ଲଜ୍ଜା ହିଁ ଲଜ୍ଜା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରକୁ ୮ ବର୍ଷ ପୂରିଛି। ଏହି ଅବସରରେ ଭାଜପା ନେତା ଓ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମାନେ ସରକାରୀ ସଫଳତା ବଖାଣି ମୋଦିଙ୍କ ଗୁଣଗାନ କରୁଛନ୍ତି। ୨୦୨୨ ମେ’ ୨୮ରେ ପ୍ରଧାନମନ୍ତ୍ରୀ ଗୁଜରାଟର ରାଜକୋଟରେ ଏକ ହସ୍ପିଟାଲ ଉଦ୍‌ଘାଟନ କରି କହିଥିଲେ ଯେ, ସେ ବିଗତ ୮ ବର୍ଷର ଶାସନ କାଳରେ ଏପରି କୌଣସି କାର୍ଯ୍ୟ କରିନାହାନ୍ତି ବା ଅନ୍ୟ କାହାରିକୁ କରିବାକୁ ଦେଇନାହାନ୍ତି, ଯଦ୍ଦ୍ବାରା ଦେଶର ନାଗରିକମାନେ ଲଜ୍ଜିତ ହେବେ। ଦେଖିବାକୁ ଗଲେ ଏହି ଅବଧି ମଧ୍ୟରେ ମୋଦି ଏଭଳି ଅନେକ ଜନବିରୋଧୀ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ ତଥା ପୁଞ୍ଜିପତିଙ୍କୁ ସୁହାଇଲା ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହାକୁ ନେଇ ଅଧିକାଂଶ ଭାରତୀୟ ଲଜ୍ଜିତ ହେବା କଥା।
ବିଦେଶରୁ କଳାଧନ ଆଣି ଲୋକଙ୍କୁ ବାଣ୍ଟିବାର ପ୍ରତିଶ୍ରୁତି ଦେଇ ୨୦୧୪ରେ କ୍ଷମତାସୀନ ହୋଇଥିବା ମୋଦି ସରକାର ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ କେତେ ଧନ ଗଚ୍ଛିତ ଅଛି ତାହା ଅଦ୍ୟାବଧି ଜାଣିପାରି ନାହାନ୍ତି ଅଥବା ଜାଣିଶୁଣି ସାର୍ବଜନୀନ କରିବାକୁ ଚାହୁଁନାହାନ୍ତି। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ କହି ଦ୍ୱିତୀୟ ଥର ସରକାର ଗଢ଼ିଲେ। କିନ୍ତୁ ଆୟ ଦ୍ୱିଗୁଣିତ କରିବା ଦୂରର କଥା, ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଧନୀ ବ୍ୟବସାୟୀଙ୍କ ହାତରେ ଟେକିଦେବା ପାଇଁ ୩ଟି କୃଷି ଆଇନ ଆଣିଥିଲେ। ସେହି ଆଇନକୁ ବିରୋଧ କରି ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଥିଲେ। ସେତେବେଳେ ଚାଷୀଙ୍କ ଉପରେ ବର୍ବରତା ଓ କଣ୍ଟକିତ ତାରବାଡ଼ ଦେଇ ଧାରଣାସ୍ଥଳକୁ ଘେରିବା ଦୃଶ୍ୟ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରି ଭାରତକୁ ନିନ୍ଦିତ କରିଥିଲା। ୨୦୨୧ ଅକ୍ଟୋବର ୩ରେ ଲଖିମପୁର ଖେରିରେ ଆନ୍ଦୋଳନରତ ୩ ଚାଷୀ ଓ ଜଣେ ଖବରଦାତାଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯିବା ଘଟଣା ବିଦେଶୀ ଗଣମାଧ୍ୟମରେ ସମାଲୋଚିତ ହୋଇଥିଲା। ଏହି ଚାଷୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ। ଅଜୟ ଏପର୍ଯ୍ୟନ୍ତ ମନ୍ତ୍ରୀ ପଦରୁ ବିଦା ହୋଇନାହାନ୍ତି। ଉତ୍ତର ପ୍ରଦେଶ ଓ ପଞ୍ଜାବ ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଅଁାଇ କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ।
ସରକାର ବିରୋଧୀ ମନ୍ତବ୍ୟ ଦେଉଥିବା ବ୍ୟକ୍ତିମାନଙ୍କ ମୁହଁ ବନ୍ଦ କରିବା ପାଇଁ ଦେଶଦ୍ରୋହ (ଆଇପିସି ଦଫା ୧୨୪ଏ) ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ର ଦୁରୁପଯୋଗ ମୋଦିଙ୍କ ଶାସନକୁ ଲୋକଚକ୍ଷୁରେ କଳଙ୍କିତ କରିଛି। ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସ ବା ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ବିଶ୍ୱର ୧୮୦ ଦେଶ ମଧ୍ୟରେ ଭାରତର ସ୍ଥାନ ଗତବର୍ଷ ୧୪୨ ଥିବାବେଳେ ଚଳିତବର୍ଷ ୧୫୦କୁ ଖସିଛି। ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୧୬ ଦେଶ ମଧ୍ୟରୁ ଭାରତ ୧୦୧ ସ୍ଥାନରେ ରହି ପଡ଼ୋଶୀ ବାଂଲାଦେଶ, ନେପାଳ ଓ ପାକିସ୍ତାନ ପଛକୁ ଚାଲିଯାଇଛି।
ମୋଦିଙ୍କ ସମୟରେ କେନ୍ଦ୍ର ସରକାର ଇସ୍ରାଏଲ୍‌ର ଏନ୍‌ଏସ୍‌ଓ କମ୍ପାନୀଠାରୁ ପେଗାସସ୍‌ ନାମକ ସ୍ପାଏଓ୍ବେର କିଣିଥିଲେ। ବିରୋଧୀ ନେତା, ସାମାଜିକ କର୍ମୀ, ଖବରଦାତା ଓ ବିଚାରପତିମାନଙ୍କ ବିରୋଧରେ ଏହାକୁ ବ୍ୟବହାର କରି ମୋବାଇଲ ଫୋନ୍‌ରେ କଥାବାର୍ତ୍ତା ଜାଣିବା ପାଇଁ ଗୁପ୍ତଚରଗିରି କରାଇଥିଲେ। ପୃଥିବୀର ଅଳ୍ପ କେତୋଟି ଏକଚ୍ଛତ୍ରବାଦୀ ଦେଶ ଏହି ପେଗାସସ୍‌କୁ କିଣିଛନ୍ତି। ତେବେ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିଶ୍ୱରେ ପରିଚିତ ଭାରତର ନାମ ଏହି ତାଲିକାର ଶୀର୍ଷରେ ରହିଥିବାରୁ ଦେଶବାସୀଙ୍କ ପାଇଁ ତାହା କେତେ ଗୌରବ ଆଣିଦେଇଛି ମୋଦିଙ୍କ ପ୍ରତ୍ୟେକ ସମର୍ଥକ ଓ ଭାରତୀୟ ବୁଝିପାରୁଥିବେ।
୨୦୧୯ ସେପ୍ଟେମ୍ବର ୨୩ରେ ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ ସ୍ଲୋଗାନ ଦେଇ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ୨୦୨୦ ଫେବୃୟାରୀ ୨୪ରେ ମୋଦି ଟ୍ରମ୍ପ୍‌ଙ୍କୁ ଗୁଜରାଟ ଡକାଇ ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମୋଦି ଭାବିଥିଲେ, ଏସବୁ ଦେଖି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ୍‌ ପାର୍ଟି ପ୍ରାର୍ଥୀ ଟ୍ରମ୍ପ୍‌ଙ୍କୁ ଜିତାଇଦେବେ। କିନ୍ତୁ ଆମେରିକୀୟମାନେ ଟ୍ରମ୍ପ୍‌ଙ୍କୁ ହରାଇଦେଇଥିଲେ। କୌଣସି ଦେଶର ଆଭ୍ୟନ୍ତରୀଣ ନିର୍ବାଚନରେ ଭାରତ ହସ୍ତକ୍ଷେପ କରିବାର ଐତିହାସିକ ନଜିର ନାହିଁ। ପ୍ରଧାନମନ୍ତ୍ରୀ ମୋଦି ନିଜ ରାଜନୈତିକ ବୁଦ୍ଧିକୁ ଆଧାର କରି ଏଭଳି ନିଷ୍ପତ୍ତି ନେଇଥିବାରୁ ଭାରତର କୂଟନୀତି ଅଡ଼ୁଆରେ ପଡ଼ିଥିଲା। ଟ୍ରମ୍ପ୍‌ ହାରିଯିବା ପରେ ମୋଦି ସମର୍ଥକ ଏବଂ ଭାରତବାସୀ ଏଥିପାଇଁ ଲଜ୍ଜିତ ହୋଇଥିଲେ।
୨୦୨୦ ମାର୍ଚ୍ଚ ୨୪ରେ ଭାରତରେ କୋଭିଡ୍‌ ମହାମାରୀର କ୍ୱଚିତ ଲକ୍ଷଣ ଦେଖାଦେଇଥିଲା। ତଥାପି ମୋଦି ଜନତା କର୍ଫ୍ୟୁ ନାମରେ ଲୋକଙ୍କୁ ଘଣ୍ଟ ବାଡ଼ାଇ, ଦୀପ ଜାଳି, ତାଳି ମାରିବା ଭଳି ପରାମର୍ଶ ଦେଇ ଅନ୍ଧବିଶ୍ୱାସ ସୃଷ୍ଟି କରାଇଥିଲେ। ଏଥିଯୋଗୁ ଜନସାଧାରଣ ସତର୍କ ରହିବା ପରିବର୍ତ୍ତେ ଭିଡ଼ ସୃଷ୍ଟି କରି ରାସ୍ତାରେ ବୁଲିବା ଫଳରେ ମହାମାରୀକୁ ଡାକିଆଣିଥିଲେ। ଦେଶବ୍ୟାପୀ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଘଣ୍ଟ ବାଡ଼େଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମୋଦିଙ୍କ କଥାରେ ନେତାଙ୍କଠୁ ନେଇ ଚେଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଜୋକର ପାଲଟିଯାଇଥିଲେ। ଛାତ ଉପରେ କିମ୍ବା ବାଲ୍‌କୋନିରେ ଚଢ଼ି ଘଣ୍ଟ ବାଡ଼େଇବା ଦୃଶ୍ୟ ମନେ ପକାଇଲେ ସେମାନେ ଆଜି ଅକୁହା ଲଜ୍ଜାରେ ଜରିଯିବା କଥା। ଏହା ପରେ ମୋଦି ବିନା କୌଣସି ପ୍ରସ୍ତୁତିରେ ହଠାତ୍‌ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବାରୁ କଳକାରଖାନାରେ ନିୟୋଜିତ ପ୍ରବାସୀ ଶ୍ରମିକମାନେ ଦେଶର ଏପାଖ ସେପାଖ ଯିବାକୁ ବାଧ୍ୟ ହୋଇଥିଲେ। ବିମୁଦ୍ରୀକରଣ ଭଳି ଏହି ଘୋଷଣା ମଧ୍ୟ ରାତି ୮ଟାରେ କରାଯାଇ ରେଳ ଓ ଅନ୍ୟ ସବୁ ଯାନବାହନ ବନ୍ଦ କରାଯାଇଥିଲା। ଫଳରେ ଶ୍ରମିକମାନେ ଅନେକ ଶହ କିଲୋମିଟର ଚାଲିକରି ଯାଇ ପ୍ରାଣ ହରାଇଥିଲେ। ତତ୍‌ସହିତ ରୋଗକୁ ଏମୁଣ୍ଡରୁ ସେମୁଣ୍ଡକୁ ନେଇଥିଲେ।
ସମସ୍ତେ ଭାବୁଥିଲେ ମୋଦି ନ ପଢ଼ିକି ଅନର୍ଗଳ ଭାଷଣ ଦେଇପାରନ୍ତି। ୨୦୨୨ ଜାନୁୟାରୀ ୧୭ରେ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ (ଡବ୍ଲ୍ୟୁଇଏଫ୍‌)ର ଡାଭୋସ୍‌ ଏଜେଣ୍ଡାକୁ ସମ୍ବୋଧନ କରିବାବେଳେ ଟେଲିପ୍ରମ୍ପଟର ମେଶିନ ଅକାମୀ ହୋଇଯିବାରୁ ମୋଦି ଯେଉଁଭଳି ଭାବେ ନିଜ ଅସହାୟତା ଦେଖାଇ ପାଟି ଫିଟାଇପାରିଲେ ନାହିଁ, ସେଥିରୁ ଭାରତୀୟମାନେ ଲଜ୍ଜିତ ହେଲେ। ଏଥିରୁ ପ୍ରମାଣିତ ହେଲା ଯେ, ସବୁ ଭାଷଣରେ ଯେଉଁ ବିଷୟରେ ମୋଦି କହିଥାଆନ୍ତି ତା’ର ଗଭୀରତାକୁ ଯିବା ପରିବର୍ତ୍ତେ ଅନ୍ୟ କାହା ଦ୍ୱାରା ପ୍ରସ୍ତୁତ ଭାଷଣକୁ ପଢ଼ିଥାନ୍ତି। ସେତେବେଳେ ମୋଦିଙ୍କ ଏହି ନିର୍ବାକ୍‌ଭାବ ତାଙ୍କ ଭକ୍ତଙ୍କୁ ଲଜ୍ଜିତ କରିଥିବ। ସବୁ ଜଟିଳ ସମସ୍ୟା ସମୟରେ ପ୍ରଧାନମନ୍ତ୍ରୀ ନୀରବ ହୋଇଯାଉଥିବା ମଧ୍ୟ ଦେଖିବାକୁ ମିଳେ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ସେଠାକୁ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦିଦି ଓ ଦିଦି’ କହି ଯେପରି କଟାକ୍ଷ କଲେ ତାହା କିପରି ଘୃଣିତ ହୋଇଥିଲା ସେ ବିଷୟରେ ନିର୍ବାଚନ ଫଳାଫଳରୁ ତାଙ୍କ ସମର୍ଥକ ଓ ଦେଶବାସୀ ଭଲଭାବେ ବୁଝିପାରିଲେ। ୨୦୨୧ ନଭେମ୍ବର ୧୬ରେ ତତ୍କାଳୀନ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କେତେକ ପ୍ରସଙ୍ଗରେ ପିଏମ୍‌ଓ ସହ ଭିତିରି ଆଲୋଚନା କରିଥିଲେ। ଏହାଦ୍ୱାରା ଇସିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଉଠିଥିଲା। ନିର୍ବାଚନ କମିଶନ ନିଜର ଏଭଳି କାର୍ଯ୍ୟ ଯୋଗୁ କେବଳ ଭାରତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଶ୍ୱସନୀୟତା ହରାଇବସିଲେ।
ମୋଦି ନିଜ ଶାସନ କାଳର ୮ ବର୍ଷ ମଧ୍ୟରେ ଥରୁଟିଏ ହେଲେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ଏନ୍‌ଏଏମ୍‌) ସମ୍ମିଳନୀରେ ଯୋଗଦେଇ ନାହାନ୍ତି। କାରଣ ୧୯୬୧ରେ ଶୀତଳ ଯୁଦ୍ଧ ବେଳେ ଏହି ରାଷ୍ଟ୍ରସମୂହ ଗଠନରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ନେହେରୁଙ୍କ ସବୁ ନୀତି ଭୁଲ୍‌ ବୋଲି ପ୍ରମାଣିତ କରିବାକୁ ଯାଇ ମୋଦି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ପ୍ରତି ବିମୁଖ ଥିବା କୁହାଯାଏ। କିନ୍ତୁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମେ’ ୨୯ରେ ଆଇଆଇଟି ଗୁଆହାଟୀରେ ଛାତ୍ରୀଛାତ୍ରଙ୍କ ସହ ଭାବ ବିନିମୟ କରିବାବେଳେ କହିଥିଲେ, ବିଶ୍ୱରେ ଚାଲିଥିବା ସାମ୍ପ୍ରତିକ ଧ୍ରୁବୀକରଣ ପରିପ୍ରେକ୍ଷୀରେ ଭାରତ ନିଜ ଗୋଷ୍ଠୀ ନିରପେକ୍ଷ ଆଭିମୁଖ୍ୟକୁ ବଜାୟ ରଖିଛି। ଏଥିଯୋଗୁ ରୁଷିଆ-ୟୁକ୍ରେନ୍‌ ସଂଘର୍ଷ ମଝିରେ ଭାରତ ନ ପଡ଼ି କାହାର ପକ୍ଷ ନେଉନାହିଁ ବୋଲି ଜୟଶଙ୍କର ବୁଝାଇଥିଲେ।
ଭାରତର ଅର୍ଥନୀତି କଥା ଦେଖିଲେ ମୁଦ୍ରାସ୍ଫୀତି ବହୁ ଉଚ୍ଚକୁ ଚାଲିଯାଇଛି, ଯାହାର ବାସ୍ତବ ଆକଳନ ସରକାରୀ ତଥ୍ୟରୁ ମିଳିପାରି ନାହିଁ। ବେକାରଙ୍କ ସଂଖ୍ୟା ବଢ଼ିଚାଲିଛି। ବିମୁଦ୍ରୀକରଣ ଭଳି ଜନବିରୋଧୀ ପଦକ୍ଷେପ ଦେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଧ୍ୱଂସ କରିଦେଇଛି। କର୍ମନିଯୁକ୍ତି ସୃଷ୍ଟି ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନ ଥିବାରୁ ଆଶାୟୀମାନେ ଚାକିରି ଖୋଜିବା ବନ୍ଦ କରିଦେଲେଣି ବୋଲି ନିକଟରେ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଆଇଏମ୍‌ଇ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏସବୁ ପରେ ମଧ୍ୟ ପ୍ରଧାନମନ୍ତ୍ରୀ କହୁଛନ୍ତି, ସେ କାହା ମୁଣ୍ଡ ତଳକୁ କରାଇନାହାନ୍ତି।
ମନେପଡ଼େ ମୋଦିଙ୍କ ପ୍ରଥମ ୩ ବର୍ଷର ନିତିଦିନିଆ ବିଦେଶ ଭ୍ରମଣ। ଧାରଣା ସୃଷ୍ଟି କରାଯାଇଥିଲା ଯେ, ଦେଶ ଏକ ନୂଆ ଅନ୍ତର୍ଜାତୀୟ ଭାବମୂର୍ତ୍ତି ନିର୍ମାଣ କରିପାରିବ। ବାରମ୍ବାର କୁହାଗଲା ଯେ, ଭାରତୀୟ ପାସ୍‌ପୋର୍ଟର ସମ୍ମାନ ବୃଦ୍ଧି ପାଇଛି। ଆଜି ସ୍ପଷ୍ଟ ବୁଝାପଡ଼ୁଛି ମୋଦିଙ୍କର ସବୁ ନେତାଙ୍କୁ କୁଣ୍ଢାଇବା କାହାରିକୁ ପସନ୍ଦ ହୋଇ ନ ଥିଲା। ଆରବ ଦେଶର ମୁସଲମାନ ନେତାମାନଙ୍କ ବ୍ୟତୀତ ଅନ୍ୟ ସବୁ ଦେଶର ସଂସ୍କୃତିରେ ଆଲିଙ୍ଗନକୁ ବିକୃତ ମାନସିକତାର ପରିଚୟ ବୋଲି ବୁଝାଯାଏ। ଆଜି ମୋଦି ସମର୍ଥକଙ୍କ ସମେତ ଭାରତୀୟମାନେ ମଧ୍ୟ ସେହିସବୁ କୁଣ୍ଢାଇବାର ବିଫଳତା ଦେଖି ଲଜ୍ଜିତ ହେବା କଥା।