Categories: ଖେଳ

‘କିଛି ଅମ୍ପାୟର ଏବେ ଶାନ୍ତିରେ ଶୋଇପାରିବେ’

ନୂଆଦିଲ୍ଲୀ,୧୨।୧୦: ଚଳିତ ଆଇପିଏଲର ପ୍ରଥମ ଏଲିମିନେଟରରେ କେକେଆର ଠାରୁ ୪ ଉଇକେଟରେ ପରାସ୍ତ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି)ର ଅଭିଯାନ ଶେଷ ହୋଇଛି। ଏଥି ସହ ଶେଷ ହୋଇଯାଇଛି ଅଧିନାୟକ ଭାବେ ବିରାଟ କୋହଲିଙ୍କ ଆଇପିଏଲ କ୍ୟାରିୟର। ଏହି ଅବସରରେ ବିଦାୟୀ ଅଧିନାୟକଙ୍କୁ ସାଥି ଖେଳାଳି ଏବି ଡି’ଭିଲର୍ସ ସବୁ କିଛି ପାଇଁ ଧନ୍ୟବାଦ୍‌ ଜଣାଇଛନ୍ତି।

”ଅଧିନାୟକ କୋହଲିଙ୍କ ସହ ମୁଁ ସବୁ ବର୍ଷ ଥିଲି। ତାଙ୍କ ଭଳି ଅଧିନାୟକ ପାଇବା ଆମ ପାଇଁ ସୌଭାଗ୍ୟର ବିଷୟ। ତୁମେ ଯେଉଁଭଳି ଦଳର ନେତୃତ୍ୱ ନେଇଛ, ତାହା ପ୍ରତ୍ୟେକଙ୍କୁ ପ୍ରେରଣା ଦେଇଛି। ଜଣେ ଭଲ ମଣିଷ ଓ ଖେଳାଳି ହେବା ପାଇଁ ତୁମଠୁ ପ୍ରେରଣା ପାଇଛି। ମୁଁ ତୁମକୁ ପଡ଼ିଆ ଭିତରେ ଓ ବାହାରେ ଜାଣିଛି। ତୁମେ ଲୋକଙ୍କୁ ନିଜ ଉପରେ ବିଶ୍ୱାସ କରିବା ଶିଖାଅ, ଯାହା ଟ୍ରଫି ଜିତିବାଠାରୁ ବଡ଼ କଥା। ମୋର ଏବେ ବି ବିଶ୍ୱାସ ଅଛି, ଟ୍ରଫି ତୁମେ ହାତେଇବ“ ବୋଲି ଆରସିବି ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଡି’ଭିଲୟର୍ସ କହିଛନ୍ତି।

ତୁମେ ଆମ ପାଇଁ ଯାହା କରିଛ, ତାହା ଆମେ କଦାପି ଭୁଲି ପାରିବୁ ନାହିଁ। ତୁମ ସହ ଥିବା ପ୍ରତ୍ୟେକ ସ୍ମୃତି ପାଇଁ ଧନ୍ୟବାଦ୍‌। ମୋ ମତରେ ଏବେ କିଛି ଅମ୍ପାୟର ଶାନ୍ତିରେ ଶୋଇପାରିବେ। ମୁଁ ସେମାନଙ୍କ ପାଇଁ ଖୁସି ବୋଲି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ହସି ହସି କହିଥିଲେ।

Share