୨ ବର୍ଷ ହେଲା ସୋଲାର ପମ୍ପ ଅଚଳ

କର୍ଲାମୁଣ୍ଡା,୨୫।୧୧(ଡି.ଏନ.ଏ.): ପିଇବା ପାଣି ସୁବ୍ୟବସ୍ଥା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଯୋଜନାଗୁଡିକ ଆରମ୍ଭ ହେଇ ପରବର୍ତ୍ତୀ ସମୟରେ ଠପ ହେଇଯାଉଛି। ଏପରି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ଶୀଶାଖାଲ ଗାଁରେ ଦେଖିବାକୁ ମିଳିଛି। ସୂଚନା ମତେ ଏହି ଗାଁଟି ବ୍ଲକ ସଦର ମହକୁମାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ। ସିଶାଖାଲ (ବସ୍ତିରେ) ୧୧୦ ପରିବାରରେ ପ୍ରାୟ ୪ଶହ ୫ ଜଣ ଲୋକଙ୍କ ପିଇବା ପାଣି ପାଇଁ ରହିଛି ୪ଟି ନଳକୂପ। ସେଥି ମଧ୍ୟରୁ ୩ଟି ନଳକୂପର ପାଣି ବ୍ୟବହାର ଉପଯୋଗୀ ହୋଇ ନ ଥିବାରୁ ଲୋକଙ୍କ ପିଇବା ପାଣି ରବ୍ୟବସ୍ଥା ପାଇଁ ଗ୍ରାମ ପଞ୍ଚାୟତ ପକ୍ଷରୁ ୨୦୧୯ରେ ନଳକୂପରେ ସୋଲାର ବ୍ୟବସ୍ଥା କରାଯାଇଥିଲା। ତେବେ ପ୍ରଥମ ଗୋଟିଏ ବର୍ଷ ଠିକ ଭାବେ ଲୋକେ ସୋଲାର ଜରିଆରେ ସୁବିଧାରେ ପାଣି ପାଉଥିଲେ। ୨୦୨୦ରୁ ସୋଲାର ପମ୍ପ ଅଚଳାବସ୍ଥାରେ ପଡିରହିଛି। ଏଥିପାଇଁ ତତ୍କାଳୀନ ସରପଞ୍ଚ ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ହେଁ କୌଣସି ଗୁରୁତ୍ୱ ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସୋମବାର ସ୍ଥାନୀୟ ପଞ୍ଚାୟତରେ ଜନଶୁଣାଣି ଶିବିରରେ ନୂତନ ବିଡିଓଙ୍କୁ ଲିଖିତ ଅଭିଯୋଗ ଦେଇ ଶୀଘ୍ର ସୋଲାର ପମ୍ପର ମରାମତି ହେବାକୁ ଆଶା ବାନ୍ଧିଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ବିଭୁତି କିଷାନଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ଖର୍ଚ୍ଚ କରି ସଜା ପାଇଁ ବ୍ୟବସ୍ଥା ଥିଲେ ହେଁ ତତ୍କାଳୀନ ସରପଞ୍ଚ କୌଣସି ପଦକ୍ଷେପ ନେଲେ ନାହିଁ। ଏବେ ଆମେ ଆମ ବିଭାଗରୁ ଖର୍ଚ୍ଚ କରି ସୋଲାର ପମ୍ପର ମରାମତି ଏହି ସପ୍ତାହ ମଧ୍ୟରେ କରିବୁ ବୋଲି କହିଛନ୍ତି।