Categories: ବାଣିଜ୍ୟ

ସିଜିୟୁରେ ‘ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ’

ଭୁବନେଶ୍ୱର,୨୬।୭:ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଟାନ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ପରିସରରେ ‘ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ-୨୦୨୨ ସଫ୍ଟୱେର ବର୍ଗର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସି.ଭ.ି ରମଣ ଗ୍ଲୋବାଲ ୟୁନିଭର୍ସିଟିର ସଭାପତି ସଞ୍ଜୀବ କୁମାର ରାଉତ, କାର୍ଯ୍ୟକାରୀ କୁଳପତି ପ୍ରଫେସର ଦିଲୀପ କୁମାର ଦାସ, ଡିନ୍‌ ଇଞ୍ଜିନିୟରିଂ ପ୍ରଫେସର ପ୍ରିୟଦର୍ଶୀ କାନୁନ୍‌ଗୋ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଏନ୍‌ଆଇସି ସଞ୍ଜୟ କୁମାର ପାଣ୍ଡେ, ଓରାକଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର କୁଳପତି ଅଭିଜିତ ଖୁପରକାର ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି ୨୦୧୭ ଠାରୁ ୨ଟି ଫର୍ମାଟରେ ଏସ୍‌ଆଇଏଚ୍‌ ‘ଏସ୍‌ଆଇଏଚ୍‌ ସଫ୍ଟୱେର ଏବଂ ଏସ୍‌ଆଇଏଚ୍‌ ହାର୍ଡୱେର’ ଭାବେ ପରିଚାଳିତ ହେଉଛି। ଚଳିତ ବର୍ଷ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ-ଜୁନିୟର ମଧ୍ୟ ଆତ୍ମପ୍ରକାଶ କରିଛି। ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଏହି ନୂଆ ସଂସ୍କରଣ ପ୍ରସ୍ତୁତ ହୋଇଛି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିବା ସହ ପ୍ରୋବ୍ଲେମ ଷ୍ଟେଟମେଣ୍ଟ ମଧ୍ୟ ପ୍ରଦାନ କରିବ। ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି କ୍ୟାମ୍ପସକୁ ଏକ ନୋଡାଲ ସେଣ୍ଟର ଭାବେ ଚୟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ୨୮ଟି ଟିମ୍‌ର ପ୍ରାୟ ୨୦୦ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରତି ବିଜୟୀ ଦଳକୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିଭଳି ପ୍ରଥମ ବିଜେତା ୧ଲକ୍ଷ, ଦ୍ୱିତୀୟ ବିଜେତା ୭୫,୦୦୦ ଓ ତୃତୀୟ ବିଜେତା ୫୦,୦୦୦ ଟଙ୍କା ପୁରସ୍କାର ରାଶି ପାଇବେ। ‘ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ ବା ଏସ୍‌ଆଇଏଚ୍‌’ ହେଉଛି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଏକ ନିଆରା ଅଭିଯାନ। ଏହା ଜରିଆରେ ଛାତ୍ରୀଛାତ୍ରମାନେ ଅଭିନବ ପଦ୍ଧତି ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିବେ। ଏପରିକି ସରକାର, ମନ୍ତ୍ରଣାଳୟ, ବିଭାଗ, ଶିଳ୍ପ ତଥା ଅନ୍ୟାନ୍ୟ ସଂଗଠନଗୁଡିକର ସମସ୍ୟାର ସମାଧାନ ପାଇଁ ଏହି ଅଭିଯାନର ଆରମ୍ଭ ହୋଇଛି। ସେଥିପାଇଁ ଏସ୍‌ଆଇଏଚ୍‌ ଦୁନିଆର ସବୁଠୁ ବଡ଼ ଅଭିଯାନ ଭାବେ ପରିଚିତ ଓ ପ୍ରଶଂସିତ ହୋଇପାରିଛି।

Share