Categories: ବାଣିଜ୍ୟ

ଓଡ଼ିଶାରେ ୧୫୦୦ କୋଟି ନିବେଶ କରିବ ଶିବା ସିମେଣ୍ଟ

ଭୁବନେଶ୍ୱର: ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ଶିବା ସିମେଣ୍ଟ ଓଡ଼ିଶାରେ ୧୫୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଛି। ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ବୁଧବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିମେଣ୍ଟ ସଂରଚନା ଏବଂ ଇସ୍ପାତ ବ୍ୟବସାୟ ଜରିଆରେ ଓଡ଼ିଶା ସହ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ସମ୍ପର୍କ ରହି ଆସିଛି। ଶିବା ସିମେଣ୍ଟ ପକ୍ଷରୁ ନୂଆ କ୍ଲିଙ୍କର ୟୁନିଟ ସ୍ଥାପନ ଯୋଜନା ଜରିଆରେ ପୁଞ୍ଜିନିବେଶ ଯୋଜନା ରଖାଯାଇଛି। ଏହାଦ୍ୱାରା ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଗ୍ରୁପ୍‌ ଯୋଗଦାନ ରଖିପାରିବ। ଗ୍ରାହକଙ୍କ ଆବଶ୍ୟକତା ପୂରଣ ଏବଂ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିବେଶ ଦିଗରେ ନୂଆ ନିବେଶ ସହାୟକ ହେବ। ପରିବେଶ ଉପଯୋଗୀ ସିମେଣ୍ଟ ଉତ୍ପାଦନ ସହ ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟର ସ୍ଥିତିକୁ ମଜଭୁତ କରିବାରେ ଏହା ଯୋଗଦାନ ରଖିବ।
ସୁନ୍ଦରଗଡ଼ ଜିଲାରେ ସ୍ଥାପନ ହେବାକୁ ଥିବା ୧.୩୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ କ୍ଲିଙ୍କର ୟୁନିଟରେ ଏହି ପୁଞ୍ଜିନିବେଶ କରାଯିବ। ଦୀର୍ଘସୂତ୍ରୀ ଡେଟ୍‌ ଏବଂ ଇକ୍ୱିଟି ଆକାରରେ ଏହି ପାଣ୍ଠି ଯୋଗାଇ ଦିଆଯିବ। ଏଥିରେ ବାର୍ଷିକ ୧ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଗ୍ରାଇଣ୍ଡିଂ ୟୁନିଟ, ୮ ମେଗାଓ୍ବାଟ୍‌ ହେଭିହିଟ୍‌ ରିକଭରି ପାଓ୍ବାର ପ୍ଲାଣ୍ଟ, ଡୋଲାମାଇଟ ଚୂନପଥର ଖଣିଗୁଡିକରେ ବାର୍ଷିକ ୪ ନିୟୁତ ଟନ୍‌ କ୍ରସିଂ ୟୁନିଟ, ଚୂନପଥର ଖଣିରୁ କାରଖାନାକୁ ପରିବହନ ନିମନ୍ତେ ୧୦ କିଲୋମିଟର ଦୀର୍ଘ ଓଭରଲାଣ୍ଡ ବେଲ୍ଟ କନଭେୟର ଏବଂ ନିଜସ୍ବ ୧୨ କି.ମି.ରେ ରେଳ ଟ୍ରାକ୍‌ ଭଳି କାର୍ଯ୍ୟ କମ୍ପାନୀ କରିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜିନ୍ଦଲ ସ୍ପଷ୍ଟ କରିଛନ୍ତି।
ସେ ପୁଣି କହିଛନ୍ତି, ଶିବା ସିମେଣ୍ଟର କ୍ଲିଙ୍କର ପ୍ରକଳ୍ପର କାର୍ଯ୍ୟକାରିତା ଠିକା ଥାଇସେନକ୍ରୁପ ଇଣ୍ଡଷ୍ଟ୍ରିଜ ଏବଂ ଲାର୍ସନ ଟୁବ୍ରୋକୁ ପ୍ରଦାନ କରାଯାଇଛି। ଦୈନିକ ୪ ହଜାର ଟନ୍‌ କ୍ଷମତା ବିଶିଷ୍ଟ କ୍ଲିଙ୍କରାଇଜେଶନ ୟୁନିଟର ଡିଜାଇନ ଯୋଗାଣର ଠିକା କାମ ଥାଇସେନକ୍ରୁପ କରୁଛି। ଏହା ବାଦ୍‌ ନୂଆ କ୍ଲିଙ୍କର ୟୁନିଟର ସିଭିଲ, ମେକାନିକାଲ ଏବଂ ରିଫ୍ରାକ୍ଟରି କାର୍ଯ୍ୟର ଠିକା ଲାର୍ସନ ଏବଂ ଟୁବ୍ରୋକୁ ପ୍ରଦାନ କରାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ନୂଆ କ୍ଲିଙ୍କର ୟୁନିଟ ସ୍ଥାପନ କରିବାକୁ ଯୋଜନା ରଖାଯାଇଛି। ୨୦୨୫ ସୁଦ୍ଧା ବାର୍ଷିକ ୨୫ ନିୟୁତ ଟନ୍‌ କ୍ଷମତା ହାସଲ ଏବଂ ୨୦୨୨ ସୁଦ୍ଧା ଆଇପିଓ ଆଣିବା ଲାଗି ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଲକ୍ଷ୍ୟ ରଖିଥିବା ଜିନ୍ଦଲ ସ୍ପଷ୍ଟ କରିଛନ୍ତି।

Share