ପୁଣି ଚାଲିଲା ମାଙ୍କଡ଼ା ଖଣି, କ୍ରଶର

ଖଇରା,୪।୪ (ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ ବନ୍ଦ ପଡିଥିବା ସମସ୍ତ ମାଙ୍କଡା ଖଣି ଓ କ୍ରଶର ପୁଣି ଏବେ ଚାଲିବାକୁ ଆରମ୍ଭ କଲାଣି । କିଛି ମାସ ବନ୍ଦ ପଡିବା ପରେ ଏବେ ମାଙ୍କଡା ପଥର ଚୋରା ଚାଲାଣକାରୀ ସକ୍ରିୟ ହୋଇପଡିଛନ୍ତି । ସନ୍ଧ୍ୟା ହେବାମାତ୍ରେ ଟ୍ରିପ ଟ୍ରିପ ମାଙ୍କଡା ବୋଝେଇ ଟ୍ରକ ଓ ଟ୍ରାକ୍ଟର ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳକୁ ପଥର ବୋହିବା କାର୍ଯ୍ୟରେ ଲାଗି ପଡୁଛନ୍ତି । ମୁଖ୍ୟମନ୍ତ୍ରୀ, ରାଜ୍ୟ ଖଣି ବିଭାଗ ମନ୍ତ୍ରୀ ଓ ସଚିବ, ବାଲେଶ୍ୱର ଜିଲାପାଳ ଏଥିପ୍ରତି ଦୃଷ୍ଟି ନ ଦେଲେ ସମଗ୍ର କୁପାରୀ ଅଞ୍ଚଳ କୃତ୍ରିମ ହ୍ରଦ ପାଲଟିବ ବୋଲି ଖଣି ସଂଲଗ୍ନ ଗ୍ରାମବାସୀ କହିଛନ୍ତି ।
୨ ରାଜସ୍ବ କ୍ଷେତ୍ର ଅଧୀନ ମାଟିତଳେ ଭରପୁର ମାଙ୍କଡା ପଥର ଗଚ୍ଛିତ ରହିଛି । ରାଜସ୍ବ ବିଭାଗ ସରକାରୀ ଭାବେ ନିଲାମ ଦେଉ ନ ଥିବା ବେଳେ ଚୋରାଚାଲାଣକାରୀ ରାଜସ୍ବ ବିଭାଗ ଓ ଖଇରା ଥାନାର କିଛି କର୍ମଚାରୀଙ୍କୁ ପକେଟରେ ରଖି ଅହରହ ଖଣି ଖୋଳି ଚାଲିଛନ୍ତି। ବର୍ତ୍ତମାନ ବରପଦାରେ ୩ଟି, କଳମଚୁଆରେ ୨ଟି, ରଣପୁରରେ ୩ଟି, ହରିପୁରରେ ୪ଟି, କୁପାରୀ ସରକାରୀ ମଦ ଦୋକାନ ପଛ ପଟେ ଗୋଟିଏ ଖଣି ଚାଲୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାତିତମାମ ପାୱାର ଟିଲର ଗର୍ଜନରେ ଗ୍ରାମବାସୀଙ୍କୁ ରାତିରେ ଶୋଇବା ମୁସ୍କିଲ ହୋଇପଡୁଛି  । ପୂର୍ବରୁ ଏହିଭଳି କିଛି ଜଳଭର୍ତ୍ତି ପରିତ୍ୟକ୍ତ ମାଙ୍କଡା ଖଣି ପାଣିରେ ପଡି ୫ବର୍ଷରେ ୧୦ଜଣରୁ ଊର୍ଦ୍ଧ୍ୱ ବୟସ୍କ ଓ ଶିଶୁ, ୫୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀ ଓ ହରିଣ ଭଳି ବନ୍ୟପ୍ରାଣୀ ପ୍ରାଣ ହରାଇ ସାରିଥିବା ବେଳେ ଏବେ ପୁଣି ଥରେ ସୃଷ୍ଟି କରାଯାଉଥିବା ସେହିଭଳି ଗର୍ତ୍ତ ମଣିଷ ପ୍ରାଣୀଙ୍କ ପାଇଁ ମୃତ୍ୟୁଯନ୍ତା ସାଜିଛି । ସେହିଭଳି ଏହି ୨ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ଦ ପଡିଥିବା କ୍ରଶରଗୁଡିକ ରୀତିମତ ଚାଲୁଥିବା ବେଳେ ଏଥିରେ ଶାରୀଶୁଆ ପାହାଡରୁ ରାତିରେ ପଥର ଅଣାଯାଇ ବ୍ୟବହୃତ କରାଯାଉଥିବା କଦଳୀଗଡିଆ, ବଗେଇପୁର, ସାନନୂଆଗାଁ, କଇଥଗଡିଆ, ବରପଦା ଗ୍ରାମର ଅଧିବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନୀ ଧଳଙ୍କୁ ଯୋଗାଯୋଗ କରିବାରେ ସେ ରାତିରେ ଚଢାଉ ପାଇଁ ଖଣି ଅଞ୍ଚଳରେ ପହଞ୍ଚତ୍ବା ପୂର୍ବରୁ ଖଣି ବ୍ୟବହାରକାରୀମାନେ ଅନ୍ଧାରରେ ଲୁଚି ଯାଉଥିବା ବେଳେ ତହସିଲଦାର ଛୁଟିରୁ ଫେରିଲେ ଚଢାଉକୁ ଜୋରଦାର କରାଯିବା ବୋଲି କହିଛନ୍ତି।