ଡେଲିଭରି ବୟଙ୍କ ମୃତ୍ୟୁ ପରେ ସହଯୋଗର ହାତ ବଢାଇଲେ ସୋନୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ବଦାନ୍ୟତା ପାଇଁ ବେଶ ଚର୍ଚ୍ଚିତ । ଶୁକବାର ମୁମ୍ବାଇରେ ଜଣେ ଫୁଡ ଡେଲିଭରି ବୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ଜାଣିବା ପରେ ସେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ ବୋଲି କଥା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ଅନ୍ଧେରୀରେ ଥିବା ଲୋଖଣ୍ଡୱାଲା ଅଞ୍ଚଳରେ ଜଣେ ୧୯ ବର୍ଷୀୟ ଫୁଡ ଡେଲିଭରି(ଜମାଟୋ) ବୟ ସ୍କୁଟିରେ ଯାଉଥିବା ସମୟରେ ତାଙ୍କ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମର୍ସିଡିଜ କାର ଡେଲିଭରି ବୟଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ମିଳିବା ପରେ ଅଭିନେତା ସୋନୁ ସୁଦଙ୍କ ହୃଦୟ ତରଳି ଯାଇଥିଲା । ସେ ସାଙ୍ଗେ ସାଙ୍ଗେ ମୃତ ଯୁବକଙ୍କ ପରିବାର ସହ ଯୋଗାଯୋଗ କରି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇତିବା କାର୍ ଚାଳକ ଜଣେ ଛାତ୍ର ବୋଳି ଜଣାପଡିଛି । ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଛି । ସୋନୁ ପ୍ରଥମେ କରୋନା ମହାମାରୀ ସମୟରେ ପ୍ରବାସୀମାନଙ୍କୁ ସବୁ ପ୍ରକାରର ସାହାଯ୍ୟ ସହଯୋଗ କରି ଆସିଥିଲେ ଚର୍ଚ୍ଚାକୁ । ଆଉ ଏହା ପରଠାରୁ ସେ ଗୋଟିଏ ପରେ ଗୋଟିଏ ସାହାଯ୍ୟ ଯୋଗାଇ ଦେଇ ସମସ୍ତଙ୍କ ହୃଦୟରେ ଘର କରି ନେଇଥିବା କୁହାଯାଏ ।

Share