ଦଳବିରୋଧୀ ନୀରବ ଘାତକ

ଢେଙ୍କାନାଳ ଅଫିସ୍‌, ୨୮।୩: ଆମଦାନୀ ନେତାଙ୍କୁ ଅଧିକ ଗୁରୁତ୍ୱ ଦେବା ମହଙ୍ଗା ପଡ଼ିଲା ନା ଟିକେଟରୁ ବଞ୍ଚତ୍ତ ଅସନ୍ତୁଷ୍ଟ କର୍ମୀ ପରଦା ପଛରେ ରହି ନୀରବଘାତକ ସାଜିଲେ। ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ହାସଲ କରିଥିବା ଦଳ ପୌର ନିର୍ବାଚନରେ ଝୁଣ୍ଟିଲା କାହିଁକି। ପୌରାଞ୍ଚଳର ୨୩ ଓ୍ବାର୍ଡ ମଧ୍ୟରୁ ୧୩ଟି ଦଖଲ କରିଥିବା ଦଳର ପୌରାଧ୍ୟକ୍ଷ ଭୋଟ ଗଲା କୁଆଡ଼େ। ଢେଙ୍କାନାଳ ମ୍ୟୁନିସିପାଲିଟି କରଛଡ଼ା ହେବା ପରେ ଏବେ ବିଜେଡି ଶିବିରରେ ଏଭଳି ଅନେକ ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି ମାନସମନ୍ଥନ।
ଏକଦା ଓଡ଼ିଶା ରାଜନୀତିରେ କଂଗ୍ରେସ ଗଡ଼ ଥିଲା ଢେଙ୍କାନାଳ। ତେବେ ୨୦୧୩ ନିର୍ବାଚନରେ ବିଜେଡି-ଭାଜପା ମଧ୍ୟରେ ହୋଇଥିବା ଅଘୋଷିତ ମେଣ୍ଟ ଏହି ସମୀକରଣକୁ ବଦଳାଇଦେଇଥିଲା। ୧୧ ଆସନରେ ଜିତି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା କଂଗ୍ରେସ ପୌରାଧ୍ୟକ୍ଷ ପଦବୀ ହାତେଇ ପାରି ନ ଥିଲା। ଅନ୍ୟପଟେ ବିଜେଡି ୬ ଏବଂ ଭାଜପା ୫ ଆସନରେ ଜିତି ପୌରାଧ୍ୟକ୍ଷ ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲା। ଅବଶ୍ୟ ସେତେବେଳେ ଏଥିଲାଗି ଧର୍ମଗୁଳା ବେଶ୍‌ ସହାୟକ ହୋଇଥିଲା। ହେଲେ ମେଣ୍ଟ ରାଜନୀତିରେ କ୍ଷମତାକନ୍ଦଳ ଆରମ୍ଭ ହେବା ପରେ ବିଜେଡି ପୌରାଧ୍ୟକ୍ଷଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ। ସେତେବେଳେ କଂଗ୍ରେସ ସହାୟତାରେ ବିଜେଡିକୁ କ୍ଷମତାଚ୍ୟୁତ କରି ପୌରସଂସ୍ଥାକୁ କବ୍‌ଜା କରିଥିଲା ଭାଜପା। ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀରେ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ଏବଂ ସାରା ରାଜ୍ୟରେ ବିଜେଡି ସପକ୍ଷରେ ହାଓ୍ବା ବୋହୁଥିବାରୁ ଏହି ଆସନକୁ ଅନାୟାସରେ ଜିତିବାକୁ ଲକ୍ଷ୍ୟ ରଖିଥିଲା ଶାସକ ଦଳ। ହେଲେ ଭାଜପାର ଗୋଟିଚାଳନା ଆଗରେ ପ୍ରଭାବହୀନ ହୋଇଗଲା ବିଜେଡିର ସମରସଜ୍ଜା। ବିଜେଡି ପ୍ରାର୍ଥିନୀ ଅନିମା ନାୟକଙ୍କୁ ଭାଜପାର ଜୟନ୍ତୀ ପାତ୍ର ୪ ହଜାର ୧୪୫ ଖଣ୍ଡ ଭୋଟରେ ପରାସ୍ତ କଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡି ପ୍ରାର୍ଥତ୍ନୀ ୩ନଂ. ୱାର୍ଡରେ ୨୬ ଖଣ୍ଡ, ୧୨ନଂ. ୱାର୍ଡରେ ୨୦୦, ୧୮ନଂ. ୱାର୍ଡରେ ୧୫୦, ୨୩ନଂ ୱାର୍ଡରେ ୧୮୭ ଖଣ୍ଡ ଭୋଟରେ ଆଗୁଆ ରହିଥିବାବେଳେ ଅନ୍ୟ ସବୁଠି ଭାଜପା ପ୍ରାର୍ଥତ୍ନୀଙ୍କ ପ୍ରାଧାନ୍ୟ ରହିଥିଲା। ତେଣୁ ଭୋଟ ବ୍ୟବଧାନ ବଢ଼ିଚାଲିଥିଲା। ଦଳୀୟ ପ୍ରାର୍ଥୀ ଏତେ ବ୍ୟବଧାନରେ ପରାସ୍ତ ହେବା ବିଜେଡି ପାଇଁ ଶକ୍ତ ଧକ୍କା ହୋଇଥିବାବେଳେ ନିର୍ବାଚନର ମଙ୍ଗ ଧରିଥିବା ତୁଙ୍ଗ ନେତାମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସମନ୍ବୟ ଏବଂ ସ୍ବତନ୍ତ୍ର ରଣନୀତି ଅଭାବ, ପ୍ରାର୍ଥୀ ଚୟନ ବେଳେ ବ୍ୟକ୍ତିତ୍ୱ ନ ପରଖିବା ପରାଜୟର ପ୍ରମୁଖ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି।
ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀରେ ଏକାଧିକ ଆଶାୟୀଙ୍କ ଲବି ଶାସକ ଦଳ ପାଇଁ ମୁଣ୍ଡବ୍ୟଥା ପାଲଟିଥିଲା। ଦଳୀୟ ଅସନ୍ତୋଷ ଅଣାୟତ୍ତ ହେବା ଆଶଙ୍କାରେ ସନ୍ଦିହାନ ହୋଇପଡ଼ିଥିଲେ ସାଙ୍ଗଠନିକ କର୍ମକର୍ତ୍ତା। ଏଭଳି ସମୟରେ ଶେଷମୁହୂର୍ତ୍ତରେ ଅନିମା ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଉଲ୍ଲେଖଯୋଗ୍ୟ, ଅନିମା ହେଉଛନ୍ତି ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇଙ୍କ ସ୍ତ୍ରୀ। ଏକଦା ଭାଜପାର ଆଗଧାଡ଼ିର କର୍ମକର୍ତ୍ତା ଥିବା ସୁଧାଂଶୁ ପରେ ବିଜେଡିରେ ସାମିଲ ହୋଇଥିଲେ। ସାଙ୍ଗଠନିକ ପତିଆରା ଥିବାରୁ ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇ ବିଜେଡି ନିର୍ବାଚନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିଲା। ତେବେ ଭାଜପାରୁ ଆସି ଟିକେଟ ହାତେଇନେବା ପରେ ବିଜେଡି ଆଶାୟୀଙ୍କ ଚକ୍ଷୁଶୂଳ ହୋଇଥିଲେ ଅନିମା। ସେମାନଙ୍କ ମଧ୍ୟରୁ କେତେଜଣ ଖୋଲାଖୋଲି ନଗରପାଳ ପ୍ରାର୍ଥୀଙ୍କୁ ବିରୋଧ କରିଥିଲେ। କାଉନ୍‌ସିଲର ପ୍ରାର୍ଥୀଙ୍କୁ ଶଙ୍ଖରେ ଏବଂ ନଗରପାଳ ପଦବୀରେ ପଦ୍ମଫୁଲରେ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇଥିଲେ। କେତେଜଣ ବିଜେଡି ସମର୍ଥକଙ୍କ ବ୍ୟକ୍ତିଗତ ଆକ୍ଷେପ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ମଧ୍ୟ ହୋଇଥିଲା। ଏସବୁ ଘଟଣାକୁ ସେତେବେଳେ କେହି ଗୁରୁତ୍ୱ ଦେଇ ନ ଥିଲେ, ଯାହା ପରେ ଦଳ ପାଇଁ ବୁମେରାଂ ପାଲଟିଥିଲା।
ଅପରପକ୍ଷେ ଗୋଷ୍ଠୀ କନ୍ଦଳ ଓ ମତଭେଦ ସତ୍ତ୍ୱେ ନଗରପାଳ ଆସନ ପାଇଁ ଭାଜପା ସମସ୍ତ ଶକ୍ତି ଲଗାଇଦେଇଥିଲା। ଦଳ ମାତ୍ର ୯ଟି ଓ୍ବାର୍ଡରେ ଜିତିଥିଲେ ମଧ୍ୟ ଅବଶିଷ୍ଟ ଆସନରେ ବିଜେଡିକୁ କଡ଼ା ଜବାବ ଦେବାରେ ସକ୍ଷମ ହୋଇଛି। ଅନ୍ୟପଟେ ସାଙ୍ଗଠନିକ ଦୁର୍ବଳତା, ଜିଲା ସଙ୍ଗଠନ ପକ୍ଷରୁ ଆବଶ୍ୟକ ସହଯୋଗ ଅଭାବରୁ ଗତ ନିର୍ବାଚନରେ ୧୧ ଆସନ ହାତେଇଥିବା କଂଗ୍ରେସ ମୂଳପୋଛ ହୋଇଯାଇଛି।
ବିଜେଡି ପ୍ରଥମରୁ ମଇଦାନରେ ଆଧିପତ୍ୟ ବିସ୍ତାର କରିଥିଲା। ବିଧାୟକ ସୁଧୀର କୁମାର ସାମଲଙ୍କ ସମେତ ଜିଲାସ୍ତରୀୟ ନେତାମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ, ଯାହାର ଫଳ କାଉନ୍‌ସିଲର ଭୋଟରେ ପ୍ରତିଫଳିତ ହୋଇଛି। ହେଲେ କେଉଁ କାରଣ ପାଇଁ ପୌରାଧ୍ୟକ୍ଷ ଭୋଟ ବାଟବଣା ହେଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ପରାଜୟ ପରେ ବିଧାୟକ ସାମଲ ସିଧାସଳଖ ନ ହେଲେ ବି ଦଳବିରୋଧୀଙ୍କ ଉପରକୁ ପରୋକ୍ଷରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ନଗରପାଳ ଏବଂ କାଉନସିଲର ନିର୍ବାଚନରେ କେଉଁଠି ନା କେଉଁଠି ସମସ୍ୟା ରହିଥିବା କଥା ସେ ସ୍ବୀକାର କରିବା ସହିତ ଏହାର ସମୀକ୍ଷା କରାଯାଉଥିବା କହିଛନ୍ତି। ଯଦି କୌଣସି କର୍ମୀ କିମ୍ବା କାର୍ଯ୍ୟକର୍ତ୍ତା ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ କହିଛନ୍ତି।

ରଣନୀତି କାମଦେଲା
ଲୋକଙ୍କ ପାଖକୁ ଗଲୁ ଏବଂ ନିଜକୁ ସମର୍ପଣ କଲୁ। ପ୍ରତ୍ୟେକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ଲୋଡିଲୁ। ବିଜେଡିର ଗୁଣ୍ଡାରାଜ, ଅହଙ୍କାର, ଦୁର୍ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇଲୁ। ଏହି ରଣନୀତି କାମଦେଲା।
-ରାମଚନ୍ଦ୍ର ପାତ୍ର, ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ଉପସଭାପତି

ନିର୍ବାଚନ ପରିଚାଳନାରେ ତ୍ରୁଟି
୭ଟି ୱାର୍ଡରେ ଠିକ୍‌ ପ୍ରାର୍ଥୀ ଚୟନ ହୋଇନାହିଁ। ସାଙ୍ଗଠନିକ ଦାୟିତ୍ୱରେ ଥିବା କେତେଜଣ କାର୍ଯ୍ୟକର୍ତ୍ତା ଦଳବିରୋଧୀ କାର୍ଯ୍ୟ କଲେ। ବରିଷ୍ଠଙ୍କୁ ଗୁରୁତ୍ୱ ନ ଦେବା, ନିର୍ବାଚନ ପରିଚାଳନାରେ ତ୍ରୁଟି, କେତେଜଣ କର୍ମୀଙ୍କ ଉଚ୍ଛୃଙ୍ଖଳ ବ୍ୟବହାର ପରାଜୟର ପ୍ରମୁଖ କାରଣ।
-ସୁଧାଂଶୁ କୁମାର ଦଳେଇ, ବିଜେଡି ନେତା

କଂଗ୍ରେସ ପ୍ରଦର୍ଶନ ନୈରାଶ୍ୟଜନକ
ପୌର ନିର୍ବାଚନରେ କଂଗ୍ରେସ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଶାସକ ଦଳର ଅର୍ଥ ଓ ବାହୁବଳର ମୁକାବିଲା କରିବା କଷ୍ଟକର ହୋଇପଡ଼ିଲା। ତେଣୁ ଏଭଳି ଫଳାଫଳ ହୋଇଛି। ଏହାର ସମୀକ୍ଷା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।
-ସରୋଜ କୁମାର ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri