Categories: ଖେଳ

ସିଦ୍ଧାର୍ଥ ଚୌଧାରୀଙ୍କୁ ଶଟ୍‌ପୁଟ୍‌ରେ ସ୍ବର୍ଣ୍ଣ

ଇଚିଅନ (ଦକ୍ଷିଣ କୋରିଆ), ୬।୬: ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍‌ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ସିଦ୍ଧାର୍ଥ ଚୌଧାରୀ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଆଣିଦେଇଛନ୍ତି। ସୋମବାର ଅନୁଷ୍ଠିତ ଶଟ୍‌ପୁଟ ଇଭେଣ୍ଟରେ ସେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ୧୯.୫୨ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ପୂର୍ବରୁ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଜୁନିୟରସ୍ତରରେ ୧୯.୧୧ ମିଟର ରହିଥିଲା। କାତାରର ଡିଜିବ୍ରିମ୍‌ ଆଡୋମ୍‌ (୧୮.୮୫ ମିଟର) ଓ ଆୟୋଜକ ଦେଶର ପାର୍କ ସିହୁନ୍‌ (୧୮.୭୦ ମିଟର) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଭାରତ ୬ ପଦକ ଜିତିବାରେ ସଫଳ ହୋଇଛି। ଜାପାନ (୮ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ) ଏବଂ ଚାଇନା (୫ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ) ପଛକୁ ୩ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ସହ ଷ୍ଟାଣ୍ଡିଂରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି। ଜାଭେଲିନ୍‌ ଥ୍ରୋୟର ଶିବମ ଲୋହାକାରେ (୭୨.୩୪ ମିଟର), ପୁରୁଷ ୩୦୦୦ ମିଟର ଷ୍ଟିପଲ ଚେଜ୍‌ର ଶାରୁକ୍‌ ଖାଁ (୮:୫୧.୭୪ ସେକେଣ୍ଡ) ଏବଂ ଲଙ୍ଗ ଜମ୍ପର ସସ୍ମିତା (୫.୯୬ ମିଟର) ଗୋଟିଏ ଲେଖାଏଁ ରୌପ୍ୟ ଜିତିଛନ୍ତି। ଅନ୍ୟପକ୍ଷରେ ରେଜୋନା ମଲିକ ହୀନା, ଦୀପକ ସିଂ ଓ ନବପ୍ରୀତ ସିଂଙ୍କୁ ନେଇ ଗଠିତ ୪x୪୦୦ ମିଟର ରିଲେ ଟିମ୍‌ (୩:୩୦.୧୨ ମିଟର) ଏବଂ ୮୦୦ ମିଟର ଧାବକ ଶକିଲ (୧:୪୯.୭୯ ସେକେଣ୍ଡ) ଗୋଟିଏ ଲେଖାଏଁ ବ୍ରୋଞ୍ଜ ଜିତିଛନ୍ତି।

Share