‘ଦ ଭ୍ୟାକ୍ସିନ ୱାର’ର ଶୁଟିଂ ଶେଷ

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫସରେ ତେହଲକା ମଚାଇବା ପରେ ଏହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବେ ତାଙ୍କ ଆଗାମୀ ମୁଭି ‘ଦ ଭ୍ୟାକ୍ସିନ ୱାର’କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ନିର୍ଦ୍ଦେଶକଙ୍କ ଏହି ମୁଭି ଚିକିତ୍ସା କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ଏକ ଟ୍ରିବ୍ୟୁଟ ହେବ ବୋଲି କୁହାଯାଉଛି । ଯେଉଁମାନେ କରୋନା ସମୟରେ ଦିନରାତି କାମ କରି ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ମୁଭିକୁ ନେଇ ଯେବେଠାରୁ ଘୋଷଣା କରାଗଲାଣି ସେବେଠାରୁ ବିବେକ ମୁଭିକୁ ନେଇ ଅପଡେଟ୍ସ ଦେଇ ଚାଲିଛନ୍ତି । ଏବେ ମୁଭିର ଶୁଟିଂ ଶେଷ ହୋଇଥିବା କୁହାଯାଇଛି ।
ବିବେକ ତାଙ୍କର ଏହି ମୁଭିର ଘୋଷଣା ୨୦୨୨ ନଭେମ୍ବରରେ କରିଥିଲେ । ଏହି ମୁଭିର ଶୁଟିଂ ଲକ୍ଷ୍ନୌରେ ଆରମ୍ଭ ହୋଇଥିଲା । ଏହାପରେ ଭିନ୍ନ ଭିନ୍ନ ସ୍ଥାନରେ ଏହାର ଶୁଟିଂ ହୋଇଥିଲା । ‘ଦ ଭ୍ୟାକ୍ସିନ ୱାର’ର ଲାଷ୍ଟ ସିଡ୍ୟୁଲ ହାଇଦ୍ରାବାଦରେ ଶେଷ ହୋଇଛି । ଶୁଟିଂ ଆରମ୍ଭ କରିବା ପୂର୍ବରୁ ବିବେକ ତାଙ୍କ ସମ୍ପୂର୍ଣ୍ଣ ଟିମ ସହ ମିଶି ଏକ ଲମ୍ବା ରିସର୍ଚ୍ଚ କରିଥିଲେ । ମେଡିକାଲ କ୍ଷେତ୍ରରେ ଜଡିତ ଲୋକଙ୍କ ସାମ୍ନାରେ କରୋନା ସମୟରେ କ’ଣ କ’ଣ ଅସୁବିଧା ଆସୁଥିଲା ତାହା ଜାଣିବାକୁ ଚେଷ୍ଟା କରିଥିଲେ । ଏହି ମୁଭିରେ ବିବେକ କରୋନା ସମୟର କିଛି କାହାଣୀ ଦେଖାଇବେ ।
ଫିଲ୍ମଟି ୨୦୨୩ ସ୍ୱାଧିନତା ଦିବସରେ ୧୧ଟି ଭାଷାରେ ରିଲିଜ୍ କରାଯିବାକୁ ଯୋଜନା କରାଯାଇଛି ।

Share