ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର ବିଭିନ୍ନ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ୍‌ ହୋଇପଡ଼ିଛି। ଫଳରେ ରାସ୍ତାଘାଟ ଶୂନଶାନ ହୋଇପଡ଼ିଛି। କର୍ଲାମୁଣ୍ଡା ବ୍ଲକ ସଦର ସମେତ ରିଷିଡ଼ା ଓ ଜୋରାଡବରା ଛକ ଆଦି ଅଞ୍ଚଳରେ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ପାଳନକାରୀମାନେ ବିଭିନ୍ନ ସ୍ଥାନରେ ବୁଲି ପିକେଟିଂ କରି ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ କରିଥିଲେ। ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା।

ବନ୍ଦ ଡାକରାରେ ଏମଏମ୍‌ଡିଆର୍‌ ବିଲ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଭଳି ବିଭିନ୍ନ ଦାବି ଉଠାଯାଇଛି। ବ୍ଲକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବନ୍ଦ ପାଳନରେ ସାମିଲ ହୋଇଥିଲେ। କର୍ଲାମୁଣ୍ଡାରେ ଦୀନବନ୍ଧୁ ସାହୁ, ରସ୍ମିକାନ୍ତ ସାହୁ, ରମେଶ ସାହୁ, ହିରୋଜ ସାହୁ, ଆମ୍ବିଲାଳ ସାହୁ, ବିପିନ ସାହୁ ପ୍ରମୁଖ ବନ୍ଦ ପାଳନରେ ଉପସ୍ଥିତ ଥିଲେ। ରିଷିଡ଼ାରେ କଂଗ୍ରେସ ନେତା ଗୋବର୍ଦ୍ଧନ କୁମାର ଓ ମାର୍କଣ୍ଡ ସାହୁଙ୍କ ସହ ସିପିଏମ ନେତା ଶତ୍ରୁଘ୍ନ ରଣାଙ୍କ ନେତୃତ୍ୱରେ କର୍ମୀମାନେ ପିକେଟିଂ କରିଥିଲେ।

ସେହିପରି ଜୋରାଡବରା ଛକରେ କଂଗ୍ରେସ ଜିଲା ଉପସଭାପତି ରାଜକିଶୋର ମିଶ୍ର ଓ ବ୍ଲକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀଙ୍କ ନେତୃତ୍ୱରେ ପିକେଟିଂ କରାଯାଇଥିଲା। ଏଥିରେ ନୀଳାମ୍ବର ବେହେରା, ହେମସାଗର ସାହୁ, ଚୈତନ୍ୟ ସାହୁ, ମୁରଲୀ ସାହୁ, ଉମେଶ ସାହୁ, ଲାଭି ରଣା, ଖଗେଶ୍ୱର ସେନାପତି, ଚୈତନ୍ୟ ମାଝୀ, ପୁରୁନ ମାଝୀ, ଡୋଲାମଣି ମାଝୀ, ନାଗୁ ସାହୁ, ରମେଶ ପୁଟେଲଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ବନ୍ଦ ଯୋଗୁ କର୍ଲାମୁଣ୍ଡା ବ୍ଲକରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ରାସ୍ତାରେ ଯାନବାହନ ଚଳାଚଳ ନ ଥିବାରୁ ପରିବେଶ ଶୂନଶାନ ଦେଖାଯାଇଥିଲା।

 

Dharitri – Odisha’s No.1 Odia Daily

 

 

Share