ପକେଟ ମନିପାଇଁ ମଡଲିଂ ଆରମ୍ଭ କରିଥିଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଶେରଶାହ ସିଦ୍ଧାର୍ଥ ମାଲହୋତ୍ରା ସୋମବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏବେ ସିଦ୍ଧାର୍ଥ ବଲିଉଡର ଜଣେ ଆଗଧାଡିର ଅଭିନେତା । ସେ ୨୦୧୨ରେ ବରୁଣ ଧୱନ ଓ ଆଲିଆ ଭଟ୍ଟଙ୍କ ସହ ବଲିଉଡ ମୁଭି ‘ଷ୍ଟୁଡେଣ୍ଡ ଅଫ ଦ ଇୟର’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଦେଖି ନାହାନ୍ତି । ଯଦିଓ ବଲିଉଡ ଜର୍ଣ୍ଣି ସିଦ୍ଧାର୍ଥଙ୍କ ପାଇଁ ଏତେଟା ସହଜ ନ ଥିଲା ତେବେ ସେ ତାଙ୍କ ଦମଦାର ଅଭିନୟରେ ଦର୍ଶକଙ୍କୁ ପ୍ରଭାବିତ କରିପାରିଥିଲେ । ସେ ୨୦୧୦ରେ କରଣ ଜୋହରଙ୍କ ମୁଭି ‘ମାଇଁ ନେମ ଇଜ ଖାନ’ରେ ଆସିଷ୍ଟାଣ୍ଡ ଡାଇରେକ୍ଟର ଭାବେ କାମ କରିଥିଲେ । ସିଦ୍ଧାର୍ଥ ମାଲହୋତ୍ରା ଆଜି ଯଦିଓ ଏକ ବଡ ନାମ ହେଲେ ତାଙ୍କର ଯାତ୍ରା ଏତେ ସହଜ ନଥିଲା । ଫିଲ୍ମ ଦୁନିଆର ଯାତ୍ରାରେ ସେ ଅନେକ ଉତଥାନ ପତନ ଦେଖିଛନ୍ତି ।
ନିକଟରେ ସେ ତାଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ କଥା ହୋଇଥିଲେ । ଏମିତି ସମୟକୁ ସେ ସାମ୍ନା କରିଥିଲେ ଯେତେବେଳେ ସେ ବଲିଉଡ ଛାଡିବାକୁ ଚାହିଁଥିଲେ । ହେଲେ ଭଲ ଭବିଷ୍ୟତ ପାଇଁ ସେ ଆଗକୁ ବଢିଲେ । ତେବେ ଘରକୁ ଫେରିଲେ ତାଙ୍କ ଦ୍ୱାରା ଆଉ କିଛି ହୋଇ ପାରିବ ନାହିଁ ଭାବି ସେ ଟ୍ରାକକୁ ଫେରିଥିଲେ । ‘ଇତ୍ତେଫାକ’ର ଅଭିନେତା କହିଛନ୍ତି ତାଙ୍କ ମାତା-ପିତା ଚିନ୍ତିତ ଥିଲେ କି ତାଙ୍କ ଦ୍ୱାରା କିଛି ହେବନାହିଁ, ସେ ବେରୋଜଗାର ରହିଯିବେ । କାରଣ ତାଙ୍କ ପାଖରେ କିଛି ବ୍ୟାକଅପ୍ ନାହିଁ ।
ସିଦ୍ଧାର୍ଥ ଜଣେ ମଡେଲ ଭାବେ ମାତ୍ର ୧୮ ବର୍ଷ ବୟସରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ କିଛି ଫଟୋ ଶୁଟ ଓ ଫ୍ୟାଶନ ଶୋ’ ପଇଁ ପୋଜ ଦେଇଥିଲେ । ହେଲେ ୪ ବର୍ଷ ପରେ ସେ ଏହାକୁ ବି ଛାଡିବାକୁ ଚାହୁଁଥିଲେ । କାରଣ ଏଥିରେ ମିଳୁଥିବା ପାରିଶ୍ରମିକରେ ସେ ସନ୍ତୁଷ୍ଟ ନ ଥିଲେ । ଏହାପରେ ସିଦ୍ଧାର୍ଥ ଟେଲିଭିଜନ ଧାରାବାହିକରେ ଅଭିନୟ ଆରମ୍ଭ କରିଦେଇଥିଲେ । ହେଲେ ଏଥିରେ ସେ ଦର୍ଶକଙ୍କର ନିକଟତର ହୋଇପାରି ନ ଥିଲେ ।
ସିଦ୍ଧାର୍ଥ ବ୍ରଦର୍ସରେ କାମ କରିବା ପାଇଁ ନିଜ ଶରୀରର ଓଜନ ୭-୮ କିଲୋ ବଢାଇଥିଲେ । ହେଲେ ଏହାପରେ ସେ ତାଙ୍କ ଓଜନକୁ ତୁରନ୍ତ କମାଇ ଦେଇଥିଲେ । ଏହାକୁ ଦେଖି ତାଙ୍କ ମାଆ ଚିନ୍ତାରେ ପଡିଯାଇଥିଲେ । କାରଣ ଏମିତି ଓଜନ ବଢାଇବା ଓ କମାଇବା ଶରୀର ଉପରେ କୁପ୍ରଭାବ ପକାଇଥାଏ ।

Share