ଖୁବ୍‌ଶୀଘ୍ର ରିଲିଜ୍‌ ହେବ ସିଡ୍‌ନାଜଙ୍କ ଅସମାପ୍ତ ମ୍ୟୁଜିକ୍‌ ଭିଡିଓ ‘ଅଧୁରା’

ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ପ୍ରଶଂସକଙ୍କ ଦୀର୍ଘ ଦିନର ଅନୁରୋଧ ଶୀଘ୍ର ପୂରଣ ହେବାକୁ ଯାଉଛି। ‘ସାରେଗାମା’ ଏହି ଦୁଇ କଳାକାରଙ୍କୁ ନେଇ ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ କରିବ, ଯାହାକି ସାରେଗାମା ମ୍ୟୁଜିକ୍‌, ୟୁଟ୍ୟୁବ୍‌ ଓ ଅନ୍ୟ ପ୍ରମୁଖ ମ୍ୟୁଜିକ୍‌ ପ୍ଲାଟଫର୍ମରେ ରିଲିଜ୍‌ ହେବ। ଏହାର ନାମ ରଖାଯାଇଛି ‘ଅଧୁରା’। ଏହି ମ୍ୟୁଜିକ୍‌ ଭିଡିଓ ବିଗ୍‌ବସ୍‌-୧୩ ବିଜେତା ତଥା ସ୍ବର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସ୍ମୃତିରେ ଉତ୍ସଗୀକୃତ କରାଯିବ।
ଏହି ଗୀତରେ ଶେହନାଜ ଗିଲ୍‌ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କର ସୁଟିଂ ସମୟର କେତେକ ଭିଡିଓ ଫୁଟେଜ ଓ ଫଟୋ ରହିବ। ସିଦ୍ଧାର୍ଥ ଏବଂ ଶେହନାଜ ଗୋଆର ଏକ ସମୁଦ୍ର କୂଳରେ ଆରାମ କରିବା ସହିତ ମଜାମସ୍ତି କରୁଥିବା ତାଙ୍କ ଫ୍ୟାନ୍ସମାନେ ଦେଖିପାରିବେ। ଚଳିତବର୍ଷ ପ୍ରଥମରୁ ଏହି ମ୍ୟୁଜିକ୍‌ ଭିଡିଓ ସୁଟିଂ ଆରମ୍ଭ ହୋଇଥିଲା। ଏହା କିନ୍ତୁ କୌଣସି କାରଣବଶତଃ ଶେଷ ହୋଇପାରି ନ ଥିଲା। ଏହା ସିଦ୍ଧାର୍ଥଙ୍କ ଏକ ଅସମାପ୍ତ ପ୍ରୋଜେକ୍ଟ। ତେଣୁ ଏହାର ନାମ ‘ଅଧୁରା’ ରଖାଯାଇଛି ବୋଲି ନିର୍ମାତା କହିଛନ୍ତି। ଗୀତର ପୋଷ୍ଟରରେ ଏକ ମହମବତି ପ୍ରଦର୍ଶିତ ହୋଇଛି। ଏଥିସହିତ ‘ଏକ ଅଧୁରା ଗାନା, ଏକ ଅଧୁରୀ କାହାନୀ’ ବୋଲି ଲେଖାଯାଇଛି। ଶ୍ରେୟ ଘୋଷାଲ ଏବଂ ଅର୍‌କୋ ମୁଖାର୍ଜୀ ଏଥିରେ କଣ୍ଠଦାନ କରିଛନ୍ତି। ସତରେ ପ୍ରେମ କାହାଣୀର କେବେ ଶେଷ ହୁଏ ନାହିଁ ବୋଲି ସିଡନାଜ୍‌ଙ୍କ ପ୍ରଶଂସକ ଟୁଇଟ୍‌ କରି କହିଛନ୍ତି ।

Share