ଟିକା ପାଇଁ ଭୁଲିଗଲେ ସାମାଜିକ ଦୂରତା

କଟକ ଅଫିସ,୧୫।୭: କଟକ ସହରରେ ପ୍ରାୟ ୬ଦିନ ପରେ ବୁଧବାର ଟିକାକରଣ ଆରମ୍ଭ ହୋଇଛି। ଟିକା ନେବା ପାଇଁ ବିଭିନ୍ନ କେନ୍ଦ୍ରରେ ଲୋକଙ୍କ ଲମ୍ବା ଧାଡି ଲାଗିଥିଲା। ହେଲେ ଇନ୍‌ଡୋର ଷ୍ଟାଡିୟମରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଟିକାକେନ୍ଦ୍ରରେ ପ୍ରବେଶ ପାଇଁ ଲୋକମାନେ ସାମାଜିକ ଦୂରତାକୁ ଭୁଲି ଯାଇ ଠେଲାପେଲା ହେଉଥିଲେ। ଯେପରି ଲାଗୁଥିଲା କାହାରିକୁ କରୋନାର ଭୟ ନାହିଁ। ସହରରେ ଟିକାକରଣ ସୁରୁଖୁରୁରେ ଚାଲିଥିବା କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟୁଇଟ୍‌ରେ ପ୍ରଚାର କରାଯାଉଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ଏଭଳି ଭିଡ଼ ବାରମ୍ବାର ହେଉଥିଲେ ମଧ୍ୟ ସିଏମ୍‌ସି ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆ ନ ଯିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସିଏମ୍‌ସି ଯୁଗ୍ମ କମିଶନର ସୁମିତା ସରକାର କହିଛନ୍ତି, କିଛିଦିନ ବ୍ୟବଧାନରେ ସହରରେ ଟିକାକରଣ ଆରମ୍ଭ ହୋଇଥିବାରୁ ଏପରି ଭିଡ ଦେଖାଯାଇଥିଲା। ଏଥିସହ କିଛି ଟେକ୍ନିକାଲ ସମସ୍ୟା ପାଇଁ ଟିକାକରଣରେ ବିଳମ୍ବ ହୋଇଥିଲା। ତେବେ ଭିଡ ନିୟନ୍ତ୍ରଣ ପାଇଁ ଟୋକନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ।