ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଟୁସୁଳା ଗ୍ରାମର ଟିକେଶ୍ୱର ନାୟକ(୪୦) ସବୁଦିନ ଭଳି ରାତିରେ ନିଜ ଘରେ ଖିଆପିଆ ସାରି ଶୋଇଥିଲେ। ତେବେ ବିଳମ୍ବିତ ରାତ୍ରିରେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା। ସେ ଏ କଥା ଝଡାଫୁଙ୍କା ପାଇଁ ପ୍ରଥମେ ଉକ୍ତ ଗ୍ରାମର ଜଣେ ତଥାକଥିତ ଗୁଣିଆଙ୍କ ନିକଟକୁ ଯାଇଥିଲେ। ମାତ୍ର ସେ ନିଜର ଅସହାୟତା ପ୍ରକାଶ କରିବାରୁ ଉକ୍ତ ଗ୍ରାମର ଅନ୍ୟ ଜଣେ ଗୁଣିଆଙ୍କ ନିକଟକୁ ଯାଇଥିଲେ। ତେବେ ତାଙ୍କ ଝଡାଫୁଙ୍କାରେ ଟିକେଶ୍ୱରଙ୍କ ଅବସ୍ଥାରେ କୌଣସି ସୁଧାର ଆସିବା ପରିବର୍ତ୍ତେ ସେ ଅଧିକରୁ ଅଧିକ ଗୁରୁତର ହୋଇପଡିଥିଲେ। ଫଳରେ ପରିବାର ଲୋକେ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ନିମନ୍ତେ ମୂମୁର୍ଷୂ ଅବସ୍ଥାରେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଟିକେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଦେବଗଡ ଆଦର୍ଶ ଥାନା ପୋଲିସ ଏନେଇ ଡାକ୍ତରଖାନାରୁ ସୂଚନା ପାଇବାପରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତଥାକଥିତ ଗୁଣିଆ ଦ୍ୱାରା ଝଡାଫୁଙ୍କା ନକରି ଯଦି ସଠିକ ସମୟରେ ଡାକ୍ତରୀ ଚିକିତ୍ସା କରିବାକୁ ନେଇଥାନ୍ତେ ତେବେ ହୁଏତ ଟିକେଶ୍ୱର ବଞ୍ଚିଯାଇ ପାରିଥାନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି।

 

Dharitri – Odisha’s No.1 Odia Daily

 

Share