ସିଙ୍କି ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ପାରଳାଖେମୁଣ୍ଡି,୨୮।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଇ ପୁଣି ଥରେ ଫେରିଛି କରୋନା। ଦେଶ ତଥା ରାଜ୍ୟରେ ପ୍ରତିଦିନ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଆଜି ପୁଣି ଗଜପତିରେ ୯୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ୪୯୪୭ରେ ପହଞ୍ଚିଛି। ଦ୍ୱିତୀୟ ଲହରର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି ଗଜପତି ଜିଲା ପ୍ରଶାସନ। ଏଥିଲାଗି ଜାରି କରାଯାଇଛି ବିଭିନ୍ନ କଟକଣା। ଗଜପତିରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢ଼ିଚାଲିଛି। ଏହାକୁ ନେଇ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି। ରାତି ୯ରୁ ସକାଳ ୫ଟା ଯାଏ ଏହି କଟକଣା ବଳବତ୍ତର ରହିଛି,କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ପୌରପାଳିକାର ୧୦ ନମ୍ବର ଓ୍ବାର୍ଡର ସିଙ୍କି ସାହିରେ ବହୁମାତ୍ରାରେ କରୋନା ପଜିଟିଭ୍‌ ମାମଲା ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ସିଙ୍କି ସାହିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି।