ଜଳୁଥିବା କୋଠାରୁ ଦୁଇ ବର୍ଷ ଝିଅର ଜୀବନ ବଞ୍ଚାଇବାକୁ ତଳକୁ ଫିଙ୍ଗିଦେଲେ ମା’

କେପଟାଉନ,୧୬ ।୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କୁ ଗିରଫ କରାଯିବା ପରେ ସେଠାରେ ହିଂସା ଜାରି ରହିଛି । ଏହାକୁ ବିଭିନ୍ନ ସହରରେ ବିରୋଧ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଏହି ହିଂସାରେ ଏବେ ପର୍ଯ୍ୟନ୍ତ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହେଲାଣି । ସେଠାରେ ପରିସ୍ଥିତି ଏବେ ଜଟିଳ ରହିଛି । ଏହି ହିଂସାକୁ ନେଇ ନିକଟରେ ସୋସିଆଲ ମିଡିଆରେ ଆସିଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ଜଣେ ମା’ ନିଜ ୨ ବର୍ଷ ଶିଶୁକନ୍ୟାର ଜୀବନ ବଞ୍ଚାଇବାକୁ ତାକୁ ତଳକୁ ଫିଙ୍ଗି ଦେଉଥିବା ଦେଖାଯାଇଛି । ଡରବାନର ସେଣ୍ଟ୍ରାଲ ବିଜନେସ୍ ଡିଷ୍ଟ୍ରିକ୍ଟର ଗ୍ରାଉଣ୍ଡ ଫ୍ଲୋରରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଥିଲେ । ଫଳରେ ଏହା ଉପର ମହଲାକୁ ବ୍ୟାପିବାରେ ଲାଗିଥିଲା । ଫଳରେ ଉପର ମହଲାରେ ଥିବା ଲୋକେ ସେଠାରେ ଫସି ଯାଇଥିଲେ । ସେଠାରେ ଥିବା ଜଣେ ମହିଳା ନାଲେଦି ମେନିୟୋନି ନ୍ୟୁଜ ଏଜେନ୍ସି ରଏଟର୍ସକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି, ସେ ବି ଉକ୍ତ କୋଠାର ୧୬ ମହଲାରେ ଫସି ଯାଇଥିଲେ । ତାଙ୍କ ସହ ତାଙ୍କର ୨ ବର୍ଷର ଝିଅ ବି ଥିଲା । ସେ ସିଡିରେ କୌଣସି ମତେ ତଳକୁ ଆସିବା ପରେ ତଳେ ଥିବା ଲୋକେ ତାଙ୍କୁ ଶିଶୁ କନ୍ୟାଟିକୁ ତଳକୁ ଫିଙ୍ଗି ଦେବାକୁ କହିଥିଲେ । ଆଉ ମା’ କାଳ ବିଳମ୍ବ ନ କରି ନିଜର ଶିଶୁ କନ୍ୟାକୁ ତଳକୁ ଫିଙ୍ଗି ଦେବାବେଳେ ତଳେ ଥିବା ଲୋକେ ପିଲାଟିକୁ ଧରି ନେଇଥିଲେ । ଏହାପରେ ସେମାନେ ମା’କୁ ବି ଉଦ୍ଧାର କରିଥିଲେ । ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଖୁବ୍ ଦୁଃଖଦାୟକ ବୋଲି ଅନେକ ଯୁଜର୍ସ କମେଣ୍ଟ କରୁଛନ୍ତି ।

Share