ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ କରିଦେଇଛି। ଗତ ଜୁନ ୧୮ ତାରିଖରେ ଲୋହାଗଡ଼ ଦୁର୍ଗ ପାହାଡ଼ରୁ ଠେଲିଦେଇ କେତନଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ତାଙ୍କ ଭାବିପତ୍ନୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କ ପୋଲିସ ହେପାଜତ ସମୟସୀମା ଆଜି ଅର୍ଥାତ ଶୁକ୍ରବାର ଶେଷ ହେଉଛି। ପୋଲିସ ଦୁହିଁଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ଅବଧି ବଢ଼ାଇବାକୁ ଦାବି କରିଛି। ଏହି ସମୟରେ, ପୋଲିସ ସାକ୍ଷ୍ୟ ସଂଗ୍ରହ ଲାଗି ଅଭିଯୁକ୍ତ ସିୟା ଆସିଥିବା ବେଳେ ଏକ ଲଜ୍ଜାଜନକ କାର୍ଯ୍ୟାକଳାପ ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆ ଲୋକଙ୍କ ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି।
ପୁଣେ ଗ୍ରାମୀଣ ପୋଲିସର ଏକ ଦଳ ଗୁରୁବାର ଦିନ କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସିୟାଙ୍କୁ ପୁଣେର ବିବୱେୱାଡି ସ୍ଥିତ ତାଙ୍କ ବାସଭବନକୁ ନେଇଥିଲେ। ପୋଲିସ ସେଠାକୁ ଘଟଣା ସହ ଜଡ଼ିତ ପ୍ରମାଣର ସାକ୍ଷ୍ୟ ସଂଗ୍ରହ କରିବାକୁ ଯାଇଥିଲା। ତଦନ୍ତ ଶେଷ ହେବା ପରେ ଯେତେବେଳେ ପୋଲିସ ଦଳ ସିୟାଙ୍କୁ ଧରି ଘରୁ ବାହାରକୁ ଆସିଲେ, ସେତେବେଳେ ଏହି ବଡ଼ ଖବରକୁ କଭର କରିବା ପାଇଁ ଅନେକ ଗଣମାଧ୍ୟମ ପ୍ରତିନିଧି ଏବଂ କ୍ୟାମେରାମ୍ୟାନ ସେଠାରେ ଉପସ୍ଥିତ ଥିଲେ।
ଗଣମାଧ୍ୟମର କ୍ୟାମେରା ଉପରେ ନଜର ପଡ଼ିବା ମାତ୍ରେ ସିୟା ନିଜର ଲଜ୍ଜାଜନକ ଆଚରଣରେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ନିଜ ଭାବି ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିଲେ ସୁଦ୍ଧା ସିୟାଙ୍କ ମୁହଁରେ କୌଣସି ଅନୁତାପ କିମ୍ବା ଭୟର ଚିହ୍ନବର୍ଣ୍ଣ ନ ଥିଲା। ସେ କ୍ୟାମେରା ଆଡ଼କୁ ଚାହିଁ ସର୍ବସାଧାରଣରେ ଅଶ୍ଳୀଳ ଇଙ୍ଗିତ କରି ନିଜର ମଝି ଆଙ୍ଗୁଠି(Middle Finger) ଦେଖାଇଥିଲେ।
ସିୟାଙ୍କ ଏହି କାର୍ଯ୍ୟର ଭିଡିଓ କ୍ୟାମେରାରେ କଏଦ ହୋଇଛି ଏବଂ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜେଲ ଯିବା ଏବଂ ଭାବି ସ୍ବାମୀଙ୍କ ଜୀବନ ନେବା ପରେ ବି ତାଙ୍କର ଏଭଳି ଅହଂକାର ଓ ଉଦ୍ଧତପଣ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ଦାବି କରୁଛନ୍ତି।
ଏହାପୂର୍ବରୁ, ପୋଲିସ ସିୟାଙ୍କ ଉପସ୍ଥିତିରେ ତାଙ୍କ ଘରେ ପ୍ରାୟ ୨ ଘଣ୍ଟା ଧରି ଘନିଷ୍ଠ ଭାବେ ଖାନତଲାସି କରିବା ସହ ତଥ୍ୟ ସଂଗ୍ରହ କରିଥିଲା। ଜୁନ ୧୮ (ଘଟଣା ଦିନ) ସିୟା ପିନ୍ଧିଥିବା ପୋଷାକ, ତାଙ୍କ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟ୍କୁ ପୋଲିସ ଜବତ କରିଛି। ଜୁନ ୧୮ରେ କେତନଙ୍କୁ ହତ୍ୟା କରିବା ପରେ ସିୟା ଘରକୁ ଆସି ଏହି ଭୟଙ୍କର ଚକ୍ରାନ୍ତ ସହ ଜଡ଼ିତ କୌଣସି ଡିଜିଟାଲ କିମ୍ବା ଅନ୍ୟ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି।
କେତନ ଅଗ୍ରୱାଲ ହତ୍ୟାକାଣ୍ଡର ଏହି ଜଟିଳ ରହସ୍ୟ ଉପରୁ ପରଦା ହଟାଇବା ଏବଂ ସିୟାଙ୍କ ମିଛର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ ଏବେ ତାଙ୍କର ଲାଇ ଡିଟେକ୍ଟର (ପଲିଗ୍ରାଫି) ଟେଷ୍ଟ କରିବାକୁ ଯାଉଛି। ସିୟା ଗୋୟଲଙ୍କ ଓକିଲ ବିପୁଲ ଦୁଶିଙ୍ଗ ଆଧିକାରିକ ଭାବେ ନିଶ୍ଚିତ କରିଛନ୍ତି ଯେ, ସିୟା ଏହି ସାଇଣ୍ଟିଫିକ ଟେଷ୍ଟ ପାଇଁ ନିଜର ଲିଖିତ ସମ୍ମତି ପ୍ରଦାନ କରିଛନ୍ତି। ଆଇନ ଅନୁଯାୟୀ, ଅଭିଯୁକ୍ତଙ୍କ ସମ୍ମତି ବିନା ଏହି ଟେଷ୍ଟ କରାଯାଇପାରିବ ନାହିଁ। ଓକିଲ କହିଛନ୍ତି ଯେ ଲୋନାଭାଲା ଗ୍ରାମୀଣ ପୋଲିସକୁ ସମ୍ମତି ପତ୍ର ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ପୁଣେ ଗ୍ରାମୀଣ ପୋଲିସ ଏହି ଟେଷ୍ଟ କରିବା ପାଇଁ ଅଦାଲତରୁ ଆନୁଷ୍ଠାନିକ ଅନୁମତି ମାଗିବ। କୋର୍ଟରୁ ସବୁଜ ସଙ୍କେତ ମିଳିବା ମାତ୍ରେ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କ ପଲିଗ୍ରାଫି ଟେଷ୍ଟ ଆରମ୍ଭ ହେବ, ଯାହା ଦ୍ୱାରା ଏହି ହତ୍ୟାକାଣ୍ଡର ଅନେକ ଗୁପ୍ତ ରହସ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
Dharitri – Odisha’s No.1 Odia Daily
Subscribe to updates
Unsubscribe from updates