ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା ଗୁଳି । ତେବେ ଏହି ଗୁଳିକାଣ୍ଡରେ ଦୁଇ ଯୁବକ ଗୁରୁତର ହୋଇଥିବା ସୂଚନା ରହିଛି । ଗୁରୁତରମାନେ ହେଲେ ସହଦେଵଖୁଣ୍ଟା ଥାନା ନୂଆବଜାର ଅଞ୍ଚଳର ମନୋଜ କୁମାର ସାହୁ ଓରଫ ମୁନା ଓ କାର୍ତ୍ତିକ ପ୍ରସାଦ ଅରଫ ଗେଡୁ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି । ଗୁରୁତରଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ରେମୁଣାସ୍ଥିତ ଫକିର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ତେବେ ଦିନକୁ ଦିନ ବାଲେଶ୍ୱର ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । କିଛି ଦିନ ଅନ୍ତରାଳରେ ଅନେକ ବାର ବନ୍ଧୁକ ଫୁଟିବା ଘଟଣା ଏବେ ଜିଲାବାସୀଙ୍କୁ ଚିନ୍ତାରେ ପକାଇଛି। ପୂର୍ବ ଶତ୍ରୁତା, ଜମି କାରବାର ଓ ଦାଦା ବଟିକୁ କେନ୍ଦ୍ର କରି ବିଭିନ୍ନ ସମୟରେ ଗୁଳିକାଣ୍ଡ ଘଟୁଥିବାରୁ ସାଧାରଣଲୋକେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି ।

