ସଲମାନଙ୍କୁ ସୁପରଷ୍ଟାର କରିଥିଲା ବାଲାସୁବ୍ରମଣ୍ୟଙ୍କ ଗୀତ

ମୁମ୍ବାଇ: ନିଜର ମଖମଲି ସ୍ୱରରେ ଶ୍ରୋତାଙ୍କ ହୃଦୟରେ ଘର କରିଥିବା ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କର ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଛି । ସେ ଅଗଷ୍ଟ ପ୍ରଥମ ସପ୍ତାହରେ କରୋନାରେ ସଂକ୍ରମିତ ହେବା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଊଥିବା ସମୟରେ ତାଙ୍କର ପରଲୋକ ହୋଇଛି । ହିନ୍ଦୀ ଫିଲ୍ମ ଦୁନିଆରେ ତାଙ୍କର ଥିଲା ଏକ ସ୍ୱତନ୍ତ୍ର ପରିଚୟ । ତେବେ ତାଙ୍କ ସ୍ୱରକୁ ସଲମାନଙ୍କ ସ୍ୱର ବୋଲି କୁହାଯାଇଥାଏ । ସଲମାନଙ୍କ ଅଭିନୀତ ଅନେକ ହିଟ୍ ମୁଭିରେ ସେ କଣ୍ଠଦାନ କରିଥିବା ବେଳେ ଏହା ପରବର୍ତ୍ତି ସମୟରେ ସଲମାନଙ୍କ ସ୍ୱର ବୋଲି କୁହାଯାଉଥିଲା । ବଲିଉଡ୍‌ଠାରୁ ଟଲିଉଡ୍ ପର୍ଯ୍ୟନ୍ତ ବାଲାସୁବ୍ରମଣ୍ୟମଙ୍କର ଥିଲା ଏକ ସ୍ୱତନ୍ତ୍ର ପରିଚୟ । ସଲମାନ ଓ ଭାଗ୍ୟଶ୍ରୀଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ମେନେ ପ୍ୟାର କିୟା’ର ସମସ୍ତ ଗୀତ ବାଲାସୁବ୍ରମଣ୍ୟମ ଗାଇଥିବା ବେଳେ ଏହା ହୋଇଥିଲା ସୁପରହିଟ୍ । ଆଉ ସେତେବେଳେ ଦର୍ଶକ ଓ ଶ୍ରୋତା ଭାବିଥିଲେ ଗୀତ ଗୁଡିକ ନିଜେ ସଲମାନ ବୋଧହୁଏ ଗାଇଛନ୍ତି । ଏମିତି ଭାବେ ସଲମାନ ହିଟ୍ ନାୟକ ପାଲଟି ଯାଇଥିଲେ । ବାଲାସୁବ୍ରମଣ୍ୟମ ହମ୍ ଆପକେ ହୈ କୌନ, ଅନ୍ଧା କାନୁନ, ସାଜନ, ୧୦୦ଡେଜ୍‌, ଚେନ୍ନାଇ ଏକ୍ସପ୍ରେସ୍ ଓ ଅଙ୍ଗାର ଭଳି ଫିଲ୍ମରେ ଗୀତ ଗାଇ ଶ୍ରୋତା ତଥା ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । ଏହା ବ୍ୟତୀତ କନ୍ନଡ, ତାମିଲ ଓ ତେଲୁଗୁ ଫିଲ୍ମରେ ବି ତାଙ୍କର ରହିଛି ଏକ ଭିନ୍ନ ପରିଚୟ । ବାଲାସୁବ୍ରମଣ୍ୟମଙ୍କ ପୁରା ନାଁ ହେଉଛି ଶ୍ରୀପତି ପଣ୍ଡିତରାଧ୍ୱଲା ବାଲାସୁବ୍ରମଣ୍ୟମ । ବାଲୁ ନାଁରେ ସେ ବେଶ୍ ପରିଚିତ । ପାଖାପାଖି ୧୬ ଭାରତୀୟ ଭାଷାରେ ସେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ୨୦୦୧ରେ ସେ ପଦ୍ମଶୀ ଓ ୨୦୧୧ରେ ପଦ୍ମ ଭୁଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

Share