ନୂଆପଡ଼ା,୧୪ା୧୦ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମାନାରା ପଞ୍ଚାୟତ ପାୱାରତୋଳା ଗାଁରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ବିରୋଧ କରି ମଙ୍ଗଳବାର ଗ୍ରାମବାସୀ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ୭ଦିନ ଭିତରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର ସହ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି। ଏହି ମର୍ମରେ ଗ୍ରାମବାସୀ ଏସ୍ପି ଅମୃତପାଲ ସିଂଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ବେଆଇନ ମଦ କାରବାର ଯୋଗୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଉଛି। ଏହାକୁ ନେଇ ଗାଁରେ ଗଣ୍ଡଗୋଳ ମଧ୍ୟ ହେଉଛି। ମଦ କୋଠି ବନ୍ଦ ପାଇଁ ବିଭିନ୍ନ ସମୟରେ ପୋଲିସ ଓ ଅବକାରୀ ବିଭାଗକୁ ଲିଖିତ ଭାବରେ ଜଣାଇଥିଲେ। ଏପରି କି ଗାଁର ଶତାଧିକ ମହିଳା ଓ ପୁରୁଷ ଅଗଷ୍ଟ ୨୨ରେ ଧରମବନ୍ଧା ଥାନାକୁ ଯାଇ ମଦ କୋଠି ବନ୍ଦ କରିବା ପାଇଁ ଗୁହାରି କରିଥିଲେ ା ହେଲେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଶେଷରେ ନିରାଶ ହୋଇ ଥାନା ଘେରାଉ କରିଥିଲେ। ମଦକୋଠି ବନ୍ଦ କରି ବ୍ୟବସାୟୀଙ୍କୁ ଧରିବା ବଦଳରେ ପୋଲିସ ଗାଁର ୧୭ ଜଣ ମହିଳା ଓ ପୁରୁଷଙ୍କ ନାମରେ ମିଥ୍ୟା କେସ୍ ରୁଜୁ କରିଛି। ଗ୍ରାମବାସୀଙ୍କୁ ପୋଲିସ ସହଯୋଗ କଲେ ଜିଲାର ପ୍ରତ୍ୟେକ ଗାଁ ନିଶାମୁକ୍ତ ହୋଇପାରନ୍ତା ବୋଲି ଦର୍ଶାଇଛନ୍ତି। ମିଥ୍ୟା ମାମଲା ପ୍ରତ୍ୟାହାର ସହ ଗାଁରେ ମଦ କୋଠି ବନ୍ଦ କରି ବ୍ୟବସାୟୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତ। ଆଗାମୀ ୭ ଦିନ ଭିତରେ ସମସ୍ତ ଦାବି ପୂରଣ ନ ହେଲେ ଆନ୍ଦୋଳନ ସହ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ବୈଠକ କରି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।
Dharitri – Odisha’s No.1, Most Trusted Odia Daily


