Posted inଫୁରସତ

ମହାପ୍ରଭୁଙ୍କ ଅନନ୍ୟ ଲୀଳା

ମହାପ୍ରଭୁଙ୍କ ଅନନ୍ୟ ଲୀଳା ମଧ୍ୟରୁ ଅନ୍ୟତମ ଶ୍ରୀମନ୍ଦିରରେ ପ୍ରଚଳିତ ପଟି ଦିଅଁ ପରମ୍ପରା। ପ୍ରକୃତପକ୍ଷେ ଆଜି ବିଶ୍ୱକୁ ବିମୋହିତ କରୁଥିବା ପଟ୍ଟଚିତ୍ରର ଏହା ହିଁ ଆଧାର।   ଶ୍ରୀମନ୍ଦିରର ମାହାରୀ ପରମ୍ପରାରୁ ଗୋଟିପୁଅ ନୃତ୍ୟ, ଗୋଟିପୁଅ ନୃତ୍ୟରୁ ବିକଶିତ ହୋଇ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ଓଡିଶୀ ନୃତ୍ୟ।  ଠିକ୍‌ ସେହିପରି ଚିତ୍ରଶିଳ୍ପୀ ପ୍ରାକୃତିକ ରଙ୍ଗରେ ଉପାସନା ପାଇଁ ଯେଉଁ ପଟିଦିଅଁ ଆଙ୍କି ଦେଇଥିଲା, ତାହା କାଳକ୍ରମେ ପଟ୍ଟଚିତ୍ରରେ ପରିଣତ ହୋଇ ବିସ୍ମୟ ସୃଷ୍ଟି କରିଛି ।  ତେବେ ଯେଉଁ ପଟିଦିଅଁ ଚିତ୍ରରୁ ପଟ୍ଟଚିତ୍ରରେ ଆମେ ପହଞ୍ଚତ୍ଛେ, ସେହି ଚିତ୍ରରେ ଥିବା ରହସ୍ୟ ବିଷୟରେ  ଜାଣିବା ଲାଗି ଏଠାରେ ପ୍ରୟାସ କରାଯାଇଛି।
ଉପାସନା ଧାରାରେ ପ୍ରତ୍ୟେକ ନୀତି, ଯାନିଯାତ୍ରା, ବେଶ ଓ ଉତ୍ସବ ତଥା ମହୋତ୍ସବ ସାମାଜିକ ଦୃଷ୍ଟିରୁ ରହସ୍ୟମୟ । ଏହି ରହସ୍ୟଗୁଡିକ ମାନବୀୟ ମୂଲ୍ୟବୋଧର ପ୍ରତୀକ । ମଣିଷର ବ୍ୟକ୍ତିଗତ କଲ୍ୟାଣରେ ଏହା କେବଳ ସୀମିତ ନୁହେଁ, ଜଗତକଲ୍ୟାଣ ଭାବନା ଏହାର ମୂଳଭିତ୍ତି। ଉପାସନାର ଆଭିମୁଖ୍ୟରେ ରହିଥିବା ଜଗତକଲ୍ୟାଣ ଚିନ୍ତାଧାରା ସକାଶେ ମହାପ୍ରଭୁଙ୍କର ପ୍ରତ୍ୟେକ ନୀତି-କାନ୍ତି, ପୂଜା-ପାର୍ବଣ ଓ ମହୋତ୍ସବ ସାମାଜିକ ଅଙ୍ଗୀକାର ଲାଭ କରିଛି । ସମାଜର ସବୁ ବର୍ଗର ସାଧାରଣ ଲୋକଟିଏ ଏଥିରେ ଜଡିତ ହୋଇଯିବାର ଏହା ହେଉଛି ମୁଖ୍ୟ କାରଣ ।
ଜଗତନାଥ ହିଁ ଜଗତପିତା: ଦାରୁଦିଅଁଙ୍କ ଉପାସନାଧାରା ଶାନ୍ତିର ଧାରା । ସେଥିପାଇଁ  ପାଞ୍ଚରାତ୍ରଧାରାରେ ଶ୍ରୀଜଗନ୍ନାଥଙ୍କୁ ପରମାମତ୍ା, ଶ୍ରୀବଳଭଦ୍ରଙ୍କୁ ଜୀବ, ଦେବୀ ସୁଭଦ୍ରାଙ୍କୁ ମନ ଓ ଶ୍ରୀସୁଦର୍ଶନଙ୍କୁ ଅହଙ୍କାରର ପ୍ରତୀକ ରୂପେ ଗ୍ରହଣ କରାଯାଇ ଉପାସନା କରାଯାଏ ।  ଜୀବ ଯେତେବେଳେ ପରମାତ୍ମା ସଂଯୁକ୍ତ ହୋଇ ଅହଙ୍କାରରୁ ମୁକ୍ତ ହୋଇଯାଏ, ସେତେବେଳେ ତା’ ମନରେ ଏକ ଶାନ୍ତିର ଭାବ ତାକୁ ପରମ ସୁଖ ଦିଏ । ମହାପ୍ରଭୁଙ୍କୁ ପ୍ରଥମେ ଅଲଓ୍ବାରମାନେ ଶ୍ରୀବାସୁଦେବ-ବିଷ୍ଣୁରୂପେ ଗ୍ରହଣ କରିଥିଲେ । ରାମାନୁଜାଚାର୍ଯ୍ୟ ଶ୍ରୀବାସୁଦେବଙ୍କ ସହିତ ଶ୍ରୀନାରାୟଣଙ୍କର ସମୀକରଣ କରିବା ପରେ ସେ ‘ନାରାୟଣ ସର୍ବମିତି’ ବୋଲି ଉପାସିତ ହେଲେ । ପୂର୍ବରୁ ସେ ‘ବାସୁଦେବ ସର୍ବମିତି’ ବିଶ୍ୱାସ ଓ ଆସ୍ଥାରେ ଉପାସିତ ହେଉଥିଲେ । ଶ୍ରୀଜଗନ୍ନାଥ ଉପାସନାରେ ପରମବ୍ରହ୍ମ ଚେତନା ‘ଦାରୁବ୍ରହ୍ମ’ରେ ରୂପାନ୍ତରିତ ହେଲା ପରି ଜଗତପିତା ଚେତନା ‘ଜଗତନାଥ’ ଚେତନାର ରୂପାନ୍ତରିତ ହୋଇଅଛି ।
ଶାନ୍ତିର ସଙ୍କେତ: ବ୍ରହ୍ମାଣ୍ଡ ଠାକୁର ଶ୍ରୀଜଗନ୍ନାଥଙ୍କ ପଟିଦିଅଁ ପରମ୍ପରାରେ ଥିବା ରହସ୍ୟ ତଥା ମୂଲ୍ୟବୋଧ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି-‘ମହାପ୍ରଭୁଙ୍କ ଉପାସନା ଏକ ସମୀକରଣ ଉପାସନା । ସମୀକରଣ ଚେତନାରେ ସେ ଗଣଦେବତା ଭାବେ ଭାରତବର୍ଷରେ ଗୃହୀତ ହୋଇଛନ୍ତି । ସମୀକରଣ ଉପାସନାର ଗୋଟିଏ ଦିଗରୁ ପ୍ରତିଭୂ ହେଉଛନ୍ତି ନାରାୟଣ । ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଦେବତା ଭାବେ ନାରାୟଣ ସ୍ବୀକୃତ । ତାଙ୍କର ଧାତୁମୂର୍ତ୍ତି ମନ୍ଦିରର ଦକ୍ଷିଣୀ ଘରେ ବର୍ଷ ସାରା ଉପାସିତ ହୁଅନ୍ତି । ମହାପ୍ରଭୁଙ୍କ ଆଜ୍ଞାରେ ସେ ଜଗତମଙ୍ଗଳ ଲୀଳା କରନ୍ତି, କିନ୍ତୁ ଅଣସର ସମୟରେ ମହାପ୍ରଭୁଙ୍କ ସ୍ଥାନରେ ଧାତୁବିଗ୍ରହ ପୂଜିତ ନ ହୋଇ ଶ୍ରୀନାରାୟଣ ପଟିଚିତ୍ରରେ ଶୋଭା ପାଆନ୍ତି । ମହାପ୍ରଭୁ ନିଜେ ଅନନ୍ତ; ଯାହାଙ୍କର ଆଦି ଅନ୍ତ ନାହିଁ ବୋଲି ଶାସ୍ତ୍ରରେ କୁହାଯାଇଛି । ତେଣୁ ଅଣସରରେ ମହାପ୍ରଭୁଙ୍କ ସ୍ଥାନରେ ନାରାୟଣ ପୂଜା ହୁଅନ୍ତି ‘ ଶ୍ରୀଅନନ୍ତ ନାରାୟଣ’ ରୂପରେ ।  ସେ ହୁଅନ୍ତି ଚାରିବାହୁଯୁକ୍ତ । ଭକ୍ତବତ୍ସଳ ଭାବନାରେ ସେ ବକ୍ଷରେ ଧାରଣ କରନ୍ତି ଶ୍ରୀବତ୍ସବ ପାଦଚିହ୍ନ। ବାମ ପାର୍ଶ୍ୱରେ ଦଣ୍ଡାୟମାନ ହୁଅନ୍ତି ସାତ ଋଷି । ଚାଳି ସଦୃଶ ତାଙ୍କ ମନ୍ଦିର ଉପରେ ରହନ୍ତି ଚାରିଟି ପାରା । ଏଇମାନେ ହେଉଛନ୍ତି ଶାନ୍ତିର ସଙ୍କେତ, ଶାନ୍ତିର ସଙ୍ଗମନୀ, ଶାନ୍ତିର ସୂର୍ଯ୍ୟୋଦୟ ଓ ଶାନ୍ତିର ସମ୍ଭାବନା ।
ମୈତ୍ରୀର ମୂଲ୍ୟବୋଧ: ପଟିଦିଅଁ ପରମ୍ପରାରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀଅନନ୍ତ ନାରାୟଣ ରହିବା ଭଳି ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଉପାସିତ ହୁଅନ୍ତି ଶ୍ରୀଅନନ୍ତ ବାସୁଦେବ । ଅଲଓ୍ବାର ଧାରାର ‘ବାସୁଦେବ ସର୍ବମିତି’ ଏ ଜଗତରେ ସବୁ କିଛି ବାସୁଦେବମୟ ବିଚାରଧାରା ବଳଭଦ୍ରଙ୍କ ସହିତ ସମୀକରଣ ହୁଏ ଅଣସର ଉପାସନା ସମୟରେ । ଏ ଜଗତ ହେଉଛି ଶ୍ରୀବାସୁଦେବମୟ । ଏହି  ଚେତନା ବିଶିଷ୍ଟାଦ୍ୱୈତ ଧାରାରେ ରାମାନୁଜାଚାର୍ଯ୍ୟଙ୍କ ସମୟରେ ‘ନାରାୟଣ ସର୍ବମିତି’ରେ ପରିଣତ ହେବା ପରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ ଅନନ୍ତ ଚେତନାଯୁକ୍ତ ହୋଇ ଉପାସିତ ହେଉଥିବାବେଳେ  ଶ୍ରୀବଳଭଦ୍ର ଅନନ୍ତ ଚେତନାଯୁକ୍ତ ହୋଇ ‘ଶ୍ରୀଅନନ୍ତ ବାସୁଦେବ’ ରୂପେ ଉପାସିତ ହୁଅନ୍ତି। ଏଠାରେ ଦୁଇଟି ଧାରାର ମିଳନ ହୋଇଛି । ଗୋଟିଏ ବୈଷ୍ଣବ, ଅନ୍ୟଟି ଶୈବ । ଶିବ ଉପାସନାରେ ଅନନ୍ତ ଚେତନା ଅଙ୍ଗୀକୃତ । ଶିବ ବି ଅନନ୍ତ ା ବୈଷ୍ଣବମାନେ ଏକରୁ ଚାରି ଓ ଚାରିରୁ ଏକ ବିଚାରଧାରାରେ ଶ୍ରୀବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଭାବେ ଗ୍ରହଣ କରିବାରେ କୌଣସି ଅସୁବିଧା ହେଲା ନାହିଁ । ମସ୍ତକରେ ତାଙ୍କର ସପ୍ତଫଣାଯୁକ୍ତ ବାସୁକୀ ଶୋଭା ପାଇବା ଓ ଦକ୍ଷିଣ ପାର୍ଶ୍ୱରେ ଯୋଡ଼ହସ୍ତରେ ଠିଆ ହୋଇଥିବା ଶିବ ଶୋଭା ପାଇବା ପରେ ଶିବ ଉପାସକମାନେ ହରିହର ଉପାସନାର ଏ ଚମତ୍କାର ଚାତୁରିରେ ବିମୋହିତ ହେବା ସ୍ବାଭାବିକ । ହଜାରେ ବର୍ଷ ତଳେ ହର ଓ ହରି ଉପାସକମାନଙ୍କ ମଧ୍ୟରେ ଯେଉଁ ଉଦାସୀନତାର ଅମାରାତି ଘୋଟି ଆସିଥିଲା, ଉତ୍ତପ୍ତ ଓ ଉତ୍ତରଳ ଦରବାରୀ ରୀତିରେ ଉପାସନା ଧାରାରେ ଯେଉଁ ନଗ୍ନ ନିର୍ଜନ ନମୁନା ମୁଣ୍ଡ ଟେକିଥିଲା, ଶ୍ରୀକ୍ଷେତ୍ର ମୈତ୍ରୀର ମୂଲ୍ୟବୋଧରେ ତାହା ମଧୁବସନ୍ତର ମହାବିଷୁବରେ ପରିଣତ ହୋଇଯାଇଥିଲା । ଓଡ଼ିଆ ଶିଳ୍ପୀ ତା’ ତୂଳୀ ମୁନରେ ପାରମ୍ପରିକ ଚିତ୍ର ଆଙ୍କିଦେଲାନି ଯେ, ଭାରତରେ ଏକ ସହାବସ୍ଥାନର ବାର୍ତ୍ତା ଦେଇଦେଲା, ଦ୍ୱନ୍ଦ୍ୱର ଯେଉଁ ଦୁନ୍ଦୁଭି ଦକ୍ଷିଣରୁ ପୂର୍ବ ଭାରତ ଦେଇ ହିମାଳୟ କୋଳ ପର୍ଯ୍ୟନ୍ତ ବାଜି ଉଠିଥିଲା, ତାହାକୁ ଶାନ୍ତ କରିଦେଲା ପଟିଦିଅଁର ଶିଳ୍ପୀ । ଯାହାକୁ ଆଜି ଐତିହ୍ୟ ପଟ୍ଟଚିତ୍ରର ଓଁକାର ବୋଲି ଆମେ କହୁଥାଉ । ଦାର୍ଶନିକ  ସମୀକରଣ ହୋଇଗଲା ଯେବେ ତାଙ୍କ ମନ୍ଦିର (ବାଳି) ଉପରେ ଷଡରିପୁର ସଙ୍କେତ ଛ’ଟି ପାରା ଓ ଦୁଇଟି ଓଲଟପାରା ଜୀବ/ପରମ ରୂପରେ ଶୋଭା ପାଇଲେ । ଷଡରିପୁର ବିନାଶ ନ ହେଲେ ଜୀବ ଓ ପରମର ମିଳନ ଅସମ୍ଭବ । ଛଅଟି ଶତ୍ରୁକୁ ନେଇ ବିଚାରବିମର୍ଶ ହେବା ପରେ ଶାଣିତ ହୋଇଗଲା ଦାର୍ଶନିକ ଇତିହାସ । ଚାଳଛପର ଘରର ଚିହ୍ନା ମଣିଷଟି ପାଇଁ ଚଟୁଳ ଭାଷାର ସାରସ୍ବତ ସମ୍ବୋଧନ ଆଉ ଦରକାର ହେଲାନି । ମାହାପୁରୁଙ୍କ ପୂଜା କାଇଦାରେ ତା’ ଅଜାଣତରେ ଶାନ୍ତିର ଅଜଣା ରାଇଜରେ ସେ ପ୍ରବେଶ କରିଗଲା।
ଜଗତମଙ୍ଗଳ କାମନା
ଚିତ୍ରପଟିରେ ସୁଭଦ୍ରାଙ୍କ ସ୍ଥାନରେ ପୂର୍ଣ୍ଣାବୟବ ରୂପେ ଉପାସିତ ହୁଅନ୍ତି ଭୁବନର ଈଶ୍ୱରୀ । ଭୁବନର କର୍ତ୍ତା ଭୁବନମୟ ‘ଅନନ୍ତ ନାରାୟଣ’ ରୂପରେ ଉପାସିତ ହେବା ପରେ ଭୁବନର ଧର୍ତ୍ତା ଅର୍ଥାତ୍‌ ଭୁବନକୁ ଧାରଣ କରିଥିବା ଅନନ୍ତ ‘ବାସୁଦେବ’ ରୂପରେ ଉପାସିତ ହୁଅନ୍ତି । ଭୁବନର କର୍ତ୍ତା, ଭୁବନର ଧର୍ତ୍ତା ଓ ଭୁବନର ଈଶ୍ୱରୀ ଭାବେ ତିନି ବିଗ୍ରହ ଅଣସରରେ ଯେ ଉପାସିତ ହୁଅନ୍ତି ତା’ ନୁହେଁ, ଏଥିରେ ଶ୍ରୀ ଚତୁର୍ଦ୍ଧାବିଗ୍ରହ ଅଛନ୍ତି। ମାତ୍ର ଦଶାବତାର ପଟିଦିଅଁ ଭାବେ ପ୍ରସିଦ୍ଧ ଏହି ପଟିଦିଅଁଙ୍କ ଭିତରେ ଗଣତି ହୁଅନ୍ତି ନାହିଁ । ସେ ରହନ୍ତି ଭୁବନର ଈଶ୍ୱରୀଙ୍କ ମନ୍ଦିର ଚାଳିର ଶୀର୍ଷରେ । ସେଇଠି ରହିବେ ସୁଦର୍ଶନ । ଇଚ୍ଛା ନ ହେଲେ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ । ମହାପ୍ରଭୁଙ୍କ ଉପାସନାରେ ମା’ ସୁଭଦ୍ରା ହେଉଛନ୍ତି ଇଚ୍ଛାମୟୀ, ସେ ଭୁବନର ଈଶ୍ୱରୀ ରୂପେ ଇଚ୍ଛା ନ କଲେ କାର୍ଯ୍ୟଶକ୍ତି କାର୍ଯ୍ୟ କରିପାରିବେ ନାହିଁ । କାର୍ଯ୍ୟ ଶକ୍ତି ହେଉଛନ୍ତି ଶ୍ରୀଚକ୍ରରାଜ ସୁଦର୍ଶନ । କାର୍ଯ୍ୟ ସଫଳ ତଥା ଯାତ୍ରା ସଫଳ ପାଇଁ ରଥଯାତରେ ଆଗେ ଆଗେ ବିଜେ କରନ୍ତି । ଅବସ୍ଥାନ କରନ୍ତି ଦର୍ପଦଳନ ରଥରେ । ପୁଣି ମା’ ଭୁବନେଶ୍ୱରୀଙ୍କ ପାଖରେ ା ମଙ୍ଗଳ ବିଧାୟକ ଯାତ୍ରାରେ ଭକ୍ତର ମଙ୍ଗଳ କାମନା ପାଇଁ ଏସବୁ ଲୀଳା । ତାଳଧ୍ୱଜ ରଥ ଗଡିବା ପରେ ଦର୍ପଦଳନ ରଥ ଯାଏ ା ଭକ୍ତର ଦର୍ପ ଅହଙ୍କାର ଦଳନ ନ ହେଲା ପର୍ଯ୍ୟନ୍ତ ସେ ସମର୍ପିତ ହୋଇପାରେ ନାହିଁ । ସମର୍ପିତ ନ ହେଲେ ଗହଳ ଲଗେଇ ଆସୁଥିବା ନନ୍ଦିଘୋଷ ରଥର ଭୁବନକର୍ତ୍ତାଙ୍କ ଦର୍ଶନ ସମ୍ଭବ ନୁହେଁ  । ଦଶ ମହାବିଦ୍ୟାର ମଙ୍ଗଳମୟୀ ହେଉଛନ୍ତି ଦେବୀ ଭୁବନଶ୍ୱେରୀ ା ସେ ଭକ୍ତର ତଥା ଜଗତର ମଙ୍ଗଳ ପାଇଁ ଯେଉଁ କାର୍ଯ୍ୟ କରିବେ ସେଥି ନିମନ୍ତେ କାର୍ଯ୍ୟ ଶକ୍ତିଙ୍କର ଆବଶ୍ୟକ ା କାର୍ଯ୍ୟଶକ୍ତି ଶ୍ରୀସୁଦର୍ଶନ ସେଥିଲାଗି ସବୁବେଳେ ଇଚ୍ଛାଶକ୍ତିଙ୍କ ପାଖରେ ଥାଆନ୍ତି। ପଟିରେ ସେଥିପାଇଁ  ଜଗତମଙ୍ଗଳ କାମନାରେ ଦେବୀ ସୁଭଦ୍ରା ବିଜା କରନ୍ତି ମା’ ଭୁବନେଶ୍ୱରୀ ରୂପରେ । କିନ୍ତୁ ହାତରେ ତାଙ୍କର ଆୟୁଧ ନ ଥାଏ। ଦୁଇ ହାତରେ ଥାଏ ଦୁଇଟି ପଦ୍ମ। ଅନ୍ୟ ଦୁଇ ହାତରେ ଥାଏ ବର ଅଭୟ ମୁଦ୍ରା। ପଦ୍ମ ଚେତନାର ପ୍ରତୀକ ଏବଂ ବର  ଅଭୟ ଶାନ୍ତିର ପ୍ରତୀକ।
ପ୍ରଣମ୍ୟ ବାର୍ତ୍ତା: ଲୋକ ମୁଖରେ ଶୁଣାଯାଏ ଶ୍ରୀମନ୍ଦିରରେ ପଟିଦିଅଁ ପରମ୍ପରାରେ ଦଶାବତାର ଉପାସିତ ହୁଅନ୍ତି। ପ୍ରକୃତରେ ତ୍ରି ବିଗ୍ରହ ପଟିଦିଅଁ ଭାବରେ ରହିଥିବାବେଳେ ଶ୍ରୀଦେବୀ, ଭୂଦେବୀ, ଶ୍ରୀନୃସିଂହ, ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀଦୋଳଗୋବିନ୍ଦ ଓ ଶ୍ରୀମଦନମୋହନ ଧାତୁ ବିଗ୍ରହରେ ସ୍ଥାନ ପାଆନ୍ତି। ପଟିଦିଅଁ ପୂଜାରେ ଏମାନେ ଅବତାର ନୁହନ୍ତି, ମହାପ୍ରଭୁଙ୍କ ପ୍ରତିନିଧି। ଜଗତମଙ୍ଗଳ ପାଇଁ ବର୍ଷସାରା ଆଜ୍ଞାମାଳ ନେଇ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଅଣସର ସମୟରେ ପଟିଦିଅଁ ପୂଜାରେ ଯୋଗଦେଇ ଏମାନେ ଜଗତମଙ୍ଗଳ କାମନା କରନ୍ତି।
ମର୍ଯ୍ୟାଦାରୁ ମହାନତା: ପଟି ଦିଅଁ  ଆମ ଉପାସନାର ଅଙ୍ଗ। ‘ପଟି’ ଶବ୍ଦ ଶାସ୍ତ୍ରରେ ‘ପଟ୍ଟ’ ବୋଲି ଠାରି ଦିଆଯାଇଛି। ‘ଯତୋ ଦାରୁତନୁର୍ଦେବଃ ପଟ୍ଟେ ନିବିଶତେ ସ୍ବୟଂ’ ଦାରୁରୂପୀ ଦିଅଁ ପଟ୍ଟ ରୂପରେ ନିଜକୁ ନିଜେ ଯେହେତୁ ବିଜେ କରୁଛନ୍ତି, ତେଣୁ(ପଟ୍ଟସ୍ୟ ପୂଜାୟାଂ କୋପି ତତ୍ର ନ ସଂବିଶେତ୍‌) ପଟିଦିଅଁ ସ୍ଥାନ ପାଇଥିବା ପଟ୍ଟ ପୂଜାରେ କେହି ପ୍ରବେଶ କରିବେ ନାହିଁ। ତିଆରିବେଳେ ଶିଳ୍ପୀ ବାରଣ କଲା ସେ ଘରକୁ ମହିଳା ଯିବେ ନାହିଁ। ପୂଜାବେଳେ ଶାସ୍ତ୍ର ମନା କରୁଛନ୍ତି ପୂଜା ସ୍ଥାନକୁ ଯିବ ନାହିଁ। ସେଥିପାଇଁ ପଟିଦିଅଁ ପୂଜାବେଳେ ସେ ସ୍ଥାନ ଅନ୍ଧାରୁଆ ରଖାଯାଏ। ଆଲୋକିତ କରାଯାଏ ନାହିଁ। ଝାପ୍ସା ଦର୍ଶନ ପୁଣି ଦୂରରୁ? କେବଳ ମର୍ଯ୍ୟାଦା ଆଉ ନିଷ୍ଠା ହିଁ କଳାର ଉକତ୍ର୍ଷକୁ ସର୍ବୋଚ୍ଚ ସ୍ଥାନ ଦିଏ।
କାଠରେ ପଟ୍ଟଚିତ୍ର ବିକାଶ ପରମ୍ପରା: ଶ୍ରୀମନ୍ଦିର ଉପାସନାରେ ପଟିଦିଅଁ ଓ ଯାତ୍ରୀପଟି ଓଡ଼ିଶାର ପ୍ରାଚୀନ ଚିତ୍ରକଳା ପରମ୍ପରାରେ ନିର୍ମିତ ହୁଏ। ଏଥିରେ ପ୍ରାକୃତିକ ପ୍ରଣାଳୀରେ ରଙ୍ଗ ବ୍ୟବହାର ହେଉଥିଲା। ସମୟ କ୍ରମେ ସେ ରଙ୍ଗ ଆଉ ବ୍ୟବହାର ହେଉ ନାହିଁ। ମାତ୍ର କାଠ ଉପରେ ପଟ୍ଟଚିତ୍ର ଆଙ୍କିବା ପରମ୍ପରା ଓଡ଼ିଆ ଶିଳ୍ପୀ ଶ୍ରୀଜଗନ୍ନାଥଙ୍କ ରଥରୁ ଆରମ୍ଭ କରିଥିଲା। ତାହା ପଟ୍ଟଚିତ୍ରରେ ସ୍ଥୂଳ କାରୁକାର୍ଯ୍ୟ ଥିଲା, ସୂକ୍ଷ୍ମ ବି। କାରଣ ରଥର ମୂର୍ତ୍ତିଗୁଡିକର ଚିତ୍ର ସୂକ୍ଷ୍ମ ପଟ୍ଟଚିତ୍ରର ଆଦି କଥା।
  ମଧ୍ୟ ପ୍ରାକୃତିକ ରଙ୍ଗ ବ୍ୟବହାର ହେଉଥିଲା। ମାତ୍ର ଗତ ୫୦ ବର୍ଷ ଭିତରେ ପ୍ରାକୃତିକ ରଙ୍ଗ ବ୍ୟବହାରରେ ପରିବର୍ତ୍ତନ ଆସିଥିବା ସୂଚିତ କରିଥିଲେ ଚିତ୍ରଶିଳ୍ପୀ ନାରାୟଣ ମହାରଣା। ରଥର ମୁହଁାଟି, ପ୍ରଭା, ନାଟଗୁଡା, ସାରଥି ପାଣି ରଙ୍ଗରେ ଚିତ୍ରିତ ହେଉଥିଲେ। କଳସପଟାରେ କାଗଜବାଡ଼ିଆ ହୋଇ ଅଠାରେ କନା ପଡୁଥିଲା ତା’ଉପରେ। କନା ଉପରେ ଖଡ଼ି ଘଷା ହେଉଥିଲା। ପଥରରେ ସେହି କନା ଉପରେ ଲାଗିଥିବା ଖଡ଼ିକୁ ଘଷାଯାଇ ଚିକ୍କଣ କରାଯାଉଥିଲା, ତା’ ଉପରେ ଯାଇ ଚିତ୍ର କରାଯାଉଥିଲା।
ରଥ ହିଁ ପଟ୍ଟଚିତ୍ରର ପ୍ରଥମ ପ୍ରୟୋଗଶାଳା: ରଥର ଚକଗୁଡ଼ିକ ହେଉଛି ଅନ୍ୟତମ ଆକର୍ଷଣ। ପ୍ରାଚୀନ କାଳରୁ ଓଡ଼ିଆ ଚିତ୍ରଶିଳ୍ପୀ ରଥର ଚକକୁ ଯେପରି ଚିତ୍ରିତ କରୁଥିଲା, ତାହା ବି ପଟ୍ଟଚିତ୍ରର ପ୍ରାଥମିକ ଅବସ୍ଥା। ତାହା ବହୁ ପରୀକ୍ଷା-ନିରୀକ୍ଷା ହୋଇ ବିକାଶ ଲାଭ କରିଛି। କାରଣ କାଠ ଉପରେ ପଟ୍ଟଚିତ୍ରର ଶୋଭା ଲୋଭନୀୟ କରିବା ସହଜ ନ ଥିଲା। ଚକରେ ପ୍ରଥମେ ଚୂନ ବୋଳାଯାଉଥିଲା। ତା’ ଉପରେ ଗେରୁ କନାରେ ଚିତ୍ର ଅଙ୍କାଯାଉଥିଲା। ପରେ ପାଣିରଙ୍ଗ ଉପରେ ବାର୍ନିସ କୋଟିଂ କରାଗଲା।
ରଥର ସାରଥି, ପ୍ରଭା, କଳସ, ଶୁଆ, ପାର୍ଶ୍ୱଦେବ-ଦେବୀ, ନାଟଗଡୁ, ହଂସପଟା, ଘୋଡ଼ା, କନ୍ୟାପଟା, ପଟାଗୁଜ, କଣଗୁଜ, ଋଷିପଟା, ପାରାଭାଡ଼ି ମଧ୍ୟ ପ୍ରାକୃତିକ ରଙ୍ଗରେ ପୂର୍ବେ ଚିତ୍ରିତ କରାଯାଉଥିଲା। ବର୍ତ୍ତମାନ ଆଉ ପ୍ରାକୃତିକ ରଙ୍ଗ ଦିଆଯାଉନାହିଁ। ଓଡ଼ିଆ ଶିଳ୍ପୀ କାଠ ଉପରେ ପଟ୍ଟଚିତ୍ର ଆଙ୍କିବା ପରମ୍ପରା ପ୍ରଥମେ ମହାପ୍ରଭୁଙ୍କ ରଥରୁ ହିଁ ଆରମ୍ଭ କରିଥିଲା।
  କଳା, ଢାଉ (ଗେରୁଆ), କାଇମାଟି ବା ରାମରଜରେ ଚିତ୍ର ହେଉଥିଲା। ହଳଦୀରଙ୍ଗ, କାଇମାଟି, କଳା ଓ ଗେରୁରେ ‘ସଖୀଚିତ୍ର’ ଚିତ୍ରିତ ହେଉଥିଲା। ଚନ୍ଦନଘର  ଚିତ୍ର କଳା, ଗେରୁ ଓ କାଇମାଟିରେ ଚିତ୍ରିତ ହେଉଥିଲା। ପରେ ବ୍ୟବହାର ହେଲା ହିଙ୍ଗୁଳ, ହରିତାଳ, ଶଙ୍ଖ,ଗେରୁ, କଳା ଓ ରବିନ୍‌ ବ୍ଲୁ ବା ନୀଳରଙ୍ଗ ମିଶ୍ରଣ।
ପଟିଦିଅଁ ପ୍ରସ୍ତୁତି ପର୍ବ: ପଟିଦିଅଁ ପ୍ରସ୍ତୁତି ସମୟରେ ଗଭୀର ଭକ୍ତି ଓ ସମର୍ପିତ ଭାବରେ ଶିଳ୍ପୀଙ୍କ ସହ ତାଙ୍କ ପରିବାର ବି ହବିଷ୍ୟାନ୍ନରେ ରୁହନ୍ତି। ଆମିଷ ଉସୁନା ଘରେ ପଶେ ନାହିଁ। ଚିତ୍ର ପ୍ରସ୍ତୁତ ହେଉଥିବା ଘରକୁ ମହିଳାମାନେ ଯାଆନ୍ତି ନାହିଁ। ତେବେ ପଟିଦିଅଁ ଲାଗି ନୂଆ କନା ଓ କଇଥ ଅଠା ଆଧାର ହୁଏ। ୫ଟି ଦେଶୀୟ ରଙ୍ଗ ନାଲି, ହଳଦିଆ, ନୀଳ, କଳା ଓ ଧଳା ବ୍ୟବହାର ହୁଏ। ଚୂନରୁ ଆସେ – ଧଳାରଙ୍ଗ, ହରିତାଳ ପଥରରୁ- ହଳଦିଆ, ହିଙ୍ଗୁଳରୁ- ନାଲି, ଖଣ୍ଡନୀଳରୁ-ନୀଳରଙ୍ଗ ଏବଂ ଦୀପ ଜଳାଇ କଳାରଙ୍ଗ ସଂଗ୍ରହ କରାଯାଏ।
ବିସର୍ଜିତ ହୁଅନ୍ତି ନାହିଁ ପଟିଦିଅଁ:  ମହାପ୍ରଭୁ ନବଯୌବନରେ ପ୍ରବେଶ କରିବାର ପୂର୍ବମୁହୂର୍ତ୍ତରେ ପଟିଦିଅଁ ଉଠିଯାଇ ବିଜେ କରନ୍ତି ମଣ୍ଡଣିଘରେ। ମା’ ବିମଳାଙ୍କ ମନ୍ଦିର ପାଖରେ ଥିବା ଶ୍ରୀଗୋପେଶ୍ୱର ମହାଦେବ ଓ ଶ୍ରୀନନ୍ଦବାସୁଦେବ ମନ୍ଦିରକୁ କୁହାଯାଏ ମଣ୍ଡଣି ଘର। ଏହା ବି ହର ଓ ହରିଙ୍କ ଆସ୍ଥାନ। ସ୍ଥାନ ପରିବର୍ତ୍ତନ ହେଲେ ବି ଲକ୍ଷ୍ୟ ବଦଳେ ନାହିଁ। ପଟିଦିଅଁ ବିସର୍ଜିତ ହୁଅନ୍ତି ନାହିଁ। ପୂଜା ବନ୍ଦ ହୁଏ ନାହିଁ। ରୂପ ବିବର୍ଣ୍ଣ ହେଲେ ଜଳରେ ମେଲାଣି ଦିଆଯାଏ। ପ୍ରତିନିଧି ଦେବଦେବୀମାନେ ଯାଆନ୍ତି ଦକ୍ଷିଣୀ ଘରକୁ, ପୁଣି ରତ୍ନ ସିଂହାସନକୁ।
ଅଣସରରେ ଏହି ରୀତି ଚାଲିଆସୁଛି। ତେବେ ମାହାରୀ ନୃତ୍ୟ ବିକଶିତ ହୋଇ ‘ଓଡ଼ିଶୀ’ ରୂପରେ ଯେପରି ବିଶ୍ୱକୁ ବିମୁଗ୍ଧ କରିଛି, ଠିକ୍‌ ସେହିପରି ପୁରୀର ପାରମ୍ପରିକ ପଟିଦିଅଁ ପରମ୍ପରା ଶିଳ୍ପୀର ତୂଳୀରେ ଆଜି ପଟ୍ଟଚିତ୍ରରେ ପରିଣତ ହୋଇ ଓଡ଼ିଶାର ପଟାନ୍ତରହୀନ ପ୍ରାଚୁର୍ଯ୍ୟର ଗରିମା ଗାଉଛି।
ଠାକୁରଙ୍କ ଧ୍ୟାନରେ ରହି କାର୍ଯ୍ୟ କରୁ
-ଦେବଦତ୍ତ ମହାରଣା, ଚିତ୍ରକାର ସେବକ(ଜଗନ୍ନାଥଙ୍କ ପଟିଦିଅଁ ପ୍ରସ୍ତୁତକାରୀ)
ମୋ ଜେଜେ ରାମଚନ୍ଦ୍ର ମହାରଣା, ବାବା ନାରାୟଣ ମହାରଣାଙ୍କଠାରୁ ଏହି ପଟିଦିଅଁ ପ୍ରସ୍ତୁତି କାର୍ଯ୍ୟ ଶିଖିଛି। ମୋର ବୟସ ସେତେବେଳେ ୯ ବର୍ଷ। ସେଥର ଦିଅଁଙ୍କ ସ୍ନାନଯାତ୍ରା ସରିବା ପରେ  ଦିନେ ବାବା ମୋତେ  ସାଙ୍ଗରେ ନେଇ ରଥଖଳାକୁ ଗଲେ। ସେଠାରେ ମାହାପୁରୁଙ୍କୁ ମୁଣ୍ଡିଆ ମାରିଲି। ଆଉ ତା’ପରେ ଆରମ୍ଭ ହେଲା ଚିତ୍ରକାର ସେବା କାର୍ଯ୍ୟ ଶିକ୍ଷା। ପ୍ରକୃତ ପକ୍ଷେ ଆମ ସେବାର ଶିକ୍ଷାରମ୍ଭ ହୁଏ ରଥରେ। ଦୋଳ ପୂର୍ଣ୍ଣିମାରୁ ମାଘ ପୂର୍ଣ୍ଣିମା ଯାଏ ଥାଏ ପାଳି। ରଥର ବିଭିନ୍ନ ଚିତ୍ର ସହ ପଟିଦିଅଁ ପ୍ରସ୍ତୁତି କାର୍ଯ୍ୟ କରୁ। ଆମ ପରିବାରର ଦାୟିତ୍ୱ ରହିଛି ଜଗନ୍ନାଥଙ୍କ ପଟିଦିଅଁ ପ୍ରସ୍ତୁତି । ଏହି ସମୟରେ ଠାକୁରଙ୍କୁ ସବୁବେଳେ ସ୍ମରଣ କରୁ ଯେପରି କାର୍ଯ୍ୟଟି ସୁଷ୍ଠୁ ଭାବେ ସମ୍ପାଦିତ ହେଉ। ଆଉ ଏ ସମୟରେ ହବିଷ୍ୟ ଗ୍ରହଣ ସହ ଖାଲି ପାଦରେ ଯାତାୟାତ କରୁ । ମୋଟାମୋଟି ଠାକୁରଙ୍କ ଧ୍ୟାନରେ ରହି କାର୍ଯ୍ୟ କରିବାକୁ ହୁଏ। ଥରେ ପୁରୀ ଭିଆଇପି ରୋଡ଼୍‌ରେ ପଟିଦିଅଁଙ୍କୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ସେହି ପଟିଦିଅଁ ଏତେ ଜୀବନ୍ତ ଲାଗିଥିଲେ ଯେ, ଯାହା ଏବେ ବି ମୋ ପାଇଁ ଅଭୁଲା ହୋଇ ରହିଛି।
ମହାପ୍ରଭୁ ତାଙ୍କ କାର୍ଯ୍ୟ ଆମ ଦ୍ୱାରା କରାଇ ନିଅନ୍ତି
-ରବିଶଙ୍କର ମହାରଣା, ଚିତ୍ରକାର ସେବକ
ଆମ ପରିବାରର ସେବା ରହିଛି ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପଟିଦିଅଁ ପ୍ରସ୍ତୁତି। ୬ବର୍ଷ  ହେଲା ଏହି କାର୍ଯ୍ୟ କରି ଆସୁଛି। ଏହା ମୋ ବାବା ବିଶିଷ୍ଟ ଚିତ୍ରକାର ସେବକ ତଥା ଶତାଧିକ ଓଡ଼ିଆ ଚଳଚ୍ଚିତ୍ରର କଳା ନିର୍ଦ୍ଦେଶକ ବୁଢା ମହାରଣାଙ୍କଠାରୁ ଶିଖିଛି। ସାବିତ୍ରୀ ଅମାବାସ୍ୟା ପରଠାରୁ ଆରମ୍ଭ ହୁଏ ପଟିଦିଅଁ ପ୍ରସ୍ତୁତି କାର୍ଯ୍ୟ। ଆଉ ଏହା ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ଶେଷ ହୋଇଥାଏ। ଶ୍ରୀଜୀଉମାନେ ଅଣସରରେ ରହିବା ପରେ ଜଗମୋହନରେ ପଟିଦିଅଁ ପୂଜା ଆରମ୍ଭ ହୁଏ। ଏସବୁ କାର୍ଯ୍ୟ ସମର୍ପଣ ଭାବ ନେଇ କରିବାକୁ ପଡ଼େ। ମହାପ୍ରଭୁ ତାଙ୍କ କାର୍ଯ୍ୟ ଆମ ଦ୍ୱାରା କରାଇ ନିଅନ୍ତି। ତେବେ ଥରେ ବାବାଙ୍କର ପଟିଦିଅଁ ନେଇ ମନ୍ଦିରକୁ ଆସିବାର ଥାଏ। ସେଦିନ ନିଅଁା ଉପରେ ତାଙ୍କ ପାଦ ପଡ଼ିଯିବାରୁ ବଡ଼ ବଡ଼ ଫୋଟକା ହୋଇଯାଇଥିଲା। ମନ୍ଦିର କିପରି ଆସିବେ ଆଉ କାର୍ଯ୍ୟ କିପରି ହେବ ସେଥିନେଇ ସେ ଦ୍ୱନ୍ଦ୍ୱରେ ପଡ଼ିଗଲେ। ମନେ ମନେ ଠାକୁରଙ୍କୁ ସ୍ମରଣ କରୁଥାନ୍ତି। ଶେଷରେ ଖାଲି ପାଦରେ ମନ୍ଦିରକୁ ଆସିଲେ ଆଉ ସବୁ କାର୍ଯ୍ୟ ବି କଲେ। କିନ୍ତୁ ସେଦିନ ତାଙ୍କୁ କୌଣସି ଯନ୍ତ୍ରଣା ଜଣାପଡ଼ି ନ ଥିଲା। ବାବା କହିଥିବା ଏହି କଥା ମନେ ପଡ଼ିଲେ ଦେହ ଶିହରି ଉଠେ।

Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri