ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି ମାତ୍ର ୨୨ ବର୍ଷ ମଧ୍ୟରେ ସାରା ପୃଥିବୀରେ ଏକ ବୃହତ୍‌ ଶକ୍ତି ଭାବେ ଉଭା ହୋଇଥିଲା। ଏହାର ବିଜ୍ଞାନବିଭବ ସମଗ୍ର ବିଶ୍ୱ ଜନତାକୁ ଚମତ୍କୃତ କରିଦେଇଥିଲା। ୨ୟ ବିଶ୍ୱଯୁଦ୍ଧ ପରେ ଯୁଦ୍ଧୋତ୍ତର ନୂତନ ସମସ୍ୟା ମୁଣ୍ଡଟେକିଲା। ନିଜ ନିଜ ଦେଶର ପୁନର୍ଗଠନ ନିମନ୍ତେ ଯୋଜନାମାନ ପ୍ରସ୍ତୁତ ହେଲା। ସେତେବେଳେ ଭାରତରେ ଇଂରେଜ ସରକାର ପ୍ରଥମେ ପୋଷ୍ଟ ଓ୍ବାର ରିକନ୍‌ଷ୍ଟ୍ରକ୍ସନ ନାମରେ ଏକ ଯୋଜନା ତିଆରି କଲେ। ତାହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପୂର୍ବରୁ ଭାରତ ବ୍ରିଟିଶ ଶାସନ କବଳରୁ ମୁକ୍ତି ଲାଭକରି ଭାରତର ତତ୍କାଳୀନ ସ୍ବାଧୀନ ସରକାର ଇଂରେଜ ସରକାରଙ୍କ ସେହି ନୀତିକୁ ଆପଣେଇ ନେଇ ପଞ୍ଚବାର୍ଷିକ ଯୋଜନା ତିଆରି କଲେ। ସେତେବେଳେ ରୁଷୀୟ ଢାଞ୍ଚାକୁ ଅନୁସରଣ କରାଯାଇଥିଲା। ଭାରତର ପଞ୍ଚବାର୍ଷିକ ଯୋଜନାକୁ ଜାତୀୟ ଯୋଜନା ପରିଷଦ ୧୯୫୨ ମସିହାରେ ସ୍ବୀକୃତି ଦେଇଥିଲା। ଏହି ଯୋଜନାରେ କୃଷିର ଉନ୍ନତି ଘଟିଥିଲା। ଭାରତରେ ଖାଦ୍ୟଶସ୍ୟ ଓ ତୈଳବୀଜ ଫସଲ ଶତକଡା ୨୦ ହାରରେ ବୃଦ୍ଧି ପାଇଥିଲା। ୧୬ ଅୟୁତ ଏକରରୁ ଅଧିକ ଭୂମି ପାଇଁ ଜଳସେଚନର ସୁବିଧା କରାଯାଇଥିଲା। ୧୯୫୫ରୁ ୫୬ ମଧ୍ୟରେ ଭାରତର ବୈଦ୍ୟୁତିକ ଶକ୍ତି ୧୧ ହଜାର ଅୟୁତ କିଲୋଓ୍ବାଟ ଉପତ୍ାଦିତ ହୋଇଥିଲା। ଏହି ଯୋଜନା ଅଧୀନରେ ଗ୍ରାମଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କୃଷି ଓ ଶିଳ୍ପର ଉନ୍ନତି ନିମନ୍ତେ ବହୁମୁଖୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏଥିରେ ଦେଶର ଅଗ୍ରଗତି ଘଟିଥିଲା। ପ୍ରଥମ ପଞ୍ଚବାର୍ଷିକ ଯୋଜନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ମାତ୍ର ୨ ହଜାର କୋଟି ଟଙ୍କାର ପରିକଳ୍ପନା କରାଯାଇଥିଲା। ବାସ୍ତବ କ୍ଷେତ୍ରରେ ମାତ୍ର ୬ ପ୍ରତିଶତ ବ୍ୟୟ ବୃଦ୍ଧି ଘଟିଥିଲା। ଏବେ ୬୦ ପ୍ରତିଶତ ବ୍ୟୟ ବୃଦ୍ଧି ଦେଖାଯାଉଛି। ସେହିଭଳି ୨ୟ ପଞ୍ଚବାର୍ଷିକ ଯୋଜନାରେ ଲକ୍ଷ୍ୟ ରଖାଯାଇଥିଲା ଜାତୀୟ ଆୟ ବୃଦ୍ଧି କରିବା, ଏକ ଶିଳ୍ପ ସମୃଦ୍ଧ ଦେଶରେ ପରିଣତ କରିବା। ୧୯୬୧ ବେଳକୁ ମାତ୍ର ୪ହଜାର ୫ ଶହ କୋଟି ଟଙ୍କା ବ୍ୟୟରେ ବହୁ କମ୍ପାନୀ କଳକାରଖାନାଗୁଡିଏ ଖୋଲିଥିଲା। ଏହି ଯୋଜନା କାଳରେ ହିନ୍ଦୁସ୍ଥାନ ଷ୍ଟିଲ୍‌ ଫ୍ୟାକ୍ଟ୍ରି ଓଡ଼ିଶାରେ ପ୍ରତିଷ୍ଠା ହୋଇଥିଲା। ଏହା ବ୍ୟତୀତ ଭିଲାଇ, ଦୁର୍ଗାପୁରଠାରେ ମଧ୍ୟ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିଲା।
୩ୟ ପଞ୍ଚବାର୍ଷିକ ଯୋଜନା ଯୋଜନାକାରୀଙ୍କ ଅଦୂରଦର୍ଶିତା ଯୋଗୁ ବିଫଳ ହୋଇଥିଲା। ସେହିପରି ୪ର୍ଥ ପଞ୍ଚବାର୍ଷିକ ଯୋଜନା ଶିଳ୍ପର ପ୍ରାଧାନ୍ୟ ଏବଂ ବୈଦେଶିକ ମୁଦ୍ରାର ଅଭାବ ଯୋଗୁ ଫଳପ୍ରଦ ହୋଇପାରିଲା ନାହିଁ। ୧୯୭୪ ବେଳକୁ ୫ମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା। ଏହି ଯୋଜନା କାଳରେ ଯୋଜନାବଦ୍ଧ ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ୫୩ ହଜାର ୪ ଶହ ୧୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ଏହି ଯୋଜନା କାଳରେ ବୈଦେଶିକ ସାହାଯ୍ୟ ଉପରେ ନିର୍ଭର ନ କରି ନୀତି ଧାର୍ଯ୍ୟ କରାଯାଇଥିଲା। ଅବଶ୍ୟ ଏହି ଯୋଜନା କାଳରେ ସୁଫଳ ମିଳିଥିଲା। ଏହିଭଳି ୮ମ ପଞ୍ଚବାର୍ଷିକ ଯୋଜନା ମଧ୍ୟରେ ଦେଶରେ ବହୁବିଧ ଉନ୍ନତି ସାଧିତ ହୋଇଥିବା କୁହାଯାଇପାରେ। ଏହା ପରେ ଯେଉଁ ସରକାର ଯୋଜନାମାନ ତିଆରି କଲେ ସେଥିରେ ବହୁଳ ବ୍ୟୟ ବରାଦ ବ୍ୟବସ୍ଥା କରିବାରୁ ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି ଓ ଦୁର୍ନୀତି ଆଦି ଜନ୍ମ ଲାଭ କଲା। ପ୍ରତି ଯୋଜନାରେ ଏସବୁକୁ ସମୀକ୍ଷା କରାଗଲା ନାହିଁ। ପୂର୍ବରୁ ବୈଦେଶିକ ଋଣ ଉପରେ ନିର୍ଭର ନ କରି ଯେପରି ଯୋଜନା ପ୍ରସ୍ତୁତ କରାଯାଉଥିଲା ସେପରି ହେଲା ନାହିଁ। ସେତେବେଳେ ଦେଶରେ ଥିବା ସମ୍ପଦ ଉପରେ ନିର୍ଭର ନ କରି ଋଣଂ କୃତ୍ୱ୍ୟା, ଘୃତଂ ପିବତେ ନୀତିରେ ଭାରତ ସରକାରମାନେ ଗତି କଲେ। ବିଦେଶୀ ଋଣ ଉପରେ କ୍ରମଶଃ ନିର୍ଭରଶୀଳ ହେଲେ। ଦେଶ ଗଠନର ଅଙ୍ଗୀକାରବଦ୍ଧତା ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲା। ସ୍ବଚ୍ଛତା ଓ ନିଷ୍ଠା ଅଭାବରେ ପଞ୍ଚବାର୍ଷିକ ଯୋଜନା ବେଶିଦିନ ଚାଲିପାରିଲା ନାହିଁ। ୧୨ଶ ପଞ୍ଚବାର୍ଷିକ ଯୋଜନା ୨୦୧୭ ପରେ ଆଉ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଦେଖିବାକୁ ଗଲେ ପ୍ରତି ଯୋଜନାରେ ଅଭିବୃଦ୍ଧି ହାର ଅଗ୍ରଗତି କରିଥିଲା। ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ ଅଭିବୃଦ୍ଧି ହାର ୩.୬, ୨ୟରେ ୪.୩, ୩ୟରେ ହ୍ରାସ ପାଇ ୨.୮, ୪ର୍ଥରେ ୩.୩, ୫ମରେ ୪.୮, ୬ଷ୍ଠରେ ୫.୭, ୭ମରେ ୬.୦, ୮ମରେ ୬.୮, ୯ମରେ ୫.୪, ୧୦ମରେ ୭.୬, ୧୧ଶରେ ୮.୦, ୧୨ଶରେ ୮.୦ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିଥିଲା। ପରେ ଏହି ଯୋଜନାକୁ ଯଦି ନିଷ୍ଠା ଓ ଆନ୍ତରିକତା ସହକାରେ କାର୍ଯ୍ୟକାରୀ କରାଯାଇଥାଆନ୍ତା, ତେବେ ଆଜିର ମୁଦ୍ରାସ୍ଫୀତିର ବୃଦ୍ଧି ଘଟି ନ ଥାଆନ୍ତା କି ଜାତୀୟ ଅଭିବୃଦ୍ଧି ହାର ହ୍ରାସ ପାଇ ନ ଥାଆନ୍ତା। ତେବେ ଜାତୀୟ ଅଭିବୃଦ୍ଧି ହାର ପଞ୍ଚବାର୍ଷିକ ଯୋଜନା କାଳରେ ପ୍ରଗତି ଘଟିଥିଲା। ନବ ନିର୍ବାଚିତ ସରକାରମାନେ ତା’ର ନବୀକରଣ ବା ଶାସନ ପଦ୍ଧତିର ସଂସ୍କାର ନ ଘଟାଇ ସରକାରଙ୍କୁ ସୁହାଇବା ଭଳି ନୂଆ ନୂଆ ଯୋଜନାମାନ ତିଆରି କରିବାକୁ ଲାଗିଲେ। ଦେଖାଗଲା ସ୍ବାଧୀନତାର ଆଠ ଦଶନ୍ଧି ପରେ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା, ପାନୀୟ ଜଳ ଓ ବିଜୁଳି ସଂଯୋଗରୁ ବଞ୍ଚିତ। ପ୍ରଶ୍ନ ଉଠିଲା ଯେ ଦାରିଦ୍ର୍ୟ ଦୂରୀକରଣ ଯେତେ ସମ୍ଭବ ହେବା କଥା ତାହା ହୋଇ ନାହିଁ। ବିଶେଷଜ୍ଞମାନେ ରାଜନୈତିକ ପରିସ୍ଥିତିକୁ ଦାୟୀ କଲେ। ଆଉ ମଧ୍ୟ ନିରୂପଣ କଲେ ଯେ ଦାରିଦ୍ର୍ୟ ଦୂରୀକରଣ ପାଇଁ କେନ୍ଦ୍ରରୁ ଯେଉଁ ପରିମାଣର ଅନୁଦାନ ଆସୁଛି ସେଥିରୁ ଗୋଟିଏ ସିଂହଭାଗ ଦୁର୍ନୀତି ଯୋଗୁ ପାଣି ନାଳରେ ବହିଯାଉଛି। ଏହାକୁ ଏ ଯାବତ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ। ଆଉ କେତେକ କହିଲେ ଯେ ଶାସନ ଗାଦିରେ ବସୁଥିବା ରାଜନୈତିକ ନେତୃବୃନ୍ଦ ସ୍ବାଧୀନତା ସଂଗ୍ରାମରୁ ଉଦ୍ଭୂତ ହୋଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ପରେ ମଧ୍ୟ ଦେଖାଗଲା ଯେ ଦେଶପ୍ରେମ ନ ଥିବା ବ୍ୟକ୍ତି ଉଚ୍ଚ ଆସନର ଅଧିକାରୀ ହେଉଥିବାରୁ ଯୋଜନାର ବାସ୍ତବ ରୂପାୟନ ହୋଇପାରୁ ନାହିଁ।
ଦାରିଦ୍ର୍ୟ ପାଇଁ କୌଣସି ଗୋଟିଏ କାରଣ ଥିବା କୁହାଯାଇପାରିବ ନାହିଁ। ଏହାକୁ ବିଶ୍ଳେଷଣ କରି ଅର୍ଥନୈତିକ ବିଶାରଦମାନେ କହିଲେ ଯେ ଲୋକଙ୍କ ମଧ୍ୟରେ କର୍ମ କରିବାର ଉଦ୍ୟମ ଶିଥିଳ ହୋଇପଡୁଛି। ସେମାନଙ୍କର କାର୍ଯ୍ୟ କରିବାର କୌଶଳ ଓ ଉଦ୍ଭାବନ ଶକ୍ତି ନ ଥିବା କାରଣରୁ ଅର୍ଥନୈତିକ ପ୍ରଗତି ହୋଇପାରୁ ନାହିଁ। ପରବର୍ତ୍ତୀ ସମୟରେ ଯେଉଁ ସରକାର ଶାସନଭାର ଗ୍ରହଣ କଲେ ସେମାନେ ଉପରୋକ୍ତ ବିଚାରରେ ଲୋକପ୍ରିୟ ଶାସନ କରିବାକୁ ଯାଇ ସବ୍‌ସିଡି, ଋଣ ଛାଡ ଓ ମାଗଣା ଯୋଜନାମାନ ଗ୍ରହଣ କଲେ। ଯାହା ଦ୍ୱାରା ଅର୍ଥନୈତିକ ପ୍ରଗତି କେବଳ ଅର୍ଥନୈତିକ କାରଣ ଉପରେ ନିର୍ଭର ନ କରି ଲୋକଙ୍କ ମାନସିକତା ତଥା ରାଜନୈତିକ ଓ ସାମାଜିକ କାରଣ ଉପରେ ନିର୍ଭର କଲା, ଯାହା ଅଦ୍ୟାବଧି ଚଳି ଆସୁଛି। ଆମେ ଅର୍ଥନୈତିକ ବିକାଶ କଥା କହୁଛୁ। ଅର୍ଥନୈତିକ ପ୍ରଗତି ନ ହେଲେ ଦାରିଦ୍ର୍ୟ ଦୂରୀକରଣ ହୋଇପାରିବ ନାହିଁ। ଏକବିଂଶ ଶତାବ୍ଦୀର ଆରମ୍ଭରୁ ଅର୍ଥନୈତିକ ପ୍ରଗତି ଦେଖାଗଲା। କିନ୍ତୁ ଦାରିଦ୍ର୍ୟ ଭଳି ଆହୁରି ଅନେକ ସମସ୍ୟା ମୁଣ୍ଡ ଟେକିଲା। ଅନ୍ୟାନ୍ୟ ଭିତ୍ତିଭୂମିଠାରୁ ଲୋକକଲ୍ୟାଣ ଯୋଜନାକୁ ସରକାର ଏବେ ଗୁରୁତ୍ୱ ଦେଇଚାଲିଛନ୍ତି। ଯେଉଁଥିରେ ଭୋଟର ତୁଷ୍ଟୀକରଣ ଗନ୍ଧ ବାରିହୁଏ। ରାଜନୈତିକ ଓ ସାମାଜିକ କାରଣ ଏପରି ଦୃଢୀଭୂତ ହୋଇଛି ଯେ କୌଣସି ସରକାର ଭୋଟରତୁଷ୍ଟୀକରଣକୁ ଛାଡି ପାରିବେ ନାହିଁ। କ୍ଷମତା ଦଖଲ ନିଶା କାହାର ନାହିଁ? ଏବେକାର ସରକାର ମଧ୍ୟ ଭୋଟର ତୁଷ୍ଟୀକରଣରୁ ବାଦ୍‌ ପଡିନାହାନ୍ତି। କୌଣସି ଯୋଜନା ବାସ୍ତବରେ ସେତେ ସଫଳ ହୋଇପାରୁନାହିଁ। ଯେଉଁ ସରକାର ଆସୁଛନ୍ତି ସେମାନେ ନିଜ ଦଳ ଓ ସ୍ଥାୟୀ କ୍ଷମତାକୁ ବେଶି ଗୁରୁତ୍ୱ ଦେଉଛନ୍ତି। ତେଣୁ ଦେଶର ବିକାଶ ଆଉ ଭୋଟର ଆକର୍ଷଣୀୟ ଯୋଜନାର ସ୍ଲୋଗାନ ଦେଇ ଚାଲିଛନ୍ତି। ତେବେ ଦେଶରେ ଅର୍ଥନୈତିକ ପ୍ରଗତି ବୃଦ୍ଧି ପାଉଥିଲେ ହେଁ ସରକାର ଜନବିଶ୍ୱାସର ପାତ୍ର ହୋଇପାରୁ ନାହାନ୍ତି। ତା’ର କାରଣ ଦେଶରେ ସ୍ବଚ୍ଛ ଗଣତନ୍ତ୍ର ନାହିଁ।
ମୋ:୯୩୪୮୭୩୧୧୧୦

Dharitri – Odisha’s No.1 Odia Daily

Share
Tags: editorial