ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ। ଗଁା ଠାକୁରାଣୀଙ୍କ ଜାଗାରେ ଛପର କରି ପରିବାର ପୋଷଣ କରନ୍ତି। ପୁଅ ସୌମ୍ୟରଞ୍ଜନ ସାହୁ ଡାକ୍ତରୀ ପାଠ ପଢିବା ପାଇଁ ବାପା କୈଳାସଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମର୍ମାହତ ହୋଇପଡ଼ିଛନ୍ତି। ଡାକ୍ତରୀ ପଢିବା ପାଇଁ କଟକ ବଡ଼ ମେଡିକାଲ କଲେଜରେ ନାମ ଲେଖାଇବେ। କୈଳାସଙ୍କ ପୁଅର ନାମ ଲେଖାଇବା ପାଇଁ କେନ୍ଦ୍ରାପଡା ଜିଲାର ବିଶିଷ୍ଟ ସମବାୟବିତ ତଥା କ୍ରେଡିଟ ସମବାୟ ବ୍ୟାଙ୍କର ସଭାପତି ପ୍ରମୋଦ କୁମାର ସାହୁ ମେଧାବୀ ଛାତ୍ରଙ୍କ ପରିବାର ନିକଟରେ ବୁଧବାର ପହଞ୍ଚି ୧୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଅଧିକ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏହି ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସହିତ ରାମନଗର ଶାଖା କ୍ରେଡିଟ ସମବାୟ ବ୍ୟାଙ୍କ ପରିଚାଳକ ଶାନ୍ତନୁ କୁମାର ସାହୁ , ବସନ୍ତ ସାହୁ , ଆଲୋକ ସାହୁ, ବ୍ୟାଙ୍କ ନିର୍ଦ୍ଦେଶକ ଦିଲ୍ଲୀପ ରାଉତ ଓ ଅଭୟ ସାମଲଙ୍କ ସମେତ ଗ୍ରାମର ମୁରବିମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ କେନ୍ଦ୍ରାପଡା କଲେଜରୁ ପଦାର୍ଥ ବିଜ୍ଞାନ ସମ୍ମାନରେ ଅଧ୍ୟୟନ କରୁଥିବା ବେଳେ ଚଳିତ ସର୍ବଭାରତୀୟ ଏନ୍ଇଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ଭୂମିହୀନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।