କୋଭିଡ୍‌ କଟକଣା ପାଇଁ ସ୍ବତନ୍ତ୍ର ବୈଠକ: ଟେଷ୍ଟିଂ, ଟିକାଦାନ ଅଲଗା

ନିଶ୍ଚିନ୍ତକୋଇଲି,୧୭।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକଇଲି ବ୍ଲକରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହି ବ୍ଲକରେ କରୋନା ୬ ମୁଣ୍ଡ ନେଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଆକ୍ଟିଭ୍‌ କେସ ରହିଛି । ନିଶ୍ଚିନ୍ତକୋଇଲି ମେଡିକାଲରେ ଗୋଟିଏ ସ୍ଥାନରେ ଟିିକା ଓ କରୋନା ଟେଷ୍ଟ କରାଯାଉଥିବାରୁ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି । ଏପରିକି ପ୍ରବାସୀଙ୍କ ଆଗମନ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। ସୋମବାର ନିଶ୍ଚିନ୍ତକୋଇଲି ବିଡିଓ କର୍ନଦେବ ସମାଧାର ଏକ ଜରୁରୀ ବୈଠକ ବ୍ଲକ କାର୍ଯ୍ୟଳୟରେ ଡକାଇଥିଲେ। ଏହି ବୈଠକରେ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଅଶୋକ ଓଝା, ତହସିଲଦାର ମାନସ ରଞ୍ଜନ ତରାଶିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସର୍ବସମ୍ମତି କ୍ରମେ ସଂକ୍ରମଣ ଓ ପ୍ରବାସୀଙ୍କ ଆଗମନକୁ ଆଖିଆଗରେ ରଖି ବିଭିନ୍ନ ସ୍ଥାନରେ ଟେଷ୍ଟିଂକୁ ତ୍ୱରାନ୍ବିତ କରାଯିବ। ବରିଷ୍ଟ ନାଗରିକ ଓ କୋଭିଡ୍‌ ଯୋଦ୍ଧା ମାନଙ୍କ ପାଇଁ ବୁହାଲୋ ପଞ୍ଚାୟତ କାଯ୍ୟାଳୟ ଅସ୍ଥାୟୀ ଟିକାଦାନ କେନ୍ଦ୍ର ଖୋଲା ଯିବ। ତହସିଲଦାର ଓ ଥାନା ଅଧିକାରୀ ମିଳିତ ଭାବେ ଅମାନିଆ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। ଅଧିକ ସଂକ୍ରମଣ ସୂଚନା ମିଳିଲେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବ।