Categories: ବାଣିଜ୍ୟ

ଆର୍ଥିକ ସ୍ଥିତିର ସମୀକ୍ଷା କଲେ ଶକ୍ତିକାନ୍ତ

ଭୁବନେଶ୍ୱର,୨୩।୩(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆର୍‌ବିଆଇର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋର୍ଡ ପକ୍ଷରୁ ବିଶ୍ୱ ତଥା ଘରୋଇ ଆର୍ଥିକ ସ୍ଥିତିର ସମୀକ୍ଷା କରାଯାଇଥିଲା। ବୈଠକରେ ଭୌଗୋଳିକ, ରାଜନୈତିକ ଆହ୍ବାନ ସହ ବିଶ୍ୱ ଆର୍ଥିକ ବଜାରରେ ଅଶାନ୍ତି ଦେଖାଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରିକରି କହିଛି, ଆର୍‌ବିଆଇର କେନ୍ଦ୍ରୀୟ ବୋର୍ଡର ୬୦୭ତମ ବୈଠକ ନାଗପୁରରେ ଅନୁଷ୍ଠିତ ହୋଇଥିଲା। ଆର୍‌ବିଆଇ ଗଭର୍ନର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବୋର୍ଡ ଘରୋଇ ଅର୍ଥନୈତିକ ପରିସ୍ଥିତି ଏବଂ ବିଶ୍ୱବ୍ୟାପୀ ଦୃଷ୍ଟିକୋଣର ସମୀକ୍ଷା କରିଛି। ବୈଠକରେ ଆର୍‌ବିଆଇ ବୋର୍ଡ ଭୌଗୋଳିକ, ରାଜନୈତିକ ବିକାଶ ସହ ବିଶ୍ୱ ଆର୍ଥିକ ବଜାରରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରେ ଡିଜିଟାଲ ପେମେଣ୍ଟରେ ଅଗ୍ରଗତି ଏବଂ ଉପଭୋକ୍ତାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଉପଭୋକ୍ତା ଶିକ୍ଷା ତଥା ସଚେତନତା ଅଭିଯାନରେ ଆର୍‌ବିଆଇ ବୋର୍ଡ ସମୀକ୍ଷା କରିଛି। ଆର୍‌ବିଆଇ ବୋର୍ଡ ୨୦୨୪-୨୫ ହିସାବ ବର୍ଷ ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ବଜେଟକୁ ଅନୁମୋଦନ କରିଛି। ଗୋଟିଏପଟେ ତୃତୀୟ ତ୍ରୈମାସିକରେ ଭାରତର ଜିଡିପି ୮.୪ ପ୍ରତିଶତ ଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ ତଥ୍ୟ ପ୍ରକାଶ କରିଥିବାବେଳେ ଅନ୍ୟପଟେ ଏହି ବୈଠକ ଅନୁଷ୍ଠିତ ହୋଇଛି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜିଡିପି ୭.୬ ପ୍ରତିଶତ ଆକଳନ କରାଯାଇଛି। ଜିଡିପି ତଥ୍ୟ ପ୍ରକାଶ ପାଇବା ପରେ ଅନେକ ରେଟିଂ ଏଜେନ୍ସି ଏବଂ ଅନୁଷ୍ଠାନ ଚଳିତ ଆର୍ଥିକ ବର୍ଷ ବ୍ୟତୀତ ୨୦୨୪-୨୫ ପାଇଁ ଭାରତର ଜିଡିପି ଆକଳନ ବୃଦ୍ଧି କରିଛନ୍ତି। ୨୦୨୪ କ୍ୟାଲେଣ୍ଡର ବର୍ଷରେ ଭାରତର ଜିଡିପି ୬.୮ ପ୍ରତିଶତ ହୋଇପାରେ, ଯାହା ପୂର୍ବରୁ ୬.୧ ପ୍ରତିଶତ ବୋଲି ଆକଳନ କରାଯାଇଥିଲା। ଆର୍‌ବିଆଇ ପାଇଁ ଏହା ଏକ ସନ୍ତୋଷର ବିଷୟ ଯେ, ଫେବୃଆରୀ ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୯ ପ୍ରତିଶତ ହୋଇଛି।
ସୂଚନା ଥାଉକି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୁଦ୍ରାନୀତି କମିଟିର ପ୍ରଥମ ବୈଠକ ୩ ରୁ ୫ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏପ୍ରିଲ ୫ରେ ଏହି ନୀତି ଘୋଷଣା କରାଯିବ। ୨୦୨୪ରେ ୩ଥର ସୁଧ ହାର ହ୍ରାସ କରିବାକୁ ଫେଡ୍‌ ରିଜର୍ଭ ସୂଚିତ କରିଛି। ଏହା ପରେ ଅନୁମାନ କରାଯାଉଛି ଯେ କ୍ୟାଲେଣ୍ଡର ବର୍ଷର ଦ୍ୱିତୀୟାର୍ଦ୍ଧରେ ଯଦି ମୁଦ୍ରାସ୍ଫୀତି ହାର ୪ ପ୍ରତିଶତ ପାଖାପାଖି ରହିଲେ ଆର୍‌ବିଆଇ ଋଣ ଶସ୍ତା କରିପାରେ।

Share