ଶର୍ମିଷ୍ଠାଙ୍କୁ ସ୍ପଟ୍‌କୁ ନେଲା କ୍ରାଇମବ୍ରାଞ୍ଚ, ହୋଇପାରେ ସିନ୍‌ ରିକ୍ରିଏଶନ

କଟକ ଅଫିସ,୧ା୪: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାର ଆଜି ହେଉଛି ଚତୁର୍ଥ ଦିନ। ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇ ସାରିଥିବା ବେଳେ ଯେଉଁ ମେମୋରି ଚିପ ପାଇଁ ହତ୍ୟାକାଣ୍ଡ ହୋଇଥିବା ଆଲୋଚନା ହେଉଛି ସେନେଇ ଟେର ପାଉନି କ୍ରାଇମବାଞ୍ଚ ଟିମ୍‌। ଗୁରୁବାର ଘଟଣାର ଅଭିଯୁକ୍ତ ରଞ୍ଜନଙ୍କୁ ଚଣ୍ଡିଖୋଲର ଶଙ୍ଖାରିଗଡ଼ାରୁ ହତ୍ୟାରେ ବ୍ୟବହୃତ ସାମଗ୍ରୀ କ୍ରାଇମବ୍ରାଞ୍ଚ ଟିମ ଜବତ କରିଥିବା ବେଳେ ଶୁକ୍ରବାର ସକାଳୁ ଶର୍ମିଷ୍ଠାଙ୍କୁ ଧରି କେଉଁଆଡ଼େ ଯାଇଛି କ୍ରାଇମବ୍ରାଞ୍ଚ ଟିମ୍‌। ଆଜି କ୍ରାଇମବ୍ରାଞ୍ଚ ଘଟଣାର ସିନ୍‌ ରିକ୍ରିଏଶନ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ମାନସ ମୃତ୍ୟୁ ମାମଲାରେ ୪ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏହି ୫ ଦିନ ଭିତରେ ମାନସ ମୃତ୍ୟୁ ସମ୍ପର୍କରେ ସମସ୍ତ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ସଂସ୍ଥା। ଶନିବାର ସମସ୍ତ ଅଭିଯୁକ୍ତଙ୍କର ରିମାଣ୍ଡ ସରିବ । ତେଣୁ ଆଜି ରିମାଣ୍ଡର ଚତୁର୍ଥ କ୍ରାଇମ ସ୍ପଟ୍‌କୁ ନେଇ ବଳିଷ୍ଠ ପ୍ରମାଣ ଯୋଗାଡ଼ କରାଯାଇପାରେ। ଚାନ୍ଦବାଲି ପଳାଶପୁରର ଅପହରଣ ସ୍ଥାନ, ହତ୍ୟା କରାଯାଇଥିବା ଭୁବନେଶ୍ୱର ଦୟାଲ ଆଶ୍ରମ, ମୃତଦେହ ଫିଙ୍ଗା ଯାଇଥିବା ନୟାଗଡ଼ ରଣପୁରକୁ ନେଇ ସିନ୍‌ ରିକ୍ରିଏଶନ କରିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ।