଷ୍ୟ। ସ୍ଥାନୀୟ ସହରର ଗ୍ରାମଦେବୀ ଠାକୁରାଣୀଙ୍କ ମନ୍ଦିର ନିକଟରେ ଆପ୍ରାଣ ଉଦ୍ୟମ କରି ପ୍ରତିଷ୍ଠା କରିଥିଲେ ‘ଦିବ୍ୟ ଜୀବନ ସଂଘ’। ଅଞ୍ଚଳର ଜଣାଶୁଣା ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମିକ ଗୁରୁ ଦିବ୍ୟସିଂହ ମିଶ୍ର (୯୩) ବର୍ଷ ବୟସରେ ଗୁରୁବାର ରାତିରେ ବ୍ରହ୍ମପୁରରେ ଚିକତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ସେଠାରେ ଜ୍ୟେଷ୍ଠପୁତ୍ର ଗୌରୀଶଙ୍କର ମିଶ୍ର ଉପସ୍ଥିତ ଥିଲେ ଏବଂ ସ୍ବର୍ଗତ ମିଶ୍ରଙ୍କ ମର ଶରୀର ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ନିଜ ମାଟି ଗୁଡ଼ାରିରେ ପହଞ୍ଚିଥିଲା। ପବିତ୍ର ବଂଶଧାରା ନଦୀ ତଟରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଖବର ପ୍ରସାରିତ ପରେ ଗୁଡ଼ାରି ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।