ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ ଖାଉଥିବା ଦେଖାଦେଇଛି। ଭାରତୀୟ ବିରଳ ମୃତ୍ତିକା (IREL) ପକ୍ଷରୁ ବାଲି ଖନନ ପାଇଁ ଲକ୍ଷାଧିକ ବୃକ୍ଷ କଟାଯାଉଥିଲେ ସୁଦ୍ଧା, ସେହି ଅନୁପାତରେ ଚାରାରୋପଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗ୍ରାମବାସୀ ନିଜ ଭିଟାମାଟି ବଞ୍ଚାଇବା ପାଇଁ ଜିଲା ପ୍ରଶାସନ ନିକଟରେ ଏକାଧିକ ଥର ନିଜର ଦାବି ଉପସ୍ଥାପନ କରିଥିଲେ ହେଁ ତାହା ଆଜି ଯାଏ ପୂରଣ ହୋଇନାହିଁ।
ତାମ୍ପରା ହ୍ରଦ ଓ ଆର୍ଯ୍ୟପଲ୍ଲୀ ବେଳାଭୂମି ମଧ୍ୟରେ ଥିବା ବାତ୍ୟାରୋଧୀ ବିଶାଳ ଝାଉଁ, ଭାଲିଆ, ବର ଓ ଅଶତ୍ଥ ଜଙ୍ଗଲ ଏବେ ଉଜୁଡ଼ିବାକୁ ବସିଛି। ବୃକ୍ଷକଟା ଯୋଗୁ କମ୍ପାନୀରୁ ନିର୍ଗତ ରାସାୟନିକ ଗ୍ୟାସ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ଆଇଆରଇଏଲ ଦେଇଥିବା ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ।
ଗଛ କଟାଯାଇଥିବା ସ୍ଥାନଗୁଡ଼ିକୁ ସମତଳ କରି ପୁନର୍ବାର ବୃକ୍ଷରୋପଣ କରିବା ଏବଂ ସୁରକ୍ଷିତ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର କୁମାର ଦାଶ ଓ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

