Categories: ଖେଳ

ସ୍ପେନ୍‌, ସୁଇଜରଲାଣ୍ଡ ବିଜୟୀ

ଡୁନେଡିନ/ ଓ୍ବେଲିଂଟନ/ ମେଲବୋର୍ନ, ୨୨ା୭: ଚଳିତ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ରେ ଶୁକ୍ରବାର ସ୍ପେନ୍‌ ଓ ସୁଇଜରଲାଣ୍ଡ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ କାନାଡା-ନାଇଜେରିଆ ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଡୁନେଡିନଠାରେ ସୁଇଜରଲାଣ୍ଡ ୨-୦ ଗୋଲ୍‌ରେ ଫିଲିପାଇନ୍ସକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଖେଳ ଶେଷ ପୂର୍ବରୁ ରାମୋନା ବାଚ୍‌ମାନ ଦଳ ପକ୍ଷରୁ ପ୍ରଥମ ଗୋଲ ପେନାଲ୍‌ଟି କିକ୍‌ ଜରିଆରେ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧରେ ସେରେନା ପୁବେଲ୍‌ ଅନ୍ୟ ଗୋଲ୍‌ଟିକୁ ସ୍କୋର କରିଥିଲେ। କୋମ୍ବା ସୋ’ଙ୍କ ରିବାଉଣ୍ଡ ଶଟ୍‌କୁ ସେ ଗୋଲ୍‌ରେ ପରିଣତ କରିଥିଲେ। ଗ୍ରୁପ୍‌ ‘ଏ’ର ଏହି ମୁକାବିଲା ଡୁନେଡିନ୍‌ର ଫୋର୍‌ସିତ୍‌ ବାର୍‌ ଷ୍ଟାଡିୟମରେ ହୋଇଥିଲା। ଟୁର୍ନାମେଣ୍ଟର ଏହା ହେଉଛି ଏକମାତ୍ର ଇନ୍‌ଡୋର ଭେନ୍ୟୁ। ମ୍ୟାଚ ବେଳେ ଷ୍ଟାଡିୟମରେ ୧୩,୭୧୧ ଦର୍ଶକ ଉପସ୍ଥିତ ଥିଲେ।
ଓ୍ବେଲିଂଟନଠାରେ ସ୍ପେନ୍‌ ୩-୦ ଗୋଲ୍‌ରେ କୋଷ୍ଟାରିକାକୁ ପରାସ୍ତ କରି ଟୁର୍ନାମେଣ୍ଟରେ ଦମ୍ଭ ଦେଖାଇଛି। ଗ୍ରୁପ୍‌ ‘ସି’ର ଏହି ମ୍ୟାଚରେ ତିନୋଟି ଯାକ ଗୋଲ୍‌ ପ୍ରଥମାର୍ଦ୍ଧରେ ସ୍କୋର ହୋଇଛି, ପୁଣି ୪ ମିନିଟ ମଧ୍ୟରେ। ତନ୍ମଧ୍ୟରେ କୋଷ୍ଟାରିକାର ଭାଲେରିଆ ଡେଲ୍‌ କାମ୍ପୋ (୨୧ତମ ମିନିଟ୍‌) ଙ୍କ ଏକ ଆତ୍ମଘାତୀ ଗୋଲ ସାମିଲ। ଅନ୍ୟ ଦୁଇଟି ଗୋଲ୍‌ ଆଇଟାନା ବୋନ୍‌ମାଟି (୨୩ତମ) ଓ ଇସ୍‌ଥର ଗୋଞ୍ଜାଲେଜ୍‌୍‌ (୨୭ତମ) ଦେଇଥିଲେ। ସ୍ପେନ୍‌ ଦଳର ବହୁ ଭଲ ଖେଳାଳି ଆଘାତପ୍ରାପ୍ତ ଥିବାରୁ ଟୁର୍ନାମେଣ୍ଟରେ ଦଳର ପ୍ରଦର୍ଶନ ଭଲ ରହିବ ନାହିଁ ବୋଲି ଅନେକ ଅନୁମାନ କରୁଥିଲେ। ମାତ୍ର ତାହା ଭୁଲ ପ୍ରମାଣିତ ହୋଇଛି। ପ୍ରଥମାର୍ଦ୍ଧ ସୁଦ୍ଧା ୮୦%ରୁ ଅଧିକ ସମୟ ଦଳ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଦଳକୁ ୧୨ଟି କର୍ନର ମିଳିଥିବାବେଳେ ଗୋଲ୍‌ପୋଷ୍ଟକୁ ୧୫ ଶଟ୍‌ ଲଗାଇଥିଲା।
ଅଷ୍ଟ୍ରେଲିଆର ମେଲବୋର୍ନଠାରେ କାନାଡା ଓ ନାଇଜେରିଆ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌ ‘ବି’ର ଏକ ମ୍ୟାଚ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଛି। ଏଥିରେ ନାଇଜେରିଆନ ଗୋଲ୍‌କିପର ଚିଆମାକା ନାଡୋଜିଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ସେ ବହୁ ଗୁରୁତ୍ୱପୂର୍ଣ୍ଣ ସେଭ୍‌ କରିଥିଲେ ା ତନ୍ମଧ୍ୟରେ କ୍ରିଷ୍ଟିନି ସିନ୍‌କ୍ଲେୟାରଙ୍କ ଏକ ପେନାଲ୍‌ଟି ଅନ୍ୟତମ।

Share