ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ ଅଙ୍କିତ ବାଲିୟାନଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଅଙ୍କିତ ପ୍ରତିଦିନ ଭଳି ବୁଧବାର ଜିମ୍କୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ଜିମ୍ରୁ ବାହାରିବା ସମୟରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ତାଙ୍କ ଉପରେ ଅଚାନକ ଗୁଳିମାଡ଼ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆକ୍ରମଣକାରୀମାନେ ୨୦ରୁ ଅଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ହଠାତ୍ ଗୁଳି ଶବ୍ଦରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଗୁଳିମାଡ଼ରେ ଅଙ୍କିତ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଙ୍କିତଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସଦର କୋତୱାଲି ଅଞ୍ଚଳର ନାଳା ପଟରି ନିକଟରେ ଘଟିଥିବା ଜଣାପଡ଼ିଛି।
ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଙ୍କିତଙ୍କ ଦୈନନ୍ଦିନ ରୁଟିନ୍ ବିଷୟରେ ଆକ୍ରମଣକାରୀମାନେ ଜାଣିଥିଲେ କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି । ଅଙ୍କିତ ବାଲିୟାନ ହରିୟାଣଭୀ ସଙ୍ଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ‘ଭରି କୋର୍ଟ ମେଁ ଗୋଲି ମାରେଙ୍ଗେ ମେରି ଜାନ’ ଗୀତ ବେଶ ଲୋକପ୍ରିୟ ହୋଇଥିଲା। ଏହି ଗୀତ ପରେ ପଶ୍ଚିମ ଉତ୍ତରପ୍ରଦେଶ ଓ ହରିୟାଣାରେ ସେ ବିଶେଷ ପରିଚିତ ହୋଇଥିଲେ। ସେ ହରିୟାଣଭୀ ଗାୟକ ମାସୁମ ଶର୍ମାଙ୍କ ସହ ମଧ୍ୟ କାମ କରିଥିଲେ।