ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା ନେଇ ଅଭିଯୋଗ ହୋଇଛି। ଏବେ ଏପ୍ରିଲ ମାସ ୨ ତାରିଖରୁ ପ୍ରତ୍ୟେକ ହାଇସ୍କୁଲର ନବମ ଶ୍ରେଣୀରେ ଆଡମିଶନ ଆରମ୍ଭ ହୋଇଛି। ପ୍ରଧାନ ଶିକ୍ଷୟତ୍ରୀଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଆଡମିଶନ ପାଇଁ ଅଭିଭାବକମାନେ ପିଲାମାନଙ୍କୁ ଧରି ସ୍କୁଲ ଆଗରେ ବସି ରହୁଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟେକ ଦିନ ଅତିବେଶୀରେ ୨୫ ଜଣ ପିଲାଙ୍କୁ ଆଡମିଶନ କରୁଥିବାରୁ ଆଉ ବଳକା ଛାତ୍ରୀଛାତ୍ର ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଆଗ ଆଡମିଶନ ପାଇଁ ଅଭିଭାବକମାନେ ନିଜ ପିଲା ମାନଙ୍କୁ ଧରି ରାତିରୁ ଗେଟ ଖୋଲିବା ପର୍ଯ୍ୟନ୍ତ ଗେଟ ଆଗରେ ଅପେକ୍ଷା କରି ରହୁଥିବା ନେଇ ବହୁ ଅଭିଭାବକ ଅଭିଯୋଗ କରିଛନ୍ତି।

