Posted inଫୁରସତ

ଦବିଲା ଦବିଲା ସ୍ବର କହୁଛି ସଂଘର୍ଷର କଥା

ଆଉ ଅସୂର୍ଯ୍ୟଂପଶ୍ୟା ହୋଇ ରହିନି ଆଜିର ନାରୀ। ଚୁଲି ମୁଣ୍ଡରେ ନିଜର ସ୍ବପ୍ନକୁ ଜାଳି ଦେଉଥିବା ଗୃହବଧୂ ଏବେ ଧାଡ଼ି ଆଗକୁ ଯିବାର ସଙ୍କଳ୍ପ ନେଇସାରିଛି। ଦବିଲା ଦବିଲା ସ୍ବର ତା’ର କହୁଛି ସଂଘର୍ଷର କଥା। ପୁରୁଷଙ୍କ ସହ ସମାନ ହୋଇ ସମ୍ମାନର ସହ ବଞ୍ଚତ୍ବାର ରାସ୍ତା ବି ତିଆରି କରି ଚାଲିଛି। ଯେଉଁ ରାସ୍ତାରେ ସଂରକ୍ଷଣର କଥା ଆସୁଛି, ସଶକ୍ତୀକରଣର ସ୍ବର ଶୁଭୁଛି। ଲିଙ୍ଗଗତ ସମାନତାର କଥା ବି କୁହାଯାଉଛି। ତେବେ ନାରୀଟିଏ ନାରୀ ହୋଇ ବଞ୍ଚତ୍ବା ପାଇଁ ଏସବୁ ସତରେ କେତେ ଗୁରୁତ୍ୱ ରଖୁଛି ତାକୁ ନେଇ କ’ଣ କୁହନ୍ତି ଆଜିର ନାରୀମାନେ…

ସବୁ କ୍ଷେତ୍ରରେ ସହଭାଗିତା ରହୁ -ମିନତି ବେହେରା
ସେ ସମାନତାରେ ବିଶ୍ୱାସ ରଖନ୍ତି। ସହଭାଗିତାର କଥା କୁହନ୍ତି। ତାଙ୍କ ମତରେ ନାରୀଟିଏ ସେହିଦିନ ସମ୍ମାନର ସହ ଜିଇପାରିବ, ଯେବେ ପ୍ରତିକ୍ଷେତ୍ରରେ ତା’ର ପୁରୁଷ ସହ ସହଭାଗିତା ରହିପାରିବ। ଇଏ ହେଲେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ରେଭେନ୍ସାରେ ପିଜି କରିବା ପରେ ଏଲ୍‌ଏଲ୍‌ବି କରନ୍ତି। ଅଧ୍ୟାପିକା ଭାବରେ ଚାକିରିରେ ଯୋଗ ଦେବାର ଥାଏ। କିନ୍ତୁ ପରିସ୍ଥିତି ବଦଳିଯାଏ। ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲା ପରିଷଦ ପାଇଁ ନିର୍ବାଚନ ଲଢ଼ି ସଫଳ ହୁଅନ୍ତି। ଆଉ ଏହିଠାରୁ ଆରମ୍ଭ ହୁଏ ତାଙ୍କର ଉଭୟ ରାଜନୈତିକ ଓ ସମାଜ ସେବାର ଯାତ୍ରା। ବିଭିନ୍ନ ସାମାଜିକ ଓ ରାଜନୈତିକ ଅନୁଷ୍ଠାନର ବିଭିନ୍ନ ପଦପଦବୀରେ ରହିଥିବା ମିନତି ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଥିଲେ ଭିନ୍ନକ୍ଷମ କମିଶନର ଚେୟାରମ୍ୟାନ୍‌। ପରେ ୨୦୧୮-୨୦୧୯ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଦାୟିତ୍ୱ ତୁଲାଇବା ପରେ ୨୦୧୯ ଅଗଷ୍ଟ ୨୦ ତାରିଖରେ ମହିଳା କମିଶନ ଅଧ୍ୟକ୍ଷାଭାବେ ଦାୟିତ୍ୱ ନିଅନ୍ତି। ଆଉ ତାଙ୍କର ପ୍ରଥମ କର୍ତ୍ତବ୍ୟ ଭାବରେ ଧରିନିଅନ୍ତି କେମିତି ପ୍ରତିଟି ମହିଳା ସମାଜରେ ସମ୍ମାନର ସହ ବଞ୍ଚିପାରିବ। ମିନତି କୁହନ୍ତି, ‘ଯେତେବେଳେ ମୁଁ ଦାୟିତ୍ୱ ନେଲି ଦେଖିଲି ଗୋଟେ କେସ୍‌ର ଡେଟ୍‌ ପଡିବାକୁ ମାସକରୁ ଅଧିକ ସମୟ ଲାଗିଯାଉଥିଲା। ମୁଁ ତାକୁ ପନ୍ଦର ଦିନକୁ ନେଇ ଆସିଲି। ଏମିତିକି ଗୋଟେ ଗୋଟେ କେସ୍‌ ଦୁଇ ତିନି ଦିନରେ ମଧ୍ୟ ସମାଧାନ ହୋଇଛି। ଜଏନ୍‌ କରିବା ବେଳେ ୧୨ ହଜାର କେସ୍‌ ଥିଲା। ଏବେ ୬ହଜାର ୫ଶହ ଅଛି। ମାର୍ଚ୍ଚ ବେଳକୁ ୬ ହଜାର ତଳକୁ ରହିବ ବୋଲି ଆଶା। କରୋନା ସମୟରେ ସାମ୍‌ନା ସାମ୍‌ନି କାଉନ୍‌ସେଲିଂ କରିବା ସମ୍ଭବ ନ ଥିଲା। କିନ୍ତୁ ଭର୍ଚୁଆଲ୍‌ କାଉନ୍‌ସେଲିଂ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଛୁ। କାଉନ୍‌ସେଲିଂ ପରେ ବହୁତ କେସ୍‌ ସମାଧାନ ହୋଇପାରିଛି। ବିଶେଷ କରି ଏହି ସମୟରେ ଆମେ ଆଉ ଗୋଟିଏ କାମ କରିଛୁ। ମହିଳାମାନଙ୍କ ପାଇଁ କ’ଣ ଅଧିନିୟମ ରହିଛି, କ’ଣ ସାମ୍ବିଧାନିକ ଓ ଆଇନଗତ ବ୍ୟବସ୍ଥା ରହିଛି- ସେସବୁକୁ ଆମେ ଓଡ଼ିଆରେ ପ୍ରଶ୍ନ ଉତ୍ତର ପ୍ରସ୍ତୁତ କରି ବହି କରିଛୁ। ଆଉ ଏ ଭିତରେ ୧୦ରୁ ୧୫ ହଜାର ବହି ବାଣ୍ଟି ସାରିଛୁ। ଆମେ ଚାହିଁଛୁ ପ୍ରତ୍ୟେକ ମହିଳା ଜାଣନ୍ତୁ ଯେ, ତାଙ୍କ ପାଇଁ କ’ଣ ସବୁ ଆଇନଗତ ଦିଗ ରହିଛି। ଅଧିକାଂଶ ଅଶିକ୍ଷିତ ମହିଳା ଜାଣି ନ ଥାନ୍ତି ଯେ, ସେମାନେ ନ୍ୟାୟ ପାଇଁ କାହା ପାଖରେ ଅଭିଯୋଗ କରିବେ। ଅଧିକାଂଶ କ୍ଷେତ୍ରରେ ଲଜ୍ଜା ଯୋଗୁ ଇଜ୍ଜତ ଯିବାର ଭୟରେ ଅନେକ ମହିଳା ଚୁପ୍‌ ରହିଯାନ୍ତି। ଜାଣି ପାରନ୍ତି ନାହିଁ ସେମାନେ କେଉଁଠି ଓ କାହା ପାଖରେ ଅଭିଯୋଗ କରିବେ। ଏହି ପୁସ୍ତକଟି ଏହିକ୍ଷେତ୍ରରେ ସେମାନଙ୍କୁ ବହୁତ ସାହାଯ୍ୟ କରିବ। ମିଶନ ଶକ୍ତି ମା’ମାନଙ୍କୁ ଏହି ପୁସ୍ତିକା ବଣ୍ଟାଯାଇଛି। ଆମେ ଚାହୁଁଛୁ ପ୍ରତ୍ୟେକ ମହିଳା ତାଙ୍କ ଅଧିକାର ସମ୍ପର୍କରେ ଜାଣନ୍ତୁ। ଆମେ ଜେଣ୍ଡର ଇକ୍ୱାଲ୍‌ଟି କଥା କହୁଛେ, ଯାହା କି ଏ ବର୍ଷ ମହିଳା ଦିବସର ଥିମ୍‌ ବି ରହିଛି। ଏହି ସମାନତା ଆମ ପ୍ରାଥମିକ ସ୍ତରରୁ ଅର୍ଥାତ୍‌ ପରିବାରରୁ ଆସିବା ଦରକାର। ଯେଉଁ ସୁବିଧା ଆମେ ପୁଅକୁ ଦେଇଛୁ ସେହି ସୁବିଧା ଆମେ ଝିଅକୁ ଆଦୌ ଦେଉନାହୁଁ। ପ୍ରଥମେ ଏହି ମାନସିକତା ବଦଳିବା ଦରକାର। ତେବେ ସବୁଠୁ ବଡ଼ କଥା ମହିଳାଟିଏ ସଶକ୍ତ ହେବା ଦରକାର। ବୁଝିବା ଦରକାର ଯେ ଯେଉଁଠି ଅଧିକାର ମିଳୁନି ସେଠାରେ ଅଭିମାନ ନ କରି ଅଧିକାର ଛଡେଇ ଆଣିବା ଦରକାର।
ତେବେ ଯେଉଁ ଗୋଟିଏ କଥା ବାରମ୍ବାର ପ୍ରଶ୍ନ ହୋଇ ଛିଡାହୋଇଛି ସେଇଟା ହେଲା ଜଣେ ମହିଳା ଆଗକୁ ଯିବା ପାଇଁ ସଂରକ୍ଷଣ ଜରୁରୀ କି ନା? ଏ ନେଇ ମିନତିଙ୍କର ସ୍ପଷ୍ଟ ମତ ଯେ, ‘ସଂରକ୍ଷଣ ଜରୁରୀ’। ଏଇଥିପାଇଁ ଯେ ମହିଳାମାନେ ସ୍ବାଭିମାନୀ । ସମସ୍ତଙ୍କ ସ୍ବାର୍ଥ ପାଇଁ ସେ ନିଜକୁ ସବୁବେଳେ ବଳି ଦେବାକୁ ପ୍ରସ୍ତୁତ। ସାଲିସ କରିବାକୁ ପ୍ରସ୍ତୁତ। ତେଣୁ ରାଜନୀତି କ୍ଷେତ୍ରରେ ହେଉ କି ଚାକିରି କ୍ଷେତ୍ରରେ ହେଉ, ସଂରକ୍ଷଣ ରହିବାଦ୍ୱାରା ମହିଳାଟିଏ ଆଗକୁ ଯାଇପାରୁଛି। ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ମହିଳା ସିଟ୍‌ ହେବା ପରେ ବହୁତ ମହିଳା ଆଗକୁ ଆସିଛନ୍ତି। ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ନ ହୋଇ ୫୦ ପ୍ରତିଶତ ସଂରକ୍ଷଣ ରହିଲେ ମହିଳାମାନେ ଅର୍ଥନୈତିକ ସ୍ତରରେ ସ୍ବାବଲମ୍ବୀ ହୋଇପାରିବେ। ଅର୍ଥନୈତିକ ସ୍ଥିତି ସୁଦୃଢ଼ ହେଲେ ନିର୍ଯାତନା ହାର ନିଶ୍ଚିତ ଭାବରେ ହ୍ରାସ ପାଇବ। ନାରୀଟିଏ ସ୍ବାଧୀନ ଭାବରେ ବଞ୍ଚିପାରିବ। ଗରିବ ଝିଅମାନଙ୍କୁ ବିଭିନ୍ନ ବୈଷୟିକ ଶିକ୍ଷା ଓ ଉଚ୍ଚ ଶିକ୍ଷାକୁ ମାଗଣା କରାଯାଉ। କାରଣ ପରିବାରର ଆର୍ଥିକ ଚାପରେ ଅନେକ ମେଧାବୀ ଝିଅ ଆଗକୁ ପଢି ପାରନ୍ତି ନାହିଁ। ଏଠାରେ ସଂରକ୍ଷଣ ଜରୁରୀ ହୋଇ ପଡେ। ପ୍ରତି ମୁହୂର୍ତ୍ତରେ ମହିଳାମାନଙ୍କ ପାଇଁ ଲଢୁଥିବା ମିନତି ବେହେରାଙ୍କ ବିଶ୍ୱାସ ସେହିଦିନ ନାରୀଟିଏ ସମ୍ମାନର ସହ ବଞ୍ଚିପାରିବ ଯେଉଁଦିନ ତାକୁ ଅର୍ଥନୈତିକ ସ୍ବାଧୀନତା ମିଳିବା ସହ ପ୍ରତ୍ୟେକ କ୍ଷେତ୍ରରେ ତା’ର ସହଭାଗିତା ରହିବ।

ସଂରକ୍ଷଣ ନୁହେଁ ସଶକ୍ତୀକରଣ ଆବଶ୍ୟକ-ସରୋଜିନୀ ସାହୁ
ସରୋଜିନୀ ସାହୁ। ଓଡ଼ିଆ ସାହିତ୍ୟର ଏକ ନିଆରା ସ୍ବର। ସେ ସ୍ବର ଯେତିକି ସ୍ପଷ୍ଟ, ସେତିକି ନିର୍ଭୀକ, ଯାହା ଦେଖିବାକୁ ମିଳେ ତାଙ୍କ ଗଳ୍ପ, ଉପନ୍ୟାସଗୁଡ଼ିକରେ। ଯେଉଁଥିପାଇଁ ଚର୍ଚ୍ଚା ହେଇଛି, ଝଡ଼ ଉଠିଛି। କିନ୍ତୁ ତାଙ୍କ ଦୃଢ଼ତା ଆଗରେ ସବୁ ହାର୍‌ ମାନିଛି। ଛଳନାକୁ ପସନ୍ଦ କରନ୍ତି ନାହିଁ କି ଲେଖକୀୟ ଖୋଳପା ପିନ୍ଧି ଲେଖନ୍ତି ନାହିଁ। ପିଲାବେଳୁ ହିଁ ସେ ବେଶ୍‌ ସ୍ପଷ୍ଟବାଦୀ। ସରୋଜିନୀ କୁହନ୍ତି‘ମୁଁ ନାରୀ ହୋଇଥିବାରୁ ମୋ ଅଧିକାଂଶ ଗଳ୍ପର ମୁଖ୍ୟ ଚରିତ୍ର ନାରୀ ହିଁ ଥାଏ। ମୁଁ ବିଶ୍ୱାସ କରେ ସାମାଜିକ, ଶାରୀରିକ ଓ ମାନସିକ ସ୍ତରରେ ନାରୀ ପୁରୁଷଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନାରୀର ବିଭିନ୍ନ ଅବସ୍ଥା ଓ ଭୂମିକାକୁ ନେଇ ମୋର ଗଳ୍ପ ଗତିଶୀଳ। କାହିଁକି ନା ଏସବୁକୁ ମୁଁ ଅଙ୍ଗେ ନିଭାଇଛି। ଏହା କେବଳ ନିଚ୍ଛକ ଅନୁଭବର କଥା।’ ଏହାକୁ ନେଇ ତାଙ୍କୁ କେହି ବାମାବାଦୀ କହିବା ଉଚିତ ନୁହେଁ। ତାଙ୍କ ପାଇଁ ନାରୀ ଯେମିତି ସ୍ବତନ୍ତ୍ର,ପୁରୁଷ ବି ସେମିତି ସ୍ବତନ୍ତ୍ର। ନାରୀ ସଶକ୍ତୀକରଣକୁ ନେଇ ସେ କୁହନ୍ତି, ଜୈବିକ ଦୃଷ୍ଟିରୁ ବିବେଚନା କଲେ ନାରୀର ଶାରୀରିକ ବିକାଶ ପୁରୁଷଙ୍କଠାରୁ ଭିନ୍ନ। ସେହି କାରଣରୁ ମଣିଷ ସମାଜରେ ଶାରୀରିକ ଶକ୍ତି ଧାରଣ କରିଥିବା ପୁରୁଷ ସବୁବେଳେ ନାରୀକୁ କବଳିତ କରି ରଖିଛି। ଧୀଶକ୍ତି ଦୃଷ୍ଟିରୁ ଦେଖିବାକୁ ଗଲେ ଉଭୟ ହିଁ ସମାନ, କେହି କାହାଠୁଁ ଊଣା ନୁହନ୍ତି। ଅସୁବିଧାଟି ହେଉଛି ବର୍ଷ ବର୍ଷ ଧରି ନାରୀ ଘର କୋଣରେ ବସି ରହିବା ଫଳରେ ଅନେକ ଅନୁଭୂତି ଓ ଅଭିଜ୍ଞତାରୁ ସେ ବଞ୍ଚତ୍ତା। ଫଳରେ ବାଘ ଠୁଁ ଫାଗକୁ ସେ ଡରି ଆସିଛି। ତେଣୁ ନାରୀ ସଶକ୍ତୀକରଣର ଆବଶ୍ୟକତା ରହିଛି। ମାତ୍ର କୋଟା ବା ସଂରକ୍ଷଣର ନୁହେଁ, ବରଂ ନିଜେ ନାରୀ ହିଁ ଲଢ଼ିବାକୁ ବାହାରି ଆସିବା ଉଚିତ। ଅନ୍ତତଃ ନାରୀ ତା’ ଅନ୍ତଃକରଣରେ ଭୟଶୂନ୍ୟ ହୋଇ ବିଭିନ୍ନ ସାମାଜିକ ବ୍ୟବସ୍ଥାରେ ନିଜକୁ ସ୍ଥାପିତ କରିବା ଉଚିତ। ଏବେ ବି ମୁଁ ଲକ୍ଷ୍ୟ କରିଛି, ସଂରକ୍ଷଣରେ ରାଜନୀତିକୁ ଓହ୍ଲାଇଥିବା ଅନେକ ନାରୀ ପ୍ରକୃତରେ ନାମମାତ୍ର ହିଁ। ସେତେବେଳେ ଜଣେ ନାରୀ ସଶକ୍ତ ହେବ ଯେତେବେଳେ ନିଜ ଦକ୍ଷତାରେ ସେ କିଛି କରିବାକୁ ସମର୍ଥ ହେବ। ପୁରୁଷର ହାତବାରିସି ହେବା ଅପେକ୍ଷା ସମତାଳ ସମଲୟ ସମାସ୍କନ୍ଦ ହୋଇ ଚାଲିଲେ ହିଁ ସେ ସଶକ୍ତ ବୋଲି ବୁଝିହେବ। ତା’ ପୂର୍ବରୁ ନୁହେଁ।
ଗୋଟେ ସମତୁଲ ସମାଜ ପରିକଳ୍ପନା ମୁଁ କରେ। ପରସ୍ପରର ସହଯୋଗିତାରେ ସହଭାଗିତାରେ ଗୋଟିଏ ସୁନ୍ଦର ସମାଜ ଗଢ଼ିବାର ପ୍ରୟାସ କରିବା ଉଚିତ। ବିଶ୍ୱ ନିୟନ୍ତାଙ୍କ ସୃଷ୍ଟିରେ କେହି ନୂ୍ୟନ ନୁହେଁ କି କେହି ବୃହତ୍‌ ନୁହେଁ। ସମଧର୍ମ ହିଁ। କୁହାଯାଏ ଗୋଟିଏ ସଫଳ ପୁରୁଷ ପଛରେ ନାରୀଟିଏର ହାତ ଥାଏ। ଠିକ୍‌ ସେହିଭଳି ଗୋଟିଏ ସଫଳ ନାରୀ ପଛରେ ପୁରୁଷଟିଏର ବି ହାତ ଥାଏ। ସମାଜରେ ଦୁଇଟି ଚକକୁ ବାଲାନ୍ସ କରି ନାରୀ ଓ ପୁରୁଷ ଏକ ସୁସ୍ଥ ପରମ୍ପରା ତିଆରି କରନ୍ତୁ, ଏହା ହିଁ କାମନା। ତେବେ ସମୟ ବଦଳିବା ସହିତ ଏବେ ମେଟ୍ରୋ ସିଟିଗୁଡିକରେ କାମ କରୁଥିବା ଯୁବପିଢ଼ିଙ୍କ ଭିତରେ ଏକ ଜେଣ୍ଡର ଇକ୍ୱାଲିଟି ବେଶ୍‌ ପରିଲକ୍ଷିତ ହେଉଛି। ପୂର୍ବରୁ ରୋଷେଇ ଘର ପାଦ ମାଡୁ ନ ଥିବା ପୁରୁଷ ଏବେ ସ୍ତ୍ରୀକୁ ସାହାଯ୍ୟ କରିବାକୁ ପଛାଉ ନାହିଁ। ସ୍ତ୍ରୀ ମଧ୍ୟ କର୍ମକ୍ଷେତ୍ରରେ ବେଶ୍‌ ସକ୍ରିୟ। ରୂଢ଼ିବାଦୀ ଧାରଣାରୁ ଓହରି ଆସି ଆମକୁ ଏଇ ନୂଆ ପିଢ଼ିକୁ ସ୍ବାଗତ କରିବା ଉଚିତ। ତେବେ ଯାଇ ପୁରାଣ କଥିତ ‘ଅର୍ଦ୍ଧନାରୀଶ୍ୱର’ ଚେତନାଟି ସତ୍ୟ ହେବ।

ନାରୀ ସବୁବେଳେ ସଶକ୍ତ: କୃଷ୍ଣା ମହାନ୍ତି- ଶିକ୍ଷାବିତ୍‌, ସାମାଜିକକର୍ମୀ କୃଷ୍ଣା ମହାନ୍ତି ଅନେକ ଦଶନ୍ଧି ଧରି ଅନୁଗୋଳର ବାଜିରାଉତ ଛାତ୍ରାବାସ ପରିଚାଳନା କରିଆସୁଛନ୍ତି ଯାହା ଦଳିତ, ବଞ୍ଚିତ ତଥା ଆଦିବାସୀ ପିଲାଙ୍କ ପାଇଁ ଶିକ୍ଷାର ଏକ ମନ୍ଦିର । ଶାନ୍ତି ନିକେତନ ଢାଞ୍ଚାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ପିଲାଙ୍କୁ ସେମାନଙ୍କର ଶୈଶବର ସ୍ବଚ୍ଛନ୍ଦତା ଓ କୈଶୋରର ସ୍ବପ୍ନପ୍ରବଣତା ଦିଏ । ସେମାନଙ୍କ ଭିତରର ସ୍ଫୁଲିଙ୍ଗ ଟିକକକୁ ଶିଖାରେ ପରିଣତ କରିବା ଲାଗି ସେ ଦିନ ରାତି ଏକାକାର କରି ଲାଗିଛନ୍ତି । ଅଶୀତିପର ବୟସରେ ତାଙ୍କଠାରେ କ୍ଳାନ୍ତି ଲେଶମାତ୍ର ଦେଖିବାକୁ ମିଳେ ନାହିଁ। ଅଧିକନ୍ତୁ ଆଖିରେ ତାଙ୍କର ଅସୁମାରି ସ୍ବପ୍ନ ଏକ ସୁସ୍ଥ ତଥା ବିକଶିତ ସମାଜ ପାଇଁ । ଅରଟରେ ସୂତା କାଟିବାଠାରୁ ଆରମ୍ଭ କରି ପିଲାଙ୍କୁ ନୃତ୍ୟ, ଚିତ୍ରକଳା, ସଙ୍ଗୀତ ଶିଖାଇବା ଯାଏ ସବୁକାମରେ କ୍ରିଷ୍ଣା ମହାନ୍ତି ଏବେ ବି ତତ୍ପର। ନାରୀ ସଶକ୍ତୀକରଣକୁ ନେଇ କୃଷ୍ଣା କୁହନ୍ତି, ‘କେଉଁ ପରିସ୍ଥିତି ନାରୀମାନଙ୍କୁ ସଶକ୍ତୀକରଣ କଥା ଭାବିବାକୁ ବାଧ୍ୟ କରିଥିଲା ? ନାରୀ କେବଳ ପୁରୁଷଙ୍କର ଭୋଗ୍ୟବସ୍ତୁ ହୋଇ ରହିବ ବୋଲି ଭାବୁଥିବା ଏବଂ ତା’ ଉପରେ ନିଜର ମାଲିକାନା ସ୍ବତ୍ୱ ବଜାୟ ରଖିବାକୁ ଚାହୁଁଥିବା ପୁରୁଷପ୍ରଧାନ ସମାଜରୁ ଆପଣାକୁ ମୁକ୍ତ କରିବା ପାଇଁ ଚାହୁଁଥିବା କେତେଜଣ ମହିଳା ନାରୀ ସଶକ୍ତୀକରଣ କଥା ଭାବିଲେ। ମୁଁ ମନେକରେ ନାରୀ ସବୁବେଳେ ସଶକ୍ତ। ତା’ ନ ହେଲେ ସେ ସନ୍ତାନ ପ୍ରସବ ଭଳି କଷ୍ଟ କାମ କରୁଛି, ପୁଣି ସେ ଇଚ୍ଛା କଲେ ପୁରୁଷ ସହିତ ସମାନ ହୋଇ ପ୍ରାୟ ସବୁ କାମ କରିପାରୁଛି। ପୁରୁଷ ଯେପରି କେତେକ କାମ କରିବାକୁ ଅକ୍ଷମ, ସେହିପରି କେତେଜଣ ନାରୀ ମଧ୍ୟ ସବୁ କାମ କରିବାକୁ ଅକ୍ଷମ ଥାଆନ୍ତି । କ୍ଷମତା ବା ଅକ୍ଷମତା ଉପରେ ଅଧିକାର ନିର୍ଭର କରେନାହିଁ। ଶାରୀରିକ ଓ ମାନସିକ ଶକ୍ତି ଉପରେ କ୍ଷମତା ନିର୍ଭର କରେନାହିଁ । ପୌରାଣିକ ଯୁଗ ହେଉ ବା ବେଦ, ଉପନିଷଦରେ ହେଉ ଆମେ ଏହାର ବହୁ ଉଦାହରଣ ଦେଖିବାକୁ ପାଉ। ଏହି ଆଧୁନିକ ଯୁଗରେ ମଧ୍ୟ ଆମେ ବହୁ ସଂଗ୍ରାମ ଦେଖିଲେ, ସଶସ୍ତ୍ର ଓ ମହାତ୍ମା ଗାନ୍ଧୀଙ୍କ ଅହିଂସା ସ୍ବାଧୀନତା ସଂଗ୍ରାମର ପ୍ରତ୍ୟକ୍ଷ ପ୍ରମାଣ ରହିଛି। ନାରୀ ଓ ପୁରୁଷ କାନ୍ଧକୁ କାନ୍ଧ ମିଳାଇ ସଂଗ୍ରାମ କଲେ। କେଉଁଠି ପୁରୁଷର ଶକ୍ତି ଅଧିକ ତ କେଉଁଠି ନାରୀର ଅଧିକ ଆବଶ୍ୟକ ଈଶ୍ବର ପ୍ରଦତ୍ତ କୁହନ୍ତୁ ବା ପ୍ରକୃତି ପ୍ରଦତ୍ତ କୁହନ୍ତୁ ଆପଣା ଆପଣା ଶକ୍ତି ଅନୁଯାୟୀ କାମ କରିବେ। ପ୍ରତିଯୋଗିତାର ପ୍ରଶ୍ନ ନାହିଁ। ତେବେ ସମ ଅଧିକାର ତ ନିଶ୍ଚିତ ଭାବରେ ରହିବ। ଏ ଶତାବ୍ଦୀରେ ଏହାକୁ ନେଇ ପ୍ରଶ୍ନ କାହିଁକି ? ଗୋଟିଏ ଗାଡ଼ିର ଦୁଇଟି ବା ବହୁ ଅଧିକ ଚକ ଥାଏ ଏବଂ ପ୍ରତ୍ୟେକଟି ଚକ ମହତ୍ତ୍ୱପୂର୍ଣ୍ଣ, ସେହିପରି ନାରୀ ଓ ପୁରୁଷ ଆପଣା ସ୍ଥାନରେ ମହତ୍ତ୍ବପୂର୍ଣ୍ଣ ଏକଥା ଆମେ ବୁଝିଗଲେ ଅଧିକାର ଯେ ସମାନ ତାହା ମଧ୍ୟ ବୁଝିବା। ପରସ୍ପରକୁ ସମ୍ମାନ କରିବା ଏବଂ ପରିବାର ହେଉ ବା ସମାଜ ପରିଚାଳନାରେ ଯେଝା ଭୂମିକା ନିର୍ବାହ କରିବେ ଏକ ଅନ୍ୟର ପରିପୂରକ ଭାବରେ ।

ନାରୀକୁ ତା’ର ଅନ୍ତଃସାମର୍ଥ୍ୟ : ଭବାନୀ ଭୂୟାଁ- ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନରେ ‘ସେଠାକାର ଲୋକଙ୍କ ଆଖିରେ ସ୍ଥାନୀୟ ରମାଦେବୀ ନାମରେ ପରିଚିତା ଭବାନୀ ଭୂୟାଁ ଜଣେ କବି, ଚିତ୍ରକର, ସମ୍ପାଦିକା ଏବଂ ସାମାଜିକ କର୍ମୀ । ଗଲା ବତିଶ ବର୍ଷ ଧରି ବିଭିନ୍ନ ସାମାଜିକ ଆନ୍ଦୋଳନ ଯଥା ମଦ ବିରୋଧୀ ଆନ୍ଦୋଳନ, ଗୋପାଳପୁର ଟାଟା ବିରୋଧୀ ଆନ୍ଦୋଳନ, ପୋସ୍କୋ ବିରୋଧୀ ଆନ୍ଦୋଳନ, ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ସିପସରୁବାଲି ଆନ୍ଦୋଳନ, ବିଭିନ୍ନ ପରିବେଶ ଆନ୍ଦୋଳନ ସହ ଜଡିତ ହୋଇଛନ୍ତି ଭବାନୀ। ଅନେକ ସମୟରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଗଣସଙ୍ଗୀତ ପରିବେଷଣ କରୁଥିବା ଭବାନୀ ଭୂୟାଁଙ୍କ ସ୍ବର ସ୍ପଷ୍ଟ ଓ ନିର୍ଭୀକ ।
ନାରୀ ସଶକ୍ତୀକରଣର ଆବଶ୍ୟକତାକୁ ନେଇ ଭବାନୀ କୁହନ୍ତି,‘ତଥାକଥିତ ନାରୀ ସଶକ୍ତୀକରଣ ଏକ ରାଜନୈତିକ ଶସ୍ତା ପ୍ରଚାର । ନାରୀ ସଶକ୍ତୀକରଣ ନାଁରେ କିଛି ମହିଳାଙ୍କୁ ପକେଟ୍‌ରେ ରଖି ନିଜର ଭୋଟ ବ୍ୟାଙ୍କକୁ ଗଚ୍ଛିତ ରଖିବା ହେଉଛି ଏକ ରାଜନୈତିକ କୌଶଳ । କେରାଣ୍ଡି ଗୁନ୍ଥି ବାଳିଆ ଧରିବାର ଏକ ହୀନ ରାଜନୈତିକ ଚକ୍ରାନ୍ତ ହେଉଛି ନାରୀ ସଶକ୍ତୀକରଣ । ନାରୀ ନିଜେ ସଶକ୍ତ । ପୁରୁଷ ସହିତ ସମାନ ଅଧିକାରର ଭାଗୀଦାର ସେ । ମହିଳାମାନଙ୍କ ପାଇଁ ୩୦% କରାଗଲା, ୪୦% ସଂରକ୍ଷଣ କରାଗଲା ଏ ସବୁ ଦୟା କାହିଁକି ? ନାରୀ ପୁରୁଷ ସହିତ ସମକକ୍ଷ, ପୁରୁଷ ସହ ସମସ୍ତ କ୍ଷେତ୍ରରେ ନିଜକୁ ନିୟୋଜିତ କରିବ, ପୁରୁଷ ସହ ସମାନ ତାଳରେ ଚାଲିବ ତେଣୁ ଦୟା କରିବାର ପ୍ରଶ୍ନ ଆସିବ କୁଆଡୁ ? କେହି ତାକୁ ଦୟା କରି ସଶକ୍ତ କରିବ କ’ଣ ? ତା’ ଭିତରେ ସମସ୍ତ ଶକ୍ତି ରହିଛି କିନ୍ତୁ ଆମ ପୁରୁଷତାନ୍ତ୍ରିକ ସମାଜ ବ୍ୟବସ୍ଥା ତାକୁ ସେ ସବୁ ସୁଯୋଗରୁ ବଞ୍ଚିତ କରି ତାକୁ ଏକ ବ୍ୟକ୍ତି ହିସାବରେ ନ ଦେଖି ଏକ ନାରୀସତ୍ତା ହିସାବରେ ଦେଖେ । ଗାଁ ଗାଁରେ, ସାହି ବସ୍ତି ଅଞ୍ଚଳରେ ବିଭିନ୍ନ ଗ୍ରୁପ୍‌ କରି, ଗ୍ରୁପ୍‌ ଲୋନ୍‌ର ଭେଳିକି ଦେଖାଇ ନାରୀ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିକୁ ( ଆନ୍ଦୋଳନାତ୍ମକ ଶକ୍ତି ) ଦୁର୍ବଳ କରିବା, ଦେଶପ୍ରତି, ସମାଜପ୍ରତି ଏବଂ ଜନସାଧାରଣଙ୍କ ପ୍ରତି ଥିବା ତା’ର କର୍ତ୍ତବ୍ୟକୁ ବିକାଶୋନୁ୍ମଖୀ ଚିନ୍ତାଧାରାକୁ ଦବେଇ ରଖିବା ହେଉଛି ସଶକ୍ତୀକରଣର ଏକ ଗୂଢ଼ ପ୍ରୟାସ। ସେ ନିଜେ ସଶକ୍ତ ଏବଂ ନିଜକୁ ହିଁ ସଶକ୍ତ କରିବ । ତା’ ପାଇଁ ଅନୁକୂଳ ପରିବେଶ ତିଆରି ହେବା ଦରକାର । ସେଥିପାଇଁ କଡ଼ାକଡ଼ି ଆଇନ ବ୍ୟବସ୍ଥା ମଧ୍ୟ ତିଆରି ହେବା ଦରକାର, ଯେପରି ନାରୀ ସ୍ବଚ୍ଛନ୍ଦରେ, ନିର୍ଭୟରେ ପୁଅଙ୍କ ଭଳି ଚଳପ୍ରଚଳ ହୋଇପାରୁଥିବ ଏବଂ ସବୁକ୍ଷେତ୍ରରେ ସମାନ ଅଧିକାର ପାଇପାରୁଥିବ । ବୁଦ୍ଧିରେ, ଜ୍ଞାନରେ, ଚିନ୍ତାଧାରାରେ ସେ ପୁରୁଷଠାରୁ କିଛି କମ୍‌ ନୁହେଁ । ସେ ପୁରୁଷ ସହିତ ସମକକ୍ଷ । ତା’ର ଅନନ୍ୟତାର ବହୁ ଦୃଷ୍ଟାନ୍ତ ରହିଛି । ଦେଶ ଗଢିବାରେ, ଦେଶକୁ ରକ୍ଷା କରିବାରେ, ଦେଶ ବିଷୟରେ ଚିନ୍ତା କରିବାରେ, ସମାଜର ବିକାଶପାଇଁ, ଜନସାଧାରଣଙ୍କ ଜୀବନଜୀବିକା ପାଇଁ ସେମାନଙ୍କର ଅବଦାନ କିଛି କମ୍‌ ନୁହେଁ । ମୁଁ ବିଭିନ୍ନ ଆନ୍ଦୋଳନ ସହ ଜଡିତ । ୧୯୮୦ ଦଶକର ବାଲିଆପାଳ ଆନ୍ଦୋଳନଠାରୁ ଆରମ୍ଭ କରି ବର୍ତ୍ତମାନର ଢିଙ୍କିଆ ଜିନ୍ଦଲ ବିରୋଧୀ ଆଦୋଳନରେ ଦେଖିଛି ନାରୀ ଭିତରେ ଏକ ଅନନ୍ୟ ଶକ୍ତି ରହିଛି । ସେ ଆଜି ପଛକୁ ଭ୍ରୂକ୍ଷେପ ନ କରି ପୁରୁଷ ସହିତ କାନ୍ଧକୁ କାନ୍ଧ ମିଶାଇ ଆନ୍ଦୋଳନକୁ ଡେଇଁପଡିଛି । ଏପରିକି ପ୍ରାୟ ସବୁ ଆନ୍ଦୋଳନରେ ଦେଖାଯାଇଛି ନାରୀ ପୁରୁଷକୁ ପଛରେ ରଖି ପୋଲିସର ମୁହଁାମୁହିଁ ହୋଇଛି ଏବଂ ଯୁକ୍ତିତର୍କ ମଧ୍ୟ କରିଛି । ଏପରି କି ସେ କହିଛି , ‘ଆମେ ତିରିଲାନୁକ ମାଟି ପାଇଁ ଆଗେ ମରିବୁ , ଆମର ମରଦନୁକକୁ ଆଗକୁ ଛାଡ଼ିବୁନି । ଆମେ ମଲେ ଚଳିବ କିନ୍ତୁ ସେମାନଙ୍କୁ ଆଗକୁ ଛାଡ଼ିବୁନି।’ ଏଥିରୁ ନାରୀମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିକୁ ସହଜରେ ଅନୁମେୟ କରିହୁଏ । ଆମେ ଆଦିବାସୀ ଅଞ୍ଚଳକୁ ଯିବା, ସେଠି ଦେଖିବା ନାରୀ ପୁରୁଷ ଉଭୟେ ଖଟନ୍ତି , କାହାରି କାହା ପ୍ରତି ବୈରତା ନାହିଁ ବରଂ ସେଠି ନାରୀର ବ୍ୟକ୍ତିତ୍ୱକୁ ସମ୍ମାନ ଦିଆଯାଏ । ଘରକରଣାଠାରୁ ଆରମ୍ଭ କରି ଦେଶ ଗଠନ ତଥା ଦେଶକୁ ରକ୍ଷା କରିବା ଯାଏ ନାରୀ ତା’ର ଅନନ୍ୟତା ପ୍ରତିପାଦିତ କରିପାରିଛି । ସେ ଅନନ୍ୟା ତା’ର ଅନନ୍ୟତାକୁ ସେ ନିଜେ ହିଁ ତିଆରି କରିବ ।

ନାରୀକୁ ତା’ର ଅନ୍ତଃସାମର୍ଥ୍ୟ ବୁଝିବାର ଆବଶ୍ୟକତା ଅଛି: ଶାଶ୍ବତୀ କର- ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ପ୍ରାପ୍ତ ଶାଶ୍ବତୀ କର ରୁଚି ଦିଗରୁ ଜଣେ ଫ୍ରିଲାନ୍ସର । ତାଙ୍କର ମୁକ୍ତ ବିଚାର ପାଇଁ ସେ ସୁପରିଚିତ । ସେ ସଫ୍ଟ ସ୍କିଲ୍‌ ଏବଂ ଲାଇଫ ସ୍କିଲ୍‌ର ପ୍ରଶିକ୍ଷଣଦାତ୍ରୀ ଭାବରେ କାର୍ଯ୍ୟ କରନ୍ତି। ଗତ ଦଶବର୍ଷ ଧରି ଭାରତର ବିଭିନ୍ନ ଭାଗରେ ବିଭିନ୍ନ ଗୋଷ୍ଠୀକୁ ବ୍ୟବହାରିକ କୌଶଳ ଓ ପ୍ରଭାବଶାଳୀ ଯୋଗାଯୋଗ ସମ୍ବନ୍ଧରେ ସେ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ସେ ଏନ୍‌ଏଲ୍‌ପିର ଜଣେ ପ୍ରମାଣସିଦ୍ଧ କାର୍ଯ୍ୟକର୍ତ୍ତା । ସେ ବିଶ୍ୱାସ କରନ୍ତି ଯେ ଏକ ସୁସ୍ଥ ସମାଜରେ ନାରୀ ସ୍ବାଭାବିକ ଭାବରେ ନିଜକୁ ସଶକ୍ତ ମନେକରିପାରିବ ।
ନାରୀ ସଶକ୍ତୀକରଣର ଆଶ୍ୟକତା ସମ୍ପର୍କରେ ଶାଶ୍ୱତୀ କୁହନ୍ତି, ‘ନାରୀ ସଶକ୍ତୀକରଣ ଏକ ବହୁଧା ବ୍ୟବହୃତ ଶବ୍ଦ ଯାହା ଏକ ଧାରଣା ସୃଷ୍ଟି କରେ ଯେ ନାରୀ କହିଲେ ଏକ ସମଭାବ ସମ୍ପନ୍ନ ଗୋଷ୍ଠୀ । ବାସ୍ତବରେ ଏହା ମାନବ ସମାଜ ଭଳି ବିବିଧତାଭିତ୍ତିକ । ସଶକ୍ତୀକରଣ ଏକ ସକାରାତ୍ମକ ଶବ୍ଦ ଯାହାର ବ୍ୟୁତ୍ପତ୍ତି କିଛିଟା ନକାରାତ୍ମକ । ଯେତେବେଳେ ଆମେ ନାରୀ ସଶକ୍ତୀକରଣର କଥା କହୁ ଆମେ କ୍ଷୋଭ କରୁ ଯେ ପୁରୁଷତନ୍ତ୍ର ଦ୍ବାରା ବ୍ୟବସ୍ଥା ଭିତ୍ତିରେ ପ୍ରଣାଳୀଗତ ଆଧିପତ୍ୟ ଦେଇ ନାରୀକୁ ଶକ୍ତିହୀନ କରାଯାଇଛି । ବିଡ଼ମ୍ବନା ଏହା ଯେ ଆମେ ନାରୀର ସଶକ୍ତୀକରଣ ପାଇଁ ପୁରୁଷତାନ୍ତ୍ରିକ ବ୍ୟବସ୍ଥା ପାଖରେ ଆବେଦନ କରୁଛୁ । ମୁଁ ଅନୁଭବ କରେ ଯେ ଏକ ସୁସ୍ଥ ସମାଜ ଯେଉଁଠି ସମ୍ମାନ, ମାନବିକତା ଓ ନ୍ୟାୟ ଅଛି ସେଠି ନାରୀ ନିଜକୁ ସ୍ବାଭାବିକ ଭାବେ ସଶକ୍ତ ମନେକରିବ ।
ନାରୀ ଓ ପୁରୁଷ ଜୈବ ଦିଗରୁ ଭିନ୍ନ । ପ୍ରକୃତି ନାରୀକୁ ପ୍ରଚଣ୍ଡ ଶକ୍ତି ମଣ୍ଡିତ କରି ଗଢିଛି। ନାରୀକୁ ତା’ର ଅନ୍ତଃ ସାମର୍ଥ୍ୟ ବୁଝିବାର ଆଶ୍ୟକତା ଅଛି । ସତ କହିଲେ ସହିବାରେ ନାରୀ ସର୍ବାଗ୍ରେ। କିନ୍ତୁ ଆରମ୍ଭରୁ ଆଜିଯାଏ ଯେବେ ନାରୀ ସହିବାର ସୀମା ଟପିଛି, ଅତ୍ୟାଚାରିତ ହୋଇଛି, ସେ ମୁହଁ ଖୋଲିଛି, ଅଧିକାର ସାବ୍ୟସ୍ତ କରିଛି। ତା’ ସାହସ ଓ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ସମାଜ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?