ସ୍ଲରି ପାଇପ ଲାଇନ କାମ ବନ୍ଦ କଲା ବନ ବିଭାଗ

କେନ୍ଦୁଝର, ୨୬ା୧୨(ସ୍ବ.ପ୍ର.):କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଏନ୍‌ଏଚ୍‌-୨୦ କଡ଼ରେ ନରଣପୁର ସଂରକ୍ଷିତ ଜଙ୍ଗଲରେ ସ୍ଲରି ପାଇପ ଲାଇନ ବିଛାଯାଉଥିବାରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ବହୁ ପରିମାଣରେ ଶାଳ ଅନ୍ୟାନ୍ୟ କିସମର ଗଛ କଟାଯାଉଛି। ମେଶିନରେ ଗଛ ଓପାଡ଼ି ମାଟିରେ ପୋତି ଦିଆଯାଇଥିବା ବେଳେ ଅନେକ ଗଛ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏନେଇ ବାରମ୍ବାର ଅଭିଯୋଗ ପରେ ବନ ବିଭାଗ ରବିବାର ପାଇପ୍‌ ବିଛା କାମ ବନ୍ଦ କରିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶ ଯେ, ବଡ଼ବିଲଠାରୁ ପାରାଦୀପକୁ ଲୁହାପଥର ଗୁଣ୍ଡ ପରିବହନ ପାଇଁ ସ୍ଲରି ପାଇପ ବିଛାଇବା କାମ ଚାଲିଛି। ପାଇପ ରାସ୍ତାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱରେ ବିଛାଇବାକୁ ଅନୁମତି ମିଳିଛି। ଏଥିପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳିବା ପରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା ଗଛକଟା ସରିବା ପରେ ପାଇପ ବିଛା କାମ ଆରମ୍ଭ ହୋଇଥିଲା। ତେବେ ସ୍ଲରିପାଇପ ଲାଇନ ବିଛାଇବା ସମୟରେ ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ଠିକାସଂସ୍ଥା ବହୁ ପୁରାତନ ଶାଳ ଏବଂ ଅନ୍ୟାନ୍ୟ ଗଛ ମୂଳରୁ ଉପାଡ଼ି ପୋତିଦେଉଛି। ନରଣପୁର ସଂରକ୍ଷିତ ଜଙ୍ଗଲ ଘଞ୍ଚ ହୋଇଥିବାରୁ ଏଠାରେ ବର୍ଷତମାମ ହାତୀ ଚଳପ୍ରଚଳ ରହିଥାଏ। ଉକ୍ତ ଅଞ୍ଚଳରେ ରାସ୍ତା ପାର ହୋଇ ହାତୀ ଯାତାୟାତ କରିଥାନ୍ତି। ଏଣୁ ଉକ୍ତ ସ୍ଥାନରେ ବନ ବିଭାଗ ପକ୍ଷରୁ ସତର୍କତା ଫଳକ ଲଗାଯିବା ସହ ନିରୀକ୍ଷଣ କରିବାକୁ କ୍ୟାବିନ୍‌ ନିର୍ମାଣ କରାଯାଇଛି। ଜଙ୍ଗଲ ନଷ୍ଟ ହେବା ଦ୍ୱାରା ହାତୀ ଚଲାପଥ କ୍ଷତିଗ୍ରସ୍ତ ହେବା ସହ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ସଦର ରେଞ୍ଜର ବିଜୟ ମହାନ୍ତ କହିଛନ୍ତି, ଖବର ପାଇବା ପରେ ଫରେଷ୍ଟରଙ୍କୁ ପଠାଇ କାମ ବନ୍ଦ କରାଯାଇଛି। କାମ କରୁଥିବା ସଂସ୍ଥାକୁ ଡକାଯାଇଛି। କୌଣସି ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ଆବଶ୍ୟକ ଜାଗା ଚିହ୍ନଟ କରାଯିବା ସହ କଟାଯିବାକୁ ଥିବା ଗଛ ଗଣନା କରାଯାଇ କଟାଯାଇଥିଲା। କେତେକ ଛୋଟ ଛୋଟ ଗଛକୁ ସୁରକ୍ଷିତ ଭାବେ ଉଠାଇ ନେଇ ଅନ୍ୟତ୍ର ଲଗାଯାଇଥିଲା। ଏବେ ବିନା ଅନୁମତିରେ କିଭଳି ଗଛ କଟାଯାଇ ମାଟି ତଳେ ଚପାଇ ଦେବାକୁ ଉଦ୍ୟମ କରାଯାଇଛି। ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ପରିବେଶବିତ୍‌ ପ୍ରଦୀପ ମହାନ୍ତି କହିଛନ୍ତି।