ମହିଳାଙ୍କୁ ପ୍ରତାରଣା: ଜେଲ ଗଲେ ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୨୭ା୧: ଖାକିରେ ଲାଗିଲା କଳଙ୍କ। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଏସ୍‌ଆଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଭୂଷଣ୍ଡପୁର ଅଞ୍ଚଳର ଟାଙ୍ଗୀ ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାଗୀରଥି ଦାଶ। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ତଦନ୍ତ ଅଧିକାରୀ ସଦର ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି।
ସୂଚନା ମୁତାବକ, କୋଭିଡ୍‌ ସମୟରେ ଟ୍ରେନିଂ ପିରିୟଡରେ ଭାଗୀରଥି ଟାଙ୍ଗୀ ଥାନାରେ ଯୋଗଦେଇଥିଲେ। ଏହି ସମୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ତାଙ୍କ ପିଲାଦିନର ସାଙ୍ଗ ତଥା ସମ୍ପୃୃକ୍ତ ମହିଳାଙ୍କ ସହ ଦେଖା ହୋଇଥିଲା। ମହିଳାଙ୍କ ୬ବର୍ଷର ପୁଅ ରହିଥିବା ବେଳେ ସ୍ବାମୀ ବାହାର ରାଜ୍ୟରେ କାମ କରୁଛନ୍ତି। ପରେ ମୋବାଇଲ ଚାଟିଂରୁ ଏସ୍‌ଆଇ ଭାଗୀରଥି ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଏସ୍‌ଆଇ ବିବାହର ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳାଜଣକ ଗର୍ଭବତୀ ହେବା ନେଇ ଜଣାପଡ଼ିବା ପରେ ଏସ୍‌ଆଇ ତାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ। ଏହା ସହ ଗର୍ଭ ନଷ୍ଟ କରିବାକୁ ସମ୍ପୃକ୍ତ ମହିଳାଙ୍କୁ ଧମକ ଦେଉଥିଲେ। ଏ ନେଇ ସମ୍ପୃକ୍ତ ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୧୯/୨୧) ରୁଜୁକରି ଏସ୍‌ଆଇ ଭାଗୀରଥିଙ୍କୁ ଗିରଫ କରିଥିଲା।