ନୂଆଦିଲ୍ଲୀ,୧୫।୭: ସ୍ପାଇସଜେଟର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନ SG ୯୨୮୨ ରେ ସୋମବାର ହଙ୍ଗାମା ହୋଇଥିଲା ଯେତେବେଳେ ଦୁଇଜଣ ଯାତ୍ରୀ ଟ୍ୟାକ୍ସିଂ କରିବା ସମୟରେ ଅନୁଶାସନହୀନତା ଦେଖାଇ ଜୋରଜବରଦସ୍ତ କକପିଟ ଆଡକୁ ଯିବାକୁ ଚେଷ୍ଟା କରିଥିଲେ। ସ୍ପାଇସଜେଟ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି।
ସ୍ପାଇସଜେଟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ‘କେବିନ କ୍ରୁ, ଅନ୍ୟ ଯାତ୍ରୀ ଏବଂ କ୍ୟାପଟେନଙ୍କ ଦ୍ୱାରା ବାରମ୍ବାର ଅଟକାଇବା ସତ୍ତ୍ୱେ, ଉଭୟ ଯାତ୍ରୀ ସେମାନଙ୍କ ସିଟକୁ ଫେରିବାକୁ ପ୍ରସ୍ତୁତ ନଥିଲେ।’ ଯାତ୍ରୀ ଏବଂ କ୍ରୁଙ୍କ ସୁରକ୍ଷାକୁ ଧ୍ୟାନରେ ରଖି, ବିମାନ କ୍ୟାପଟେନ ବିମାନକୁ ରନୱେ ଆଡକୁ ନେବା ପରିବର୍ତ୍ତେ ପୁଣି ବେ କୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ, ଉଭୟ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ CISFକୁ ହସ୍ତାନ୍ତର କରାଯାଇଥିଲା।
ପୂର୍ବରୁ ୧୩ ଜୁଲାଇରେ ସ୍ପାଇସଜେଟର ପୁଣେ-ଦିଲ୍ଲୀ ବିମାନ SG-୯୧୪କୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ରନୱେରୁ ଫେରିବାକୁ ପଡିଥିଲା। ବିମାନଟି ମଧ୍ୟାହ୍ନ ୧୨ଟାରେ ଛାଡିବାର ଥିଲା, କିନ୍ତୁ ପ୍ରାୟ ୯ ଘଣ୍ଟା ବିଳମ୍ବ ପରେ ରାତି ୯ଟା ୦୫ରେ ଉଡ଼ାଣ ଆରମ୍ଭ କରିଥିଲା।


