ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍ ପ୍ରାୟ। ଯେଉଁଠି ପ୍ରତ୍ୟେକ ହୃଦୟର ସ୍ପନ୍ଦନରେ ପ୍ରାଣ ସଂଚାରର ଅନୁଭୂତି ହେଉଛି, ସେଠି ତୁମେ ବିନା ଶିହରଣରେ ବଞ୍ଚୁଛ କେମିତି? ପ୍ରତିବାଦର ଅଗ୍ନି ତୁମକୁ ଜାଳି ପୋଡ଼ି ନଷ୍ଟ କରିଦେବନି ତ? ତୁମକୁ ପଶ୍ଚାତ୍ତାପ ରୂପକ ଝଡ଼ ଭାଙ୍ଗିଦେବନି ତ? ମାନବୀୟ ମୂଲ୍ୟର ଅଭାବରେ କି ସୌନ୍ଦର୍ଯ୍ୟର ଗର୍ବ କରୁଛ? ସତରେ ତୁମେ ଲୁଟି ହୋଇ ଯାଇଛ। ତୁମ ଭିତରର ଆବେଗକୁ କେହି ଜଣେ ପରିଚାଳିତ କରୁଛି। ଭୁଲ୍ ଠିକ୍ର ବିଚାର ନ କରି କେଉଁ ଇତିହାସ ରଚିତ ତାହା ତ ପରଂବ୍ରହ୍ମଙ୍କୁ ଜଣା। ହେଲେ ଭବିଷ୍ୟ ତୁମକୁ ଖୋଜିବ ଆଉ ଲାଞ୍ଛନା ହେବ। ଆଉ କହିବ ଜଡ଼, ଜଡ଼ ଓ ଜଡ଼। ମୃତ ପ୍ରାୟ, ମୃତ ପ୍ରାୟ, ମୃତ ପ୍ରାୟ।
ଠିକ୍ ଯେମିତି ମହାଭାରତର ଦ୍ରୌପଦୀ ବସ୍ତ୍ରହରଣ ସମୟରେ ସବୁ ମୁରବି ଦୁଃଶାସନର ଗୋଲାମ ପାଲଟିଥିଲେ ଆଉ ନୀରବ ରହିଥିଲେ, ସେହିପରି ତୁମେ ଜଣେ ଜଣେ ପିତାମହ ଭୀଷ୍ମ ଓ ଦୁଃଶାସନର ଗୋଲାମ। ଯେମିତି ସମାଜ ସମସ୍ତ ବୀର ଚରିତ୍ରଙ୍କ ଗୁଣଗାନ କରେ, ଆଉ ଭୀରୁମାନଙ୍କୁ ଭର୍ତ୍ସନା ଦିଏ, ଠିକ୍ ସେହିପରି ଅବସ୍ଥା ନୀରବତାରେ ମଗ୍ନ ବ୍ୟକ୍ତିମାନଙ୍କର ହେବ।
ସାଧୁ ସନ୍ଥଙ୍କ ନୀରବତା ହୁଏତ ଏକ ପ୍ରକାର ପ୍ରାମାଣିକ। ହେଲେ ସଂସାରିମାନଙ୍କ ନୀରବତା ସମାଜ ଅଧୋପତନର ମୂଳ କାରଣ। କୁଆଡ଼େ ଗଲା ସେ ବଳ ଏବଂ ବୀର୍ଯ୍ୟ? କୁଆଡ଼େ ଗଲା ସେ ନିର୍ଭୀକ ଓଡ଼ିଆର ରକ୍ତ? କ’ଣ ଶିଥିଳ ହୋଇଗଲା କି! ଅନ୍ୟାୟର ପ୍ରତିବାଦରେ ଡର କାହିଁକି? ଯେଉଁ ଜାତି ନିଜ ସ୍ବାଭିମାନ ପାଇଁ ଗର୍ବ କରେ, ଯେଉଁ ମାଟିର ପୁଅ ନିଜର ସାହସକୁ ବ୍ରିଟିଶ୍ ଶାସନ ସମୟରେ ବି ପ୍ରମାଣିତ କରି ପାରୁଥିଲା, ଆଜି ସେ ଗୁଣସୂତ୍ର ସୁପ୍ତ ହୋଇଗଲା କେମିତି?
ଧନ ମୋହରେ ଏ କି ମାନସିକ ବିକୃତି ଦେଖାଦେଲା ତାହା ତ ପରଂବ୍ରହ୍ମଙ୍କୁ ଜଣା। ହେଲେ ସମ୍ପର୍କଟା ଯେ ଏତେ ଶସ୍ତା, ତାହା ଏବେ ପ୍ରମାଣିତ ହୋଇଗଲା। ପ୍ରତ୍ୟେକ ପରିବାରର କଳହ ଗୋଟିଏ କଥା ଚିତ୍କାର କରି କୁହେ, ସମୟର ନୀରବତା ଆଉ ମୁରବିଶୂନ୍ୟ ସମାଜ ଏ ବିଘଟନ ପାଇଁ ଦାୟୀ। ଆଜିର ସମାଜର ଅବସ୍ଥା ଏମିତି, ଏଠି ଲକ୍ଷ ଲକ୍ଷ କୃତଘ୍ନ ଧଳା କପଡ଼ା ଘୋଡ଼େଇ ହୋଇ ଦାନୀ ପାଲଟିଯାଆନ୍ତି। ଆଉ ଶ୍ମଶାନରେ ଚାକିରି ଖଟୁଥିବା ରାଜା ହରିଶ୍ଚନ୍ଦ୍ର ଇତର ବୋଲାଏ। ଏଠି ଶ୍ମଶାନକୁ ପକ୍କା ରାସ୍ତା ଅଛି ଆଉ ଗାଁ ମଝି ରାସ୍ତାଟା ଖାଲଖମାରେ ଭରା। ସତେ ଯେମିତି ସମସ୍ତଙ୍କ ଆବେଗ ଶିଥିଳ ହୋଇଯାଇଛି। ଏହା ନୀରବତାର ଦାନ ନୁହେଁ ତ ଆଉ କ’ଣ?
ଦିନେ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ରାଣୀ ଗାନ୍ଧାରୀ ପ୍ରଶ୍ନ କଲେ, ହେ ବାସୁଦେବ! ଶହେ ପୁଅଙ୍କୁ ହରେଇ ମୁଁ ଆଜି ଦୁଃଖର ପୀଡ଼ାରେ ଜର୍ଜରିତ ହେଉଛି। ଆପଣଙ୍କ ପାଇଁ ହିଁ ମୋର ଶହେ ପୁଅଙ୍କୁ ମୁଁ ହରେଇଲି। ଯଦି ଯୁଦ୍ଧ ନ ହୋଇଥା’ନ୍ତା, ହୁଏତ ମୁଁ ଶତ ପୁତ୍ରର ଜନନୀ ହୋଇ ବହୁତ ଖୁସିରେ ରହିଥା’ନ୍ତି। ଭଗବାନ୍ ଶ୍ରୀକୃଷ୍ଣ ଉତ୍ତରଦେଲେ- ତୁମ ପୁତ୍ରମାନଙ୍କ ବିୟୋଗ ପାଇଁ ତୁମେ ହେଉଛ ପରୋକ୍ଷରେ ଦାୟୀ। ଯଦିଓ ତୁମେ ଜଣେ ପତିବ୍ରତା ନାରୀ, ପତିଙ୍କ ନେତ୍ରହୀନତା ପାଇଁ ତୁମେ ମଧ୍ୟ ଆଖିରେ ପୁଟୁଳି ବାନ୍ଧି ନେତ୍ରହୀନ ହୋଇଥିଲ। କିନ୍ତୁ ତୁମେ ତ ତୁମ ପୁତ୍ରମାନଙ୍କ ଉପଦ୍ରବ ଶୁଣିଥିବ। କାହିଁ ତୁମେ ତ କେବେହେଲେ ଏହି ଅନ୍ୟାୟକୁ ବିରୋଧ କରିନାହଁ? ତୁମ ପୁତ୍ରମାନଙ୍କ ବିୟୋଗ ପାଇଁ କେବଳ ତୁମେ ହିଁ ଦାୟୀ।
ଆଜିର ସମାଜର ଅଧିକାଂଶ ଘରେ ଜଣେ ଜଣେ ପିତାମହ ଭୀଷ୍ମ ଓ ଜଣେ ଜଣେ ଗାନ୍ଧାରୀ ବିଦ୍ୟମାନ। କେଉଁମାନେ ପୁତ୍ର ମୋହରେ ଅନ୍ଧ ତ ଆଉ କେତେଜଣ ଆଶ୍ରୟଦାତାଙ୍କ ମୋହରେ ଅନ୍ଧ। ଯେମିତି ସେଦିନ ପିତାମହ ଭୀଷ୍ମ କହିଥିଲେ, ମୁଁ ଯେହେତୁ ଦୁର୍ଯ୍ୟୋଧନର ଲୁଣ ଖାଇଥିଲି, ତେଣୁ ଦୁର୍ଯ୍ୟୋଧନର ଯେକୌଣସି କାର୍ଯ୍ୟକୁ ବିରୋଧ କରିବା ମୋ ପାଇଁ ଅନ୍ୟାୟ। ଠିକ୍ ସେହିପରି ଅନ୍ୟାୟର ନୀରବଦ୍ରଷ୍ଟା ସାଜିଥିବା ବ୍ୟକ୍ତିମାନେ ପିତାମହ ଭୀଷ୍ମ ସଦୃଶ।
ହେ ନୀରବଦ୍ରଷ୍ଟାମାନେ! ଯେଉଁ ମୃଗତୃଷ୍ଣା ଆଶାରେ ବଞ୍ଚୁଛ, ଯେଉଁ ଅନ୍ୟାୟର ଅଗ୍ନିରେ ପାଦ ଦେଇ ଅସହ୍ୟ ଜ୍ୱାଳାକୁ ସହି ନେଉଛ, ତାହା ଦିନେ ତୁମ ପାଇଁ ବୁମେରାଂ ପାଲଟିବ। ଆଜିର ତାତିକୁ ହୁଏତ ତୁମେ ସହିଯାଇପାର। ହେଲେ ଭବିଷ୍ୟତରେ ଏହି କୁହୁଳା ନିଆଁ ବାଡ଼ବାଗ୍ନିର ରୂପ ନେବ, ଯାହା ତୁମ ଶରୀର ରୂପକ ଜଳରାଶିରେ ମଧ୍ୟରେ ଅଗ୍ନି ଉଦ୍ଗିରଣ କରେଇଦେବ।
ତେଣୁ ହେ ଜଡ଼! ତୁମର ନୀରବତା ଆଜି ନିରୀହ ଜୀବଜଗତମାନଙ୍କ ପାଇଁ କାଳ ସାଜିଛି। ଏହି ନୀରବତା ବଳରେ ଆଜି ଅନ୍ୟାୟର ନିଆଁରେ ଘୃତଯଜ୍ଞ ଚାଲିଛି ଆଉ ଲକ୍ଷ ଲକ୍ଷ ନିରୀହ ଜୀବ ଏହି ଯଜ୍ଞରେ ଆହୁତି ଦେଉଛନ୍ତି। ଯଦି ଏହି ନୀରବତାକୁ ଭାଙ୍ଗି ଆମେ ସମସ୍ତ ଜଡ଼ ପ୍ରତିବାଦ ରୂପକ ବ୍ରତରେ ବ୍ରତୀ ହୋଇପାରିବା, ତେବେ ନିଶ୍ଚୟ ରାମ ରାଜ୍ୟ ଫେରିଆସିବ। ଲକ୍ଷ ଲକ୍ଷ ପରିବାର ହସି ଉଠିବ। ମୁରବିଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିବ। ସବୁ ଭାଙ୍ଗିଯାଇଥିବା ଘର ପୁଣିଥରେ ଗଢ଼ି ଉଠିବ। ଯେ ପର୍ଯ୍ୟନ୍ତ ଆମେ ସମସ୍ତେ ସ୍ବାର୍ଥ ରୂପକ ଅନ୍ଧପୁଟୁଳି ବାନ୍ଧି ଅନ୍ୟାୟ, ଅତ୍ୟାଚାର ଓ କୁସଂସ୍କାର ରୂପକ ଅଗ୍ନିକୁ ନିଜ ଅଣ୍ଟିରେ ସାଇତିଥିବା ସେ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଆମ ସମାଜରେ ହୋଇପାରିବ ନାହିଁ। ଏସବୁ କରି ଆମେ କେଉଁ ଯଶ ଅର୍ଜନ କରୁଛେ ତାହା ସମସ୍ତଙ୍କୁ ଜଣା। ମଣିଷ ଶରୀରରେ ଆମେ ମଣିଷ ପ୍ରାୟ ହୋଇ ବଞ୍ଚୁଛେ କେମିତି? ଆମର ଆବେଗକୁ ଆମେ ଅନ୍ୟମାନଙ୍କୁ ବିକି ଦେଉଛେ କେମିତି? କାହିଁକି ଏ କୁସଂସ୍କାର, ଅନ୍ୟାୟ, ଅତ୍ୟାଚାର ଆମ ସମାଜ ଉପରେ ଚାବୁକ ଧରି ରାଜ୍ କରୁଛି? ଥରେ ବିଚାର କରନ୍ତୁ ମାନବୀୟ ମୂଲ୍ୟ ଆମ ଶରୀରରେ କେତେ ପରିମାଣ ପ୍ରବାହିତ ହେଉଛି। ଆଉ ଜଡ଼ତାର ପରିମାଣ କେତେ।
ବିଭୁ ପ୍ରସାଦ ନାଥ
କେନ୍ଦ୍ରାପଡ଼ା
ମୋ: ୭୮୫୫୯୭୯୬୨୦

