ଲଗାଣ ବର୍ଷାରେ ରେଶମ ସହର ପ୍ରଭାବିତ

ବ୍ରହ୍ମପୁର ଅଫିସ,୭।୧୦: ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁ ସହରରେ ଶାରଦୀୟ ପୂଜା ମଧ୍ୟ ପ୍ରଭାବିତ ହୋଇଛି। ସହରରେ ବାଣିଜ୍ୟ ଓ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇପଡ଼ିଛି ଓ ବହୁ ଦୋକାନ ବଜାର ବନ୍ଦ ରହିଛି। ଅନ୍ୟପଟେ ସହର ସାରା ରାସ୍ତାରେ ନର୍ଦ୍ଦମା ଓ ବର୍ଷା ଜଳ ପ୍ରବାହିତ ହେଉଛି। ସହର ତଳି ବସ୍ତି ଅଞ୍ଚଳ ଓ ଉପକଣ୍ଠସ୍ଥ କେତେକ ଗ୍ରାମରୁ ଠିକ ଭାବେ ଜଳ ନିଷ୍କାସିତ ହୋଇପାରୁନାହିଁ। ସହର ଉପକଣ୍ଠସ୍ଥ ବଡ଼ ଗୁମୁଳା ଗ୍ରାମ ମୁଖ୍ୟ ରାସ୍ତାଦେଇ ଯାଇଥିବା କେନାଲ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ସେହିପରି ପାଣିଟାଙ୍କିଠାରୁ କନ୍‌ଭେଣ୍ଟ ସ୍କୁଲ, ଲୋଚାପଡ଼ାଠାରୁ ବ୍ରହ୍ମପୁର ଓ ଅନେକ ଅଞ୍ଚଳରେ ରାସ୍ତା ଧୋଇ ହୋଇଯାଇଛି। ଗାନ୍ଧୀନଗର, ପ୍ରେମନଗର, ବ୍ୟାଙ୍କ କଲୋନୀ, ଗଜପତି ନଗର, ଗୋପାଳପୁର ଛକ, ନୀଳାଚଳ ନଗର, ଶ୍ରୀରାମ ନଗର, ଗୋଦାବରୀଶ ନଗର, ନୂଆବସ୍‌ଷ୍ଟାଣ୍ଡକୁ ଯିବାରାସ୍ତା ଓ ଆସ୍କାରେଡ଼ ଅଞ୍ଚଳରେ ବର୍ଷାଯୋଗୁ ଦୀର୍ଘ ସମୟଧରି ରାସ୍ତା ଉପରେ ନର୍ଦ୍ଦମା ଓ ବର୍ଷା ଜଳ ପ୍ରବାହିତ ହେବା ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ରାସ୍ତାରେ ଖାଲ ଖମା ହୋଇ ସେଥିରେ ବର୍ଷାପାଣି ଜମା ହୋଇ ରହିଛି।
ଗୋପାଳପୁର ପାଣିପାଗ କେନ୍ଦ୍ରପକ୍ଷରୁ ଏସ୍‌.କେ.ମୂର୍ତ୍ତିଙ୍କଠାରୁ ମଳିିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧୫.୮୮ ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଶୁକ୍ରବାର ସକାଳ ୮.୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି ା ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।