ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଥିଲେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ତେମଜେନ ଓୱାପାଙ୍ଗ ଏଓ। ପ୍ରଥମ ଦିନ ଗୁରୁବାର ସେ ଜିଲାର ଥୁଆମୂଳ ରାମପୁର ବ୍ଲକ୍ର ସାଇସୁରନିସ୍ଥିତ ଉପ ସ୍ବାସ୍ଥ୍ୟ କେନ୍ଦ୍ର, ମା’ ଗୃହ, କାଣିଗୁମାର ନୂତନ କଫି ଉଦ୍ୟାନ, ଇନ୍ଦ୍ରାବତୀ ଜଳଭଣ୍ଡାରର ପିଞ୍ଜରା ଭିତରେ ହେଉଥିବା ମାଛ ଚାଷ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ସମୟରେ ଏହାର ରକ୍ଷଣାବେକ୍ଷଣ, ସୁପରିଚାଳନା ଦାୟିତ୍ୱରେ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ। ପରେ ସେ ଜୟପାଟଣା ବ୍ଲକର କେତେକ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ତଦାରଖ କରିଥିଲେ। ଏହି ପରିଦର୍ଶନ ସମୟରେ ତାଙ୍କ ସହ ଜିଲାପାଳ ପାୱାର ସଚିନ ପ୍ରକାଶ, ଭାରତୀୟ ପ୍ରଶାସନିକ ସେବା (ପ୍ରୋବେଶନ) ଅନିମେସ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


