Posted inଫୁରସତ

ଜହୁରୀ ଭାଇ

ମଧୁବାବୁଙ୍କ ମହାବାଣୀ ‘ପରାର୍ଥେ ପ୍ରାଜ୍ଞ ଜୀବନ’ ହେଉଛି ତାଙ୍କ ଜୀବନର ମୂଳମନ୍ତ୍ର। ଏଭଳି ଗୋଟେ ଦିନ ବିତି ନ ଥିବ ସେ ଯେଉଁଦିନ କାହା ଦୁଃଖରେ ଦୁଃଖୀ ହୋଇ ନ ଥିବେ। ସେ ହେଲେ ଓଡ଼ିଶାର ଘରେ ଘରେ ସୁପରିଚିତ ପ୍ରଜାତନ୍ତ୍ରର ଶିଶୁପତ୍ରିକା ମୀନାବଜାରର ଜହୁରୀ ଭାଇ। ସେବା ଓ ସାହିତ୍ୟ କ୍ଷେତ୍ରରେ ଏକ ଆଦରଣୀୟ ନାମ ନୃସିଂହ ଚରଣ ସାହୁ। ନିଜ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଗୌରବାନ୍ବିତ କରିଥିବା ଓଡ଼ିଶାର ଦୁଇ ମହାନାୟକ ପିତୃ ପ୍ରତିମ ଡକ୍ଟର ହରେକୃଷ୍ଣ ମହତାବ ଓ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ପ୍ରେରଣା ପାଇ ଦୀର୍ଘ ୫୮ ବର୍ଷ ଧରି ଶିକ୍ଷା, ସାହିତ୍ୟ, ବିଜ୍ଞାନ, କଳା, ସମାଜସେବା, ସ୍ବାଧୀନତା ସଂଗ୍ରାମ, ପର୍ଯ୍ୟଟନ ଓ ରାଜନୀତି କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୫ହଜାର ବରପୁତ୍ରଙ୍କ ଜୀବନୀକୁ ନେଇ ‘ଆମେ ଓଡ଼ିଆ’ ନାମକ ୯ ଖଣ୍ଡ ଗ୍ରନ୍ଥ ରଚନା କରି ଉତ୍କଳର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି l

ତାଙ୍କ ଜନ୍ମ ୧୯୪୫, ଏପ୍ରିଲ ୧୧ ତାରିଖ ଯାଜପୁର ଜିଲାର ନରସିଂହପୁର ଗ୍ରାମରେ। ପିତା ପଞ୍ଚାନନ ସାହୁ ଓ ମା’ ଲାବଣ୍ୟ ଦେଈ। ନୃସିଂହ କିନ୍ତୁ ଜନ୍ମର ତୃତୀୟ ବର୍ଷ ମାତାଙ୍କୁ ଓ ଅଷ୍ଟମ ବର୍ଷରେ ପିତାଙ୍କୁ ହରେଇ ଅନାଥ ହୋଇଗଲେ l ଖାଲି ସେତିକି ନୁହେଁ ଚତୃର୍ଥ ଶ୍ରେଣୀରେ ପଢିବାବେଳେ ଏକ ଶଗଡ଼ ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଉପରେ ଶଗଡ଼ ଚକା ଚଢ଼ିଗଲା। ହଠାତ ତାଙ୍କ ପିଉସା ସେହି ରକ୍ତ ଜୁଡୁବୁଡୁ ବାଳକଟିକୁ ନେଇ ଡାକ୍ତରଖାନା ଧାଇଁଲେ l ମଫସଲ ହରିପୁର ଗାଁର ଡାକ୍ତରଖାନାରେ ନିଶ୍ଚେତକ କିମ୍ବା ଅସ୍ତ୍ରୋପଚାର ଉପକରଣ ନ ଥିଲେ ସୁଦ୍ଧା ଡାକ୍ତରବାବୁ ଅବନୀ ବନ୍ଧୁ ମଜୁମଦାର ଏବଂ ସହକାରୀ ସାଧୁ ଚରଣ ପଣ୍ଡା ମାଡିବସି ଫଟା ମୁଣ୍ଡଟିକୁ ଦୁଇସ୍ଥାନରେ ସିଲେଇ କରିଦେଲେ l ସେତେବେଳେ ବିକଳ ହୋଇ କାନ୍ଦୁଥିବା ବେଳେ ସେ ଆଶ୍ୱାସନା ଦେଇ କହୁଥିଲେ- ‘ଏତେ ବଡ଼ ବିପଦରୁ ରକ୍ଷା ପାଇଗଲ ଖୁବ ବଡ଼ଲୋକ ହେବ ଏବଂ ଦେଶ ଓ ଜାତିର ମୁଖ ଉଜ୍ଜ୍ୱଳ କରିବ l’ ଏହା ପରେ ତାଙ୍କୁ ଦେଖିବାକୁ ଆସୁଥିବା ଶିକ୍ଷକମାନେ ମଧ୍ୟ ବାରମ୍ବାର ସେଇକଥା କହିବାକୁ ଲାଗିଲେ l ସେହିଦିନଠାରୁ ତାଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ହେଲା ଯେ, ସେ ସମାଜର କିଛି ନା କିଛି ଉପକାରରେ ଲାଗିବେ l

ସେତେବେଳେ ଘରେ ଘୋର ଦାରିଦ୍ର୍ୟ। ମାଇନର ବୃତ୍ତି ପାଇଥିବା ସତ୍ତ୍ୱେ ପଢ଼ାପଢ଼ିର ସୁବିଧା ହେଉ ନ ଥିଲା l ଏହି ସମୟରେ ଦେବଦୂତ ଭଳି ସହାୟତାର ହାତ ବଢ଼ାଇ ଦେଲେ ସ୍ଥାନୀୟ ପୋଷ୍ଟମାଷ୍ଟର ଲକ୍ଷ୍ମୀକାନ୍ତ ଦାସ ଓ ତାଙ୍କ ଧର୍ମପତ୍ନୀ ଶିଶିରା ଦାସ l ନିଜ ଶିଶୁକନ୍ୟା ରୂପଶ୍ରୀକୁ ଘରୋଇ ଟିଉଶନ ପଢାଇବା ଆଳରେ ତାଙ୍କ ଖାଦ୍ୟ, ସ୍ବାସ୍ଥ୍ୟ ଓ ପଢ଼ାପଢ଼ିର ଯତ୍ନ ନେଇ ତାଙ୍କ ଭିତରେ ଉଚ୍ଚ ଆକାଂକ୍ଷା ସୃଷ୍ଟି କଲେ l

ମାଟ୍ରିକ ପରୀକ୍ଷା ପରେ କଟକ ଆସିଥିବାବେଳେ ସାକ୍ଷାତ ହେଲା ଜ୍ଞାନ ମଣ୍ଡଳର ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ସହ l ସେ ତାଙ୍କର ଅସାଧାରଣ ଜ୍ଞାନ ଓ ସାହିତ୍ୟାନୁରାଗ ଲକ୍ଷ୍ୟ କରି ପ୍ରତିଶ୍ରୁତି ଦେଲେ ଜ୍ଞାନମଣ୍ଡଳ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରିବେ। ମାଟ୍ରିକ ବୃତ୍ତି ପାଇ ସେ ରେଭେନ୍‌ସା କଲେଜରେ ପଢ଼ିଲେ ଏବଂ ପ୍ରତିଦିନ ରାତି ଆଠଟା ବେଳେ ୮ କିମି ଚାଲି ଚାଲି ଯାଇ ଜ୍ଞାନମଣ୍ଡଳ ଅଫିସରେ ଶୋଇପଡ଼ନ୍ତି। ରାତି ୩ ଟାରୁ ଉଠି ବିନୋଦ ବାବୁଙ୍କଠାରୁ ଜ୍ଞାନମଣ୍ଡଳ ପାଇଁ ଶ୍ରୁତି ଲିଖନ ନିଅନ୍ତି l ଏହିଠାରେ ତାଙ୍କ ଲେଖକୀୟ ପ୍ରତିଭାର ବିକାଶ ଘଟିଲା l ପ୍ରଥମ ବର୍ଷର ଛାତ୍ର ଥିବା ସତ୍ତ୍ୱେ ‘ରେଭେନ୍ସା ଭିଆନ’ରେ ତାଙ୍କ ଲେଖା ପ୍ରକାଶ ପାଇଲା l ଲାଗ୍‌ ଲାଗ୍‌ ୨ ବର୍ଷ ଧରି ନୂତନ ଛାତ୍ରାବାସର ମୁଖପତ୍ର ‘ପୂରବୀ’ର ସମ୍ପାଦକ ହେଲେ l

ସେବାରେ ସେ ପାଉଥିଲେ ଅପାର ଆନନ୍ଦ l
୧୯୬୬ରେ କଳାହାଣ୍ଡିରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ସେ ନିଜର ୧୫ଜଣ ସହପାଠୀଙ୍କୁ ନେଇ ସେଠାରେ ରିଲିଫ ଚାଉଳକୁ ରନ୍ଧେଇ ଦୁର୍ଭିକ୍ଷ ପୀଡ଼ିତ ଲୋକଙ୍କୁ ଖୁଆଇଲେ l ଏହା ପୂର୍ବରୁ ସେମାନେ କଞ୍ଚାଚାଉଳ ଖାଇଦେଇ ଜୀର୍ଣ୍ଣ ନ ହେବାରୁ ମୃତ୍ୟୁମୁଖରେ ପଡୁଥିଲେ l ସେ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ‘ସମାଜ’ ଓ ‘ପ୍ରଜାତନ୍ତ୍ର’ରେ ପ୍ରକାଶ କରେଇ ଶାସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ପରେ ଭାରତୀୟ ବିଦ୍ୟା ଭବନ ମୁମ୍ବାଇରେ ସାମ୍ବାଦିକତା ଅଧ୍ୟୟନ କରି ଡକ୍ଟର ମହତାବଙ୍କ ପରାମର୍ଶ କ୍ରମେ ପ୍ରଜାତନ୍ତ୍ରର ସହ ସମ୍ପାଦକ ଓ ମୀନାବଜାରର ଜହୁରୀ ଭାଇ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ପ୍ରତିଷ୍ଠିତ ହଜାର ହଜାର ମୀନାମଣ୍ଡଳୀକୁ ଯାଇ ପ୍ରତିଭାବାନ୍‌ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ୧୯୭୫ ମସିହାରେ ସାହୁଙ୍କର ପ୍ରଥମ ସାରସ୍ବତ କୃତି ‘ସେବକ ଶ୍ରେଷ୍ଠ ଲକ୍ଷ୍ମୀ ନାରାୟଣ’ ପ୍ରକାଶ ପାଇଥିଲା l

ମସିହାରେ ସେ ଯୋଗ ଦିଅନ୍ତି ଏକ ଆନ୍ତର୍ଜାତିକ ସେବା ଅନୁଷ୍ଠାନରେ। ୧୯୮୫ରେ ବିଶ୍ୱର ସବୁଠାରୁ ଭୟାବହ ଦୁର୍ଭିକ୍ଷ ପୀଡ଼ିତଙ୍କ ସେବା ଓ ଥଇଥାନ ପାଇଁ ସାହୁ ପହଞ୍ଚିଥିଲେ ଆଫ୍ରିକାର ଇଥିଓପିଆ ରାଷ୍ଟ୍ରରେ। ଲକ୍ଷ ଲକ୍ଷ ବୁଭୁକ୍ଷୁ ଲୋକଙ୍କୁ ସେବା ଓ ସାହାଯ୍ୟ ଯୋଗାଇ ଦେଇ ସମଗ୍ର ଭାରତବର୍ଷରେ ସୁନାମ ଅର୍ଜନ କରିଥିଲେ। କିନ୍ତୁ ସାହିତ୍ୟ ଓ ସଂସ୍କୃତି ତାଙ୍କୁ ଅନ୍ୟତ୍ର କେଉଁଠି ବେଶି ଦିନ ବାନ୍ଧି ରଖିପାରି ନ ଥିଲା।

ସେ ପୁନଶ୍ଚ ଫେରିଥିଲେ ସାହିତ୍ୟ ଜଗତକୁ। ୧୯୯୬ରେ ସେ ଡକ୍ଟର ହରେକୃଷ୍ଣ ମହତାବ ଫାଉଣ୍ଡେଶନ୍‌ର ସୌଜନ୍ୟ ସମ୍ପାଦକ ତଥା ପ୍ରଜାତନ୍ତ୍ରର ଉପଦେଷ୍ଟା ରହିବା ସହିତ ଓଡ଼ିଶା ସରକାରଙ୍କ ‘ଶିଶୁ ଲେଖା’ର ସମ୍ପାଦନା ଦାୟିତ୍ୱ ନିର୍ବାହ କରିଥିଲେ। ଏହାପରେ ସେ ମନେପକାଇ ଥିଲେ ତାଙ୍କ ଗୁରୁ ବିନୋଦବାବୁଙ୍କ ଉପଦେଶ- ‘ଓଡ଼ିଶାର ପାଞ୍ଚ ଶହ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ସ୍ଥାନିତ କରି ଏକ ବୃହତ ଗ୍ରନ୍ଥାବଳୀ ପ୍ରକାଶନ ନିମନ୍ତେ l’ ସାହୁ କିନ୍ତୁ ୫୦୦ ପରିବର୍ତ୍ତେ ୫୦୦୦ ବରପୁତ୍ରଙ୍କର ଜୀବନୀ ରଚନା କରି ‘ଆମେ ଓଡ଼ିଆ’ ନାମରେ ୯ ଭାଗରେ ପ୍ରକାଶ କରୁଛନ୍ତି l ଇତିମଧ୍ୟରେ ୮ ଭାଗ ପ୍ରକାଶ ପାଇସାରିଛି। ପ୍ରଥମ ଭାଗରେ ରହିଛି ଅତୀତ ଓଡ଼ିଶାର ଆଗଙ୍ଗା ଗୋଦାବରୀ ଜୟ କରିଥିବା ଓଡ଼ିଆ ସମ୍ରାଟମାନଙ୍କ କୀର୍ତ୍ତି କାହାଣୀ, ଓଡ଼ିଆ ଭାଷାକୁ ବଞ୍ଚାଇଥିବା ଏବଂ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ କରିଥିବା ମହାନ୍‌ ନେତା ମଧୁବାବୁ, ଗୋପବନ୍ଧୁ, ଫକୀରମୋହନ, ରାଧାନାଥ ରାୟ, ଗୌରୀଶଙ୍କର ଓ ଗଙ୍ଗାଧର ମେହେରଙ୍କ ଭଳି ଯୁଗଜନ୍ମା ସୁପୁରୁଷଙ୍କ ଅମର ଗାଥା । ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଭାଗରେ ପାଖାପାଖି ୨୫୦୦ ସ୍ବାଧୀନତା ସଂଗ୍ରାମୀ ( ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବାଜି ରାଉତ, ଲକ୍ଷ୍ମଣ ନାୟକ, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକ ପ୍ରମୁଖ)ଙ୍କ ଜୀବନୀ ପ୍ରକାଶିତ। ସପ୍ତମ ଓ ଅଷ୍ଟମ ଭାଗରେ ମହାକବି ଜୟଦେବ, ଆଦିକବି ସାରଳା ଦାସଙ୍କଠାରୁ ଆରମ୍ଭକରି ବର୍ତ୍ତମାନ ସମୟର ସଚ୍ଚି ରାଉତରାୟ, ଗୋପୀନାଥ ମହାନ୍ତି ଓ ପ୍ରତିଭା ରାୟଙ୍କ ଭଳି ବହୁ ସାରସ୍ବତ ସାଧକଙ୍କ ଫଟୋଚିତ୍ର ସହ ସେମାନଙ୍କ ସାଧନାର ଅମର କୃତି (ମୋଟ ୧୮୦୦)। ପ୍ରତି ଖଣ୍ଡରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କୌଣସି ସରକାରୀ ସାହାଯ୍ୟ ନ ପାଇ ନିଜର ବ୍ୟକ୍ତିଗତ ସମ୍ପତ୍ତି ବିକ୍ରିକରି ସେ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ତଥାପି ପତ୍ନୀ ସ୍ବର୍ଗତା ଡକ୍ଟର କଳ୍ପନା ସାହୁ ଏଥିରେ ତାଙ୍କୁ ସହଯୋଗ କରିଆସିଥିଲେ l ଯେଉଁଥିପାଇଁ ସେ ଓଡ଼ିଶାର ବରପୁତ୍ରମାନଙ୍କୁ ଅମର କରିବା ପ୍ରଚେଷ୍ଟାରୁ କ୍ଷାନ୍ତ ହୋଇନାହାନ୍ତି। ଜୀବନର ସାୟାହ୍ନରେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଓ ଆର୍ଥିକ ଦୁଃସ୍ଥିତିକୁ ଖାତିରି ନ କରି ଦିନକୁ ୧୮ ଘଣ୍ଟା ପରିଶ୍ରମ କରୁଥିବା ଜହୁରୀ ଭାଇ ଓଡ଼ିଶାବାସୀଙ୍କୁ ଦେବାକୁ ଚାହୁଁଛନ୍ତି ଏକ ‘କ୍ଷୟହୀନ ଅକ୍ଷର କୋଣାର୍କ’ର ଉପହାର। -ପ୍ରିୟମ୍ବଦା ରଥ, ହାଇଦ୍ରାବାଦ
ମୋ:୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri