ହିଞ୍ଜିଳିକାଟୁରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ହିଞ୍ଜିଳିକାଟୁ,୮ା୭(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌ ଭିନିଲ୍‌ କ୍ରିଷ୍ଣା ହିଞ୍ଜିଳିକାଟୁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବୁଲି ସମୀକ୍ଷା କରିଛନ୍ତି। ଶନିବାର ହିଞ୍ଜିଳିରେ ପହଞ୍ଚି ସଚିବ ହିଞ୍ଜିଳିକାଟୁ ବ୍ଲକ ଗଣ୍ଡଳା ବେଲଗାଁସ୍ଥିତ ବେଲେଶ୍ବର ଡିଗ୍ରୀ ମହାବିଦ୍ୟାଳୟ ଓ ଶାସନ ଆମଗାଁସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଠାରୁ ହିଞ୍ଜିଳିକାଟୁ ପୌରପରିଷଦର ବସ୍‌ ଟର୍ମିନାଲ ନିକଟରେ ନିର୍ମାଣାଧୀନ ମାର୍କେଟ ବିଲ୍ଡିଂ, ମିଶନ ଶକ୍ତି କାଫେ ଓ ଆହାର କେନ୍ଦ୍ର ବୁଲି ଦେଖିଥିଲେ। ମାର୍କେଟ କମ୍ପ୍ଲେକ୍ସଠାରେ ହିଞ୍ଜିଳିକାଟୁ ବଣିକ ସଂଘ କାର୍ଯ୍ୟକର୍ତ୍ତା ଓ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ସଚିବଙ୍କୁ ଭେଟି ମାର୍କେଟ କମ୍ପ୍ଲେକ୍ସ ତଳ ସ୍ଥାନରେ ପାର୍କିଂ ନ କରି ବିସ୍ଥାପିତ ବ୍ୟବସାୟୀଙ୍କୁ ଦୋକାନ ଘର ନିର୍ମାଣ କରି ପ୍ରଦାନ ନିମନ୍ତେ ଦାବି ପତ୍ର ଦେଇଥିଲେ। ହିଞ୍ଜିଳିକାଟୁ ସ୍ବୟଂ ଶାସିତ ବିଜ୍ଞାନ କଲେଜ ଓ ପୋଚିଲିମା ଖମ୍ବେୟାଦୋରା କଲେଜ ବୁଲି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେଠାରୁ ହିଞ୍ଜିଳିକାଟୁ ଡାକବଙ୍ଗଳାରେ ପହଞ୍ଚିଥିଲେ। ସେଠାରେ ଜିଲା ଓ ଅଞ୍ଚଳର ବିଭିନ୍ନ ଅଧିକାରୀ ଓ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସହ ଅଞ୍ଚଳର ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବଙ୍କ ସହିତ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବ ଶୁଭ୍ରାଂଶୁ ମିଶ୍ର, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ମ୍ୟୁନିସିପାଲିଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ,ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ୍‌ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌର ବିଜେଡି ନଗର ସଭାପତି ଭୀମସେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।