ବନ୍ଦେ ଭାରତ ଟ୍ରେନ୍‌ରେ ଉପଲବ୍ଧ ହେବ ସ୍ଲିପର୍‌ କୋଚ୍‌ ସୁବିଧା! ସରକାର କରୁଛନ୍ତି ପ୍ରସ୍ତୁତି…

ନୂଆଦିଲ୍ଲୀ,୨୦।୧: ଦେଶରେ ଏବେ ୮ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ କରୁଛି। ୧୫ ଅଗଷ୍ଟ, ୨୦୨୩ ସୁଦ୍ଧା ଦେଶରେ ୭୫ ଟି ଟ୍ରେନ୍‌ ଚଳାଚଳ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏହାକୁ ନେଇ ଆସନ୍ତା ଫେବୃୟାରୀ ପହିଲାରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ବିଶେଷକରି ଟ୍ରେନ୍‌ ସ୍ଲିପର୍‌ ଭର୍ସନ ବିଷୟରେ ମଧ୍ୟ ଯୋଜନା କରାଯାଉଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଅଧିକାରୀମାନେ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର ସଂସ୍କରଣ ଆରମ୍ଭରୁ ଖବର ଶିରୋନାମାରେ ରହିଛି। ଏହା ଯାତ୍ରୀମାନଙ୍କୁ ଆକର୍ଷିତ କରୁଛି। ଏଥିଯୋଗୁ ସ୍ଲିପର ସୁବିଧା ଥିବା ଏକ୍ସପ୍ରେସ ଟ୍ରେନ୍‌କୁ ୨୨୦ କିମି ପ୍ରତି ଘଣ୍ଟା ବେଗରେ ଯାତ୍ରା କରିବା ଲାଗି ଡିଜାଇନ୍‌ କରାଯିବ।

ରେଳ ବିଭାଗ ୪୦୦ ବନ୍ଦେ ଭାରତ ଟ୍ରେନ୍‌ ଲାଗି ଟେଣ୍ଡର ଜାରି କରିଛି। ଏହି କାର୍ଯ୍ୟକୁ ଚଳିତ ମାସ ଶେଷ ସୁଦ୍ଧା ଅନୁମୋଦନ ହେବ। ଏହିପରି ଟ୍ରେନ୍‌ର ପ୍ରଥମ ବ୍ୟାଚ୍‌ ସ୍ବଦେଶୀ ନିର୍ମିତ ଟ୍ରେନ୍‌ର ସ୍ଲିପର୍‌ ସଂସ୍କରଣ ହୋଇପାରେ। ତେବେ ୪ଟି ଅଗ୍ରଣୀ ଘରୋଇ ଏବଂ ବିଦେଶୀ କମ୍ପାନୀ ଟ୍ରେନ୍‌ ଉତ୍ପାଦନ ଲାଗି ଆଗେଇ ଆସିଥିବା ପିଟିଆଇ ରିପୋର୍ଟ କରିଛି।

ଯୋଜନାନୁଯାୟୀ, ପ୍ରଥମ ୨୦୦ ବନ୍ଦେ ଭାରତ ଟ୍ରେନ୍‌ରେ ଶତାଦ୍ଦୀ ଏକ୍ସପ୍ର୍ରେସ ଭଳି ବସିବାର ବ୍ୟବସ୍ଥା ରହିବ। ଏହାକୁ ଘଣ୍ଟାପ୍ରତି ୧୮୦ କିମି ବେଗରେ ଯାତ୍ରା କରିବା ଲାଗି ଡିଜାଇନ୍‌ କରାଯିବ। ହେଲେ ରେଳ ଟ୍ରାକ୍‌ର ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଟ୍ରେନ୍‌ର ଗତି ୧୩୦ କିମି ପର୍ଯ୍ୟନ୍ତ ସୀମିତ ରହିବ। ଏହି ଟ୍ରେନ୍‌ଗୁଡ଼ିକ ଇସ୍ପାତରେ ତିଆରି ହେବ। ଏହାପରେ ୨୦୦ ବନ୍ଦେ ଭାରତ ଟ୍ରେନ୍‌ର ଦ୍ୱିତୀୟ ବ୍ୟାଚ୍‌ ସ୍ଲିପର ହେବ। ଏହା ଆଲୁମିନିୟମରେ ତିଆରି ହେବ।

Share