ବିଭିନ୍ନ ସମସ୍ୟା ନେଇ ବନ୍ଦ ହେଲା ଦୋକାନ

ଛତ୍ରପୁର,୧୦ା୭(ସନ୍ତୋଷ ପାଢ଼ୀ ): ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସୋମବାର ଦୋକାନ ବନ୍ଦ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଉଠାଦୋକାନୀ ସଂଘ ଡାକରାରେ ଛତ୍ରପୁରର ସମସ୍ତ ପରିବା ଓ ଅନ୍ୟାନ୍ୟ ଖୁଚୁରା ମାର୍କେଟର ବ୍ୟବସାୟୀମାନେ ଦୋକାନ ବନ୍ଦ କରିଥିଲେ। ସମସ୍ତେ ଅପରବସଷ୍ଟାଣ୍ଡରୁ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିବା ସହ ଲକ୍ଷ୍ମଣ ଭବନଠାରେ ପହଞ୍ଚିଥିଲେ । ସେଠାରେ ଜନସଭା ଆୟୋଜନ କରାଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଭଗ୍ନ ଅବସ୍ଥାରେ ଥିବା ପୁରୁଣା ମାର୍କେଟକୁ ନବୀକରଣ କରି ଦୋକାନୀଙ୍କୁ ଥଇଥାନ କରିବାକୁ ଦାବି କରାଯାଇଥିଲା । ଅପରବସଷ୍ଟାଣ୍ଡରେ ନୂତନ ଭାବେ ହେବାକୁ ଥିବା ଭେଣ୍ଡିଂଜୋନ୍‌ରେ ସମସ୍ତଙ୍କୁ ଥଇଥାନ କରିବା ସହ ଛୋଟ ବେପାରୀଙ୍କୁ ସ୍ଥାନ ଦେବା ବାବଦରେ ଆଲୋଚନା ନ ହେବା ଯାଏଁ ଉଚ୍ଛେଦ ସ୍ଥଗିତ ରଖିବା, ପୁନର୍ବାର ସର୍ଭେ ପ୍ରକ୍ରିୟା କରିବା, ଦୋକାନର ଓସାର ୧୪ ପୁଟ ରଖିବା, ଯେଉଁ ଜାଗାର ବ୍ୟବସାୟୀ ସେହି ସ୍ଥାନରେ ଥଇଥାନ କରିବା, ଟାଉନ ଭେଣ୍ଡିଂଜୋନ କମିଟିକୁ (ଟିଭିସି) କ୍ରିୟାଶୀଳ କରି ବୈଠକ ଡାକିବା, ଭେଣ୍ଡିଂଜୋନରେ ଶୌଚାଳୟ ପାନୀୟଜଳ ବ୍ୟବସ୍ଥା ଆଦି ୭ ଦଫା ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ଏକ ପ୍ରତିନିଧିଦଳ ଛତ୍ରପୁର ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ସଂଘ ସଭାପତି ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ , କାର୍ଯ୍ୟକାରୀ ସଭାପତି ଇଜୁ ଆମିନ ଖାନ, ସମ୍ପାଦକ ଏମ. ଲାଛେନା ରେଡ୍ଡୀ, ସହ ସମ୍ପାଦକ ଖଗେଶ୍ୱର ବେହେରା ,କୋଷାଧ୍ୟକ୍ଷ ନାଗା ରେଡ୍ଡୀ, ଶ୍ରମିକ ନେତା ନୀଳକଣ୍ଠ ଦାସ, ଲୋକ ଶକ୍ତି ଅଭିଯାନର ରାଜ୍ୟ ସମ୍ପାଦକ କଲ୍ୟାଣ ଆନନ୍ଦ, ସାମାଜିକ କର୍ମୀ ଜଲାଲ ଖାନ, କମିଟି ସଦସ୍ୟ ରାଜୁ ରେଡ୍ଡୀ, ରୀନା ପ୍ରଧାନ, ବୁଲି ରେଡ୍ଡୀ,ହରି ରେଡ୍ଡୀ, ଶଙ୍କର ସାହୁ, ଶିବ ସାହୁ, ବୁଡୁ ରେଡ୍ଡୀ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ରହିଥିଲେ ।