୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍’ (Ring of Fire) ଅର୍ଥାତ ନିଆଁର ବଳୟ ଦୃଶ୍ୟମାନ ହେବ। ଜାଣନ୍ତୁ ଏହି ପରାଗ କେଉଁଠି ଦେଖାଯିବ ଏବଂ ଏହାର ବିଶେଷତା କ’ଣ
ଆକାଶରେ ଘଟୁଥିବା ମହାଜାଗତିକ ଘଟଣାସବୁ ସଦାସର୍ୱଦା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଏ। ୨୦୨୭ ମସିହାରେ ମଧ୍ୟ ଏକ ଅତ୍ୟନ୍ତ ଖାସ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ୬ ଫେବୃଆରୀ ୨୦୨୭ ରେ ବଳୟାକାର ସୂର୍ଯ୍ୟପରାଗ (Annular Solar Eclipse) ସଂଘଠିତ ହେବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଢାଙ୍କି ପାରିବ ନାହିଁ। ସୂର୍ଯ୍ୟଙ୍କ ଚାରିପାଖରେ ଆଲୋକର ଏକ ଉଜ୍ଜ୍ୱଳ ବଳୟ ଦେଖାଯିବ, ଯାହାକୁ ‘ରିଙ୍ଗ ଅଫ ଫାୟାର୍’ ବା ନିଆଁର ବଳୟ କୁହାଯାଏ।
ଚନ୍ଦ୍ର ଯେତେବେଳେ ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଝିକୁ ଆସିଯାଏ, ସେତେବେଳେ ସୂର୍ଯ୍ୟପରାଗ ହୋଇଥାଏ। କିନ୍ତୁ ବଳୟାକାର ସୂର୍ଯ୍ୟପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନାରେ ଥିଲେ ବି ସୂର୍ଯ୍ୟ ତୁଳନାରେ ଟିକିଏ ଛୋଟ ଦେଖାଯାଏ। ଫଳରେ ସୂର୍ଯ୍ୟଙ୍କ ମଝି ଅଂଶ ଢାଙ୍କିଯାଏ ଏବଂ ତା’ ଚାରିପାଖରେ ଆଲୋକର ଗୋଲାକାର ବଳୟ ଦୃଶ୍ୟମାନ ହୁଏ। ଏହି ଚମକୁଥିବା ବଳୟ ଯୋଗୁଁ ହିଁ ଏହାକୁ ‘ରିଙ୍ଗ ଅଫ ଫାୟାର୍’ କୁହାଯାଏ।
ନାସା (NASA) ର ସୂଚନା ଅନୁଯାୟୀ, ୬ ଫେବୃଆରୀ ୨୦୨୭ ରେ ଏହି ବଳୟାକାର ସୂର୍ଯ୍ୟପରାଗ ହେବ। ଏହି ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କର ପ୍ରାୟ ୯୩ ପ୍ରତିଶତ ଅଂଶକୁ ଢାଙ୍କି ଦେଇପାରେ। ପରାଗର ସବୁଠାରୁ ବଡ଼ ପର୍ଯ୍ୟାୟରେ ସୂର୍ଯ୍ୟଙ୍କ ଚାରିପାଖରେ ଏହି ଚମକୁଥିବା ବଳୟ ପ୍ରାୟ ୭ ମିନିଟ ୫୧ ସେକେଣ୍ଡ ପର୍ଯ୍ୟନ୍ତ ଦେଖାଯାଇପାରେ। ଏହି ଦଶନ୍ଧିର ଦୀର୍ଘତମ ବଳୟାକାର ସୂର୍ଯ୍ୟପରାଗଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ହେବ।
ଏହି ପରାଗ ପୃଥିବୀର ସବୁ ଭାଗରୁ ଦୃଶ୍ୟମାନ ହେବ ନାହିଁ। ଏହାର ମୁଖ୍ୟ ପଥ ଦକ୍ଷିଣ ଆମେରିକା ଏବଂ ପଶ୍ଚିମ ଆଫ୍ରିକାର କିଛି ଅଞ୍ଚଳ ଦେଇ ଗତି କରିବ।
ଦକ୍ଷିଣ ଆମେରିକା: ଚିଲି ଏବଂ ଆର୍ଜେଣ୍ଟିନାର କିଛି ଅଂଶରେ ଏହା ସବୁଠାରୁ ଭଲ ଭାବେ ଦେଖାଯିବ। ଏହାଛଡ଼ା ଉରୁଗୁଏ ଏବଂ ବ୍ରାଜିଲର କେତେକ ଅଞ୍ଚଳ ଦେଇ ବି ଏହା ଅତିକ୍ରମ କରିବ।
ପଶ୍ଚିମ ଆଫ୍ରିକା: ଆଟଲାଣ୍ଟିକ ମହାସାଗର ପାର୍ ହେବା ପରେ ଏହା ପଶ୍ଚିମ ଆଫ୍ରିକାର କୋଟ ଡି’ଆଇଭୋର (Ivory Coast), ଘାନା, ଟୋଗୋ, ବେନିନ ଏବଂ ନାଇଜେରିଆ ଆଦି ଦେଶରେ ଦେଖାଯିବ।
ଏହି ସୂର୍ଯ୍ୟପରାଗର ବିଶେଷତା ହେଉଛି ଏହାର ଦୀର୍ଘ ସମୟ। ଏହାର ମୁଖ୍ୟ କାରଣ ହେଉଛି ଚନ୍ଦ୍ର ଏବଂ ପୃଥିବୀର ସ୍ଥିତି। ପରାଗ ସମୟରେ ଚନ୍ଦ୍ର ପୃଥିବୀଠାରୁ ତୁଳନାତ୍ମକ ଭାବେ ଦୂରରେ ରହିବ, ତେଣୁ ତାହା ଆକାଶରେ ଟିକିଏ ଛୋଟ ଦେଖାଯିବ। ଅନ୍ୟପଟେ ପୃଥିବୀ ସୂର୍ଯ୍ୟଙ୍କ ନିକଟତର ଥିବାରୁ ସୂର୍ଯ୍ୟ ଟିକିଏ ବଡ଼ ଦେଖାଯିବେ। ଏହି ସ୍ଥିତି ଯୋଗୁଁ ଚନ୍ଦ୍ର ସୂର୍ଯ୍ୟଙ୍କୁ ପୂରା ଢାଙ୍କି ପାରିବ ନାହିଁ ଏବଂ ରିଙ୍ଗ ଅଫ ଫାୟାର୍ ପର୍ଯ୍ୟାୟ ଅଧିକ ସମୟ ଧରି ରହିବ।
୬ ଫେବୃଆରୀ ୨୦୨୭ ର ଏହି ବଳୟାକାର ସୂର୍ଯ୍ୟପରାଗ ଭାରତରୁ ’ରିଙ୍ଗ ଅଫ ଫାୟାର୍’ ରୂପରେ ଦୃଶ୍ୟମାନ ହେବ ନାହିଁ। ଏହାକୁ ଦେଖିବା ପାଇଁ ଦକ୍ଷିଣ ଆମେରିକା କିମ୍ୱା ପଶ୍ଚିମ ଆଫ୍ରିକାର ସେହି ଅଞ୍ଚଳଗୁଡ଼ିକୁ ଯିବାକୁ ପଡ଼ିବ ଯେଉଁଗୁଡ଼ିକ ଏହାର ମୁଖ୍ୟ ପଥରେ ଆସୁଛନ୍ତି।
ଆଗକୁ ବି ହେବ ଖାସ ଗ୍ରହଣ
୨୦୨୭ ମସିହାରେ ମୋଟ ଦୁଇଟି ସୂର୍ଯ୍ୟପରାଗ ହେବ।
୬ ଫେବୃଆରୀରେ ବଳୟାକାର ସୂର୍ଯ୍ୟପରାଗ
୨ ଅଗଷ୍ଟ ୨୦୨୭ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ
ଏହାଛଡ଼ା ସେହି ବର୍ଷ ମୋଟ ତିନୋଟି ଚନ୍ଦ୍ରଗ୍ରହଣ ମଧ୍ୟ ସଂଗଠିତ ହେବ।