ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ କରିଛି। ଗାନ୍ଧୀନଗର ମହାନଗର ନିଗମର ୪୪ଟି ଆସନ ମଧ୍ୟରୁ ଭାଜପା ୩୮ଟି ଆସନ ଜିତିଥିବା ବେଳେ କଂଗ୍ରେସକୁ ୫ଟି ଆସନ ମିଳିଛି। ଅନ୍ୟ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ଥାରା ନଗରପାଳିକାରେ ଭାଜପା ୧୯ଟି ଆସନ ଦଖଲ କରିଛି। ଅନ୍ୟପକ୍ଷରେ ଓଖା ନଗରପାଳିକାରେ ଭାଜପା ୩୩ଟି ଆସନ ଜିତିଥିବା ବେଳେ କଂଗ୍ରେସ ଖାତାକୁ ୩ଟି ଆସନ ଯାଇଛି।
ଗାନ୍ଧୀନଗର ନଗର ନିଗମର ୧୧ଟି ୱାର୍ଡର ୪୪ଟି ଆସନ ପାଇଁ ମତଦାନ ହୋଇଥିଲା। ଏହି ନିର୍ବାଚନରେ ମୋଟ ୧୩୦ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଥିଲେ।
ଗାନ୍ଧୀନଗର ନଗର ନିଗମରେ ଗତ ୫ ବର୍ଷ ଧରି ଭାଜପାର ଦବଦବା ରହିଆସିଛି। ଏଥର ନିର୍ବାଚନରେ ଭାଜପା, କଂଗ୍ରେସ ଓ ଆମ ଆଦମୀ ପାର୍ଟି (ଆପ) ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏହି ନଗର ନିଗମର ୧୧ଟି ୱାର୍ଡର ୪୪ଟି ଆସନ ପାଇଁ ପ୍ରାୟ ୨.୫୯ ଲକ୍ଷ ଭୋଟର ଥିଲେ। ଦେବଭୂମି ଦ୍ୱାରକା ଜିଲାର ଓଖା ନଗରପାଳିକାର ୯ଟି ୱାର୍ଡର ଆସନ ପାଇଁ ଭୋଟ ଗଣତି ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ରହିଛି। ସେଠାରେ ୪ଟି ଆସନରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ। ଅବଶିଷ୍ଟ ଆସନ ପାଇଁ ମୋଟ ୭୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ।
ଗାନ୍ଧୀନଗର ନଗର ନିଗମର ୪୪ଟି ଆସନ ପାଇଁ ଶେଷ ଥର ୨୦୨୧ରେ ନିର୍ବାଚନ ହୋଇଥିଲା। ସେହି ନିର୍ବାଚନରେ ଭାଜପା ୪୧ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୨ଟି ଏବଂ ଆମ ଆଦମୀ ପାର୍ଟିକୁ ଗୋଟିଏ ଆସନ ମିଳିଥିଲା। ରାଜ୍ୟ ନିର୍ବାଚନ ଆୟୋଗର ତଥ୍ୟ ଅନୁସାରେ, ଗାନ୍ଧୀନଗରରେ ୫୯.୨୫ ପ୍ରତିଶତ, ଥାରାରେ ୮୧.୧୮ ପ୍ରତିଶତ ଏବଂ ଓଖାରେ ୬୩.୨୭ ପ୍ରତିଶତ ମତଦାନ ହୋଇଥିଲା। ଗୁଜରାଟର ଏହି ତିନିଟି ସ୍ଥାନୀୟ ନିକାୟ ପାଇଁ ଅକ୍ଟୋବର ୧୧, ରବିବାର ଦିନ ଭୋଟ ଗ୍ରହଣ ହୋଇଥିଲା। ଅକ୍ଟୋବର ୧୩ ତାରିଖ ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିଲା।